ନୂଆଦିଲ୍ଲୀ: ସଂସଦୀୟ ପାଣ୍ଠିରୁ ଉଠାଣ ହେଲା ୮୯ ଲକ୍ଷ ଟଙ୍କା, ହେଲେ ଜାଣିପାରିଲେଣି ଖୋଦ ସାଂସଦ | ବିହାରର ଛାପରା ଜିଲ୍ଲାର ମହାରାଜଗଞ୍ଜ ସାଂସଦ ଜନାର୍ଦ୍ଦନ ସିଂହଙ୍କ ସାଂସଦ ପାଣ୍ଠିରୁ ଏଭଳି ଏକ ଠକେଇ ଘଟଣା ସାମ୍ନାକୁ ଆସିଛି | ଆଉ ବିଜେପି ସାଂସଦ ଜନାର୍ଦ୍ଦନ ସିଂହଙ୍କ ସଂସଦୀୟ ବିକାଶ ପାଣ୍ଠିରୁ ୮୯ ଲକ୍ଷ ଟଙ୍କା ଠକେଇ ମାମଲାରେ ତିନି ଦିନ ମଧ୍ୟରେ ରିପୋର୍ଟ ଦେବାକୁ ବିହାର ମୁଖ୍ୟ ସଚିବଙ୍କୁ କେନ୍ଦ୍ର ଗୃହ ସଚିବ ନିର୍ଦ୍ଦେଶ ଦେଇଛନ୍ତି । ଏହି ଠକେଇରେ ସମ୍ପୃକ୍ତ ବ୍ୟାଙ୍କ କର୍ମଚାରୀଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ପାଇଁ ସାଂସଦ ଦାବି କରିଛନ୍ତି |
ମିଳିଥିବା ସୂଚନା ମୁତାବକ ମହାରାଜଗଞ୍ଜର ବ୍ୟାଙ୍କ ଅଫ୍ ବରୋଦା ମୁଖ୍ୟ ଶାଖାରେ ସାଂସଦ ଜନାର୍ଦ୍ଦନ ସିଂହଙ୍କ ସାଂସଦ ଆଞ୍ଚଳିକ ବିକାଶ ପାଣ୍ଠିର ଆକାଉଣ୍ଟ ରହିଛି। ଏହି ବ୍ୟାଙ୍କ ଆକାଉଣ୍ଟରୁ ଥରେ ୪୨ ଲକ୍ଷ ଏବଂ ୪୭ ଲକ୍ଷ ଟଙ୍କା ଉଠାଯାଇଛି । ମହାରାଷ୍ଟ୍ରର ଅହମ୍ମଦନଗର ଜିଲ୍ଲାର ବ୍ୟାଙ୍କ ଅଫ୍ ବରୋଦା ଶାଖାରେ ଏହି ଚେକ୍ କ୍ଲୋନ୍ ହୋଇ ଆରଟିଜିଏସ୍ ହୋଇଛି ବୋଲି ଜଣାପଡିଛି। ସମସ୍ତ ଟଙ୍କା ଅହମ୍ମଦନଗରର ଜଣେ ବ୍ୟକ୍ତିଙ୍କ ଆକାଉଣ୍ଟକୁ ସ୍ଥାନାନ୍ତର କରାଯାଇଛି |
ତିନିମାସ ପୂର୍ବରୁ ନଭେମ୍ବର ୪ ରେ ଟଙ୍କା ଟ୍ରାନ୍ସଫର ହୋଇଥିବାବେଳେ ଫେବୃଆରୀ ୩ ରେ ସାଂସଦ ଏବାବଦରେ ଜାଣିବାକୁ ପାଇଥିଲେ | ଏହା ପରେ ସାଂସଦ ଗୃହ ମନ୍ତ୍ରାଳୟକୁ ଏବାବଦରେ ସୂଚନା ଦେଇଥିଲେ | ସାଂସଦଙ୍କ ଅଭିଯୋଗ ପରେ ଗୁରୁବାର ବିଳମ୍ବିତ ରାତିରେ ଅହମ୍ମଦନଗରରୁ ଅଭିଯୁକ୍ତ ବ୍ୟାଙ୍କ ଆକାଉଣ୍ଟାଣ୍ଟଙ୍କୁ ଗିରଫ କରାଯାଇଛି । ବର୍ତ୍ତମାନ ଅଭିଯୁକ୍ତଙ୍କୁ ପଚରାଉଚରା କରାଯାଉଛି। ଏହି ଘଟଣାରେ ଆଉ କେଉଁମାନେ ସମ୍ପୃକ୍ତ ସେ ନେଇ ତଦନ୍ତ ଚାଲିଛି |