ରାଞ୍ଚି: ଝାଡ଼ଖଣ୍ଡରେ ୮୯ ପ୍ରତିଶତ ନବ ନିର୍ବାଚିତ ବିଧାୟକ କୋଟିପତି। କଂଗ୍ରେସ ଦଳର ରାମେଶ୍ବର ଓରାଓଁ ହେଉଛନ୍ତି ସବୁଠାରୁ ଧନୀ ବିଧାୟକ। ତାଙ୍କ ମୋଟ୍ ସମ୍ପତ୍ତିର ମୂଲ୍ୟ ୪୨.୨୦ କୋଟି। ଝାଡ଼ଖଣ୍ଡ ଇଲେକ୍ସନ୍ ୱାଚ୍ ଏବଂ ଏଡିଆର୍ (ଏସୋସିଏନ୍ ଫର୍ ଡିମୋକ୍ରାଟିକ୍ ରିଫର୍ମ୍ସ) ରିପୋର୍ଟରୁ ଏହା ଜଣାପଡ଼ିଛି। ୮୧ ବିଜୟୀ ପ୍ରାର୍ଥୀଙ୍କର ସତ୍ୟପାଠ ଆକଳନ କରି ଜଣାପଡ଼ିଛି ଯେ ୨୦୨୪ରେ ୭୧ ଜଣ ନବ ନିର୍ବାଚିତ ବିଧାୟକ କୋଟିପତି। ୨୦୧୯ରେ ନବ ନିର୍ବାଚିତ କୋଟିପତି ବିଧାୟକଙ୍କ ତୁଳନାରେ ଏହା ୨୦ ପ୍ରତିଶତ ଅଧିକ। ୫ ବର୍ଷ ପୂର୍ବେ ଝାଡ଼ଖଣ୍ଡରେ ୫୬ ଜଣ ବିଧାୟକ କୋଟିପତି ଥିଲେ ଏବଂ ଏହା ପୂର୍ବରୁ ୨୦୧୪ରେ ଝାଡ଼ଖଣ୍ଡରେ କୋଟିପତି ବିଧାୟକଙ୍କ ସଂଖ୍ୟା ୪୧ ଥିଲା।
ଚଳିତବର୍ଷର ୭୧ କୋଟିପତି ବିଧାୟକଙ୍କ ମଧ୍ୟରୁ ୨୮ ଜଣ ଜେଏମଏମ୍ର , ୨୦ ଜଣ ବିଜେପିର, ୧୪ ଜଣ କଂଗ୍ରେସର, ୪ ଜଣ ଆରଜେଡିର, ୨ ଜଣ ସିପିଆଇ (ଏମଏଲ୍) ଲିବରେସନ୍ ଏବଂ ଏଲ୍ଜେପି (ରାମ ବିଳାସ) , ଜେଡିୟୁ ଏବଂ ଏଜେଏସ୍ୟୁ ପାର୍ଟିରୁ ଜଣେ ଲେଖାଏଁ ବିଧାୟକ କୋଟିପତି। ଝାଡ଼ଖଣ୍ଡରେ ପ୍ରତି ବିଜୟୀ ପ୍ରାର୍ଥୀଙ୍କ ହାରାହାରି ସମ୍ପତ୍ତି ୨୦୨୪ରେ ୬.୯୦ କୋଟି ରହିଛି। ୨୦୧୯ରେ ପ୍ରତି ବିଜୟୀ ପ୍ରାର୍ଥୀଙ୍କ ହାରାହାରି ସମ୍ପତ୍ତି ୩.୮୭ କୋଟି ଥିଲା। ବିଜୟୀ ପ୍ରାର୍ଥୀଙ୍କ ମଧ୍ୟରୁ କଂଗ୍ରେସର ଲୋହରଡ଼ଗା ବିଧାୟକ ରାମେଶ୍ବର ଓରାଓଁ ସବୁଠାରୁ ଧନୀ ପ୍ରାର୍ଥୀ। ବିଜେପିର ପନ୍କି ଆସନରୁ ନିର୍ବାଚନ ଜିତିଥିବା କୁଶୱାହା ଶଶୀ ଭୂଷଣ ମେହଟା ଦ୍ବିତୀୟ ସର୍ବାଧିକ ଧନୀ ବିଜୟୀ ବିଧାୟକ। ତାଙ୍କ ମୋଟ୍ ସମ୍ପତ୍ତି ୩୨.୧୫ କୋଟି। ସେହିପରି ଗୋଡ୍ଡା ଆସନରୁ ନିର୍ବାଚନ ଜିତିଥିବା ଆରଜେଡିର ସଂଜୟ ପ୍ରସାଦ ଯାଦବ ଧନୀ ବିଧାୟକ ତାଲିକାରେ ତୃତୀୟ ସ୍ଥାନରେ ରହିଛନ୍ତି। ତାଙ୍କ ମୋଟ୍ ସମ୍ପତ୍ତି ୨୯.୫୯ କୋଟି।
ଜେଏଲ୍କେଏମ୍ (ଝାଡ଼ଖଣ୍ଡ ଲୋକତାନ୍ତ୍ରିକ କ୍ରାନ୍ତିକାରୀ ମୋର୍ଚ୍ଚା)ର ଜୟରାମ କୁମାର ମାହାତୋ ଡୁମ୍ରି ଆସନରେ ନିର୍ବାଚନ ଜିତିଛନ୍ତି। ତାଙ୍କ ସମ୍ପତ୍ତି ୨.୫୫ ଲକ୍ଷ ଏବଂ ଏହା ସବୁଠାରୁ କମ୍। ୧୪ ବିଜୟୀ ବିଧାୟକ ସେମାନଙ୍କ ସମ୍ପତ୍ତି ୧ କୋଟିରୁ ଅଧିକ ବୋଲି ଘୋଷଣା କରିଛନ୍ତି। ୪୨ ଜଣ ବିଧାୟକ ପୁନଃ ନିର୍ବାଚିତ ହୋଇଛନ୍ତି ଏବଂ ସେମାନଙ୍କ ହାରାହାରି ସମ୍ପତ୍ତି ଗତ ୫ ବର୍ଷ ମଧ୍ୟରେ ୨.୭୧ କୋଟି ବଢ଼ିଛି। ୨୮ ବିଜୟୀ ପ୍ରାର୍ଥୀ ସେମାନଙ୍କ ଶିକ୍ଷାଗତ ଯୋଗ୍ୟତା ଅଷ୍ଟମରୁ ଦ୍ବାଦଣ ଶ୍ରେଣୀ ମଧ୍ୟରେ ବୋଲି ଘୋଷଣା କରିଛନ୍ତି। ୫୦ ଜଣ ଗ୍ରାଜୁଏଟ୍ କିମ୍ବା ଏହାଠାରୁ ଅଧିକ ପାଠ ପଢ଼ିଛନ୍ତି। ଜଣେ ବିଜୟୀ ବିଧାୟକ ଡିପ୍ଲୋମା କରିଛନ୍ତି ଏବଂ ଅନ୍ୟ ଜଣେ ନିଜକୁ କେବଳ ସାକ୍ଷର ଘୋଷଣା କରିଛନ୍ତି। ରାଜ୍ୟ ବିଧାନସଭାରେ ବିଜୟୀ ମହିଳା ବିଧାୟକଙ୍କ ସଂଖ୍ୟା ୧୦ରୁ ୧୨କୁ ବୃଦ୍ଧି ପାଇଛି।