ଡାଇମଣ୍ଡ୍‌ ପ୍ରିନସେସ ଜାହାଜରେ ଆଉ ଜଣେ ଭାରତୀୟଙ୍କୁ କରୋନା ଭାଇରସ ସଂକ୍ରମଣ, ମୋଟ ସଂଖ୍ୟା ୮ରେ ପହଞ୍ଚିଲା

ନୂଆଦିଲ୍ଲୀ : ଜାପାନର ୟାକାହାମା ବନ୍ଦରରେ ଥିବା କ୍ରୁଜ ଜାହାଜ ଡାଇମଣ୍ଡ ପ୍ରିନସେସରେ ଥିବା ଆଉଜଣେ ଭାରତୀୟ ଯାତ୍ରୀଙ୍କ ଶରୀରରେ କରୋନା ଭାଇରସ ଚିହ୍ନଟ ହୋଇଛି । ଏହାକୁ ମିଶାଇ ଏପର୍ଯ୍ୟନ୍ତ ମୋଟ ୮ ଜଣ ଭାରତୀୟଙ୍କ ଶରୀରରେ ଏହି ମାରାତ୍ମକ ଭୁତାଣୁ ଚିହ୍ନଟ ହୋଇଛି । ସଂକ୍ରମିତ ଲୋକମାନଙ୍କୁ ହସପିଟାଲରେ ରଖାଯାଇ ଚିକିତ୍ସା କରାଯାଉଛି । ସେମାନଙ୍କ ସ୍ୱାସ୍ଥ୍ୟାବସ୍ଥାରେ ଉନ୍ନତି ଦେଖାଦେଇଛି ବୋଲି ଜାପାନସ୍ଥିତ ଭାରତୀୟ ଦୂତାବାସ ପକ୍ଷରୁ ସୂଚନା ଦିଆଯାଇଛି ।

ଏହି ଜାହାଜରେ ଥିବା ମୋଟ ୩୭୦୦ ଯାତ୍ରୀଙ୍କ ମଧ୍ୟରୁ ୬୨୧ ଜଣଙ୍କଠାରେ କରୋନା ଭାଇରସ ସଂକ୍ରମଣ ଚିହ୍ନଟ ହୋଇଛି । ଏହି ଜାହାଜରେ ମୋଟ ୧୩୮ ଭାରତୀୟ ଥିବାବେଳେ ସେମାନଙ୍କ ମଧ୍ୟରୁ ଅଧିକାଂଶ ଜାହାଜର କର୍ମଚାରୀ ହୋଇଥିବାରୁ ସେମାନଙ୍କୁ ଆହୁରି ୧୪ ଦିନ ପର୍ଯ୍ୟନ୍ତ ପର୍ଯ୍ୟବେକ୍ଷଣରେ ରଖାଯିବ ବୋଲି ଭାରତୀୟ ବୈଦେଶିକ ମନ୍ତ୍ରାଳୟ ପକ୍ଷରୁ କୁହାଯାଇଛି ।

ଗତ ଶନିବାରଦିନ ଜାପାନ ସରକାର ଘୋଷଣା କରିଥିଲେ ଯେ ୧୭ ତାରିଖଠାରୁ ଯାତ୍ରୀମାନଙ୍କର ଚୂଡ଼ାନ୍ତ ରକ୍ତ ପରୀକ୍ଷା କରାଯିବ ଓ ସୁସ୍ଥ ବ୍ୟକ୍ତିମାନଙ୍କୁ ନିଜ ନିଜ ଦେଶକୁ ଯିବାକୁ ଅନୁମତି ଦିଆଯିବ । ଏହା ଅନୁଯାୟୀ ଗତକାଲି ଅର୍ଥାତ ବୁଧବାରଠାରୁ ସଂକ୍ରମିତ ହୋଇନଥିବା ଯାତ୍ରୀମାନଙ୍କୁ ଘରକୁ ଫେରିବାକୁ ଅନୁମତି ଦେଇଛନ୍ତି ଜାପାନ ସରକାର । ସୂଚନାଯୋଗ୍ୟ ଯେ, ପ୍ରାୟ ୧୭ ଦିନ ପୂର୍ବେ ଅର୍ଥାତ ଫେବ୍ରୁଆରି ୩ରେ ଏହି ବିଳାସମୟ ଜାହାଜଟି ଜାପାନର ୟାକାହାମା ଉପକୂଳରେ ଲାଗିଥିଲା ।

ସମ୍ବନ୍ଧିତ ଖବର