ଘାତକ ହେଉଛି ଅବସାଦ, ଅନଟନ:ବର୍ଷକୁ ୮ ଲକ୍ଷ ଲୋକ ଆତ୍ମହତ୍ୟା କରୁଛନ୍ତି

ନୂଆଦିଲ୍ଲୀ: ଅବସାଦ ଏବଂ ଅଭାବ ଅନଟନ ଏବେ କାଳ ସାଜିଛି। ବିଭିନ୍ନ ଘାତକ ରୋଗ ଠାରୁ ଏହା ଅଧିକ ମାରାତ୍ମକ ହୋଇଛି। ଏହି ଦୁଇଟି କାରଣରୁ ଅନେକ ଲୋକ ଅନନ୍ୟୋପାୟ ହୋଇ ଶେଷରେ ଆତ୍ମହତ୍ୟାର ବାଟ ବାଛୁଛନ୍ତି। ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ (ଡବ୍ଲ୍ୟୁଏଚ୍‌ଓ)ର ଏକ ରିପୋର୍ଟରୁ ଜଣାଯାଇଛି ଯେ ପ୍ରତିବର୍ଷ ବିଶ୍ୱରେ ପାଖାପାଖି ୮ ଲକ୍ଷ ଲୋକ ଆତ୍ମହତ୍ୟା କରୁଛନ୍ତି। ଏମାନଙ୍କ ମଧ୍ୟରେ ୧୭ ପ୍ରତିଶତ ଭାରତୀୟ ଅନ୍ତର୍ଭୁକ୍ତ। ରିପୋର୍ଟ ଅନୁଯାୟୀ ୨୦୧୬ ମସିହାରେ ଯେଉଁ ସଂଖ୍ୟକ ମୃତ୍ୟୁ ଘଟଣା ଘଟିଥିଲା, ଆତ୍ମହତ୍ୟା ସେଥିରେ ଦ୍ୱିତୀୟ ପ୍ରମୁଖ କାରଣ ସାଜିଥିଲା। ୧୫ରୁ ୨୯ ବର୍ଷ ବୟସ ମଧ୍ୟରେ ହିଁ ଅଧିକାଂଶ ଯୁବଗୋଷ୍ଠୀ ଆତ୍ମହତ୍ୟା କରୁଥିବା ଏଥିରେ ଦର୍ଶାଯାଇଛି।
କୌଣସି ନିର୍ଦ୍ଦିଷ୍ଟ ଦେଶ ନୁହେଁ, ବରଂ ପ୍ରତ୍ୟେକ ରାଷ୍ଟ୍ରରେ ଆତ୍ମହତ୍ୟା ଘଟଣା ବୃଦ୍ଧି ପାଉଛି। ଧନୀ ହେଉ କିମ୍ବା ଗରିବ କେହି ବି ଏହି ଘାତକ କାଳରୁ ବର୍ତ୍ତି ପାରୁନାହାନ୍ତି। ଅଧିକାଂଶ ଧନୀ ଲୋକ ଅବସାଦରେ ଜୀବନ ହାରୁଥିବା ବେଳେ ଗରିବଙ୍କ ଆତ୍ମହତ୍ୟାର ପ୍ରମୁଖ କାରଣ ଆର୍ଥିକ ସଂକଟ ବୋଲି ଜଣାପଡ଼ିଛି। ଅର୍ଥାତ୍‌ ଯେଉଁ ଦେଶରେ ରୋଜଗାରର ମାତ୍ରା ଯେତେ କମ୍‌, ସେହି ଦେଶମାନଙ୍କରେ ଆତ୍ମହତ୍ୟାର ମାତ୍ରା ସେତେ ଅଧିକ ଥିବା ଡବ୍ଲ୍ୟୁଏଚ୍‌ଓ ରିପୋର୍ଟରୁ ଜଣାପଡ଼ିଛି। ତେବେ ପ୍ରତି ଗୋଟିଏ ଆତ୍ମହତ୍ୟା ଜନିତ ମୃତ୍ୟୁରେ ୨୦ରୁ ଊର୍ଦ୍ଧ୍ୱ ଆତ୍ମହତ୍ୟା ଉଦ୍ୟମ ସାମିଲ ଥିବା ଡବ୍ଲ୍ୟୁଏଚ୍‌ଓ ପକ୍ଷରୁ ଦର୍ଶାଯାଇଛି।

ସମ୍ବନ୍ଧିତ ଖବର