ଆଉ ୩ ଆତଙ୍କବାଦୀଙ୍କୁ ଗିରଫ କଲା ଏଟିଏସ, ଦୁଇ ଦିନରେ ୯ ଜଣଙ୍କୁ ଗିରଫ କଲାଣି ଏଟିଏସ

ଭାରତର ବିଭିନ୍ନ ଧାର୍ମିକ ସ୍ଥାନକୁ ଟାର୍ଗେଟ କରିବା ଥିଲା ଯୋଜନା

ନୂଆଦିଲ୍ଲୀ: ଉତ୍ତରପ୍ରଦେଶ ଏଟିଏସ୍ ଆଜି ତିନି ଜଣ ସନ୍ଦିଗ୍ଧ ଆତଙ୍କବାଦୀଙ୍କୁ ଗିରଫ କରିଛି। ଉତ୍ତରପ୍ରଦେଶ ପ୍ରତାପଗଡରୁ ମହମ୍ମଦ ଇମତିଆଜ, ରାଏବରେଲିରୁ ଜମିଲ ଖତରୀ ଏବଂ ପ୍ରୟାଗରାଜରୁ ମହମ୍ମଦ ତାହିରକୁ ଗିରଫ କରାଯାଇଛି। ଏହାପୂର୍ବରୁ ସେପ୍ଟେମ୍ବର ୧୪ ରେ ଅର୍ଥାତ ଗତକାଲି ୬ ଜଣଙ୍କୁ ଗିରଫ କରାଯାଇଥିଲା | ଏହି ୬ ଜଣଙ୍କୁ ଗିରଫ କରିବା ପରେ ଭାରତ ବିରୋଧରେ ଏକ ବଡ ଧରଣର ଷଡଯନ୍ତ୍ର ସାମ୍ନାକୁ ଆସିଥିଲା | ଏହି ସନ୍ଦିଗ୍ଧମାନଙ୍କଠାରୁ ବନ୍ଧୁକ ଓ ବିସ୍ଫୋରକ ସାମଗ୍ରୀ ଜବତ କରାଯାଇଥିଲା |

ଧରାପଡିଥିବା ଏହି ସନ୍ଦିଗ୍ଧମାନେ ହେଲେ ଜିସାନ, ଆମିର ଜାବେଦ, ଜାନ ମହମ୍ମଦ, ମୁଲଚନ୍ଦ ଓ ଅବୁ ବକର | ଏହି ୯ ଜଣଙ୍କୁ ଗିରଫ ପରେ ଉତ୍ତରପ୍ରଦେଶ ଏଟିଏସ ମୁଖ୍ୟ ଜିକେ ଗୋସ୍ୱାମୀ କହିଛନ୍ତି ଯେ ଭାରତର ବିଭିନ୍ନ ସହରର ଧାର୍ମିକ ସ୍ଥାନ, ସର୍ବସାଧାରଣ ସ୍ଥାନରେ ବୋମା ବିସ୍ଫୋରଣ କରିବା ଏମାନଙ୍କର ଉଦ୍ଦେଶ୍ୟ ଥିଲା | ସେହିପରି ଏହି ସନ୍ଦିଗ୍ଧ ଆତଙ୍କବାଦୀଙ୍କ ଟାର୍ଗେଟରେ ଉତ୍ତରପ୍ରଦେଶ ବିଧାନସଭା ନିର୍ବାଚନ ମଧ୍ୟ ଥିଲା, ଯେଉଁଥିରେ ବୋମା ବିସ୍ଫୋରଣ ପାଇଁ ପ୍ରସ୍ତୁତି କରାଯାଇଥିଲା।

ବଡ କଥା ଯେ ଉତ୍ତରପ୍ରଦେଶକୁ ଅନେକ ସମୟରେ ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀଙ୍କ ଭଳି ଭିଭିଆଇପି ଆସୁଥିବାବେଳେ ଏମାନଙ୍କୁ ଗିରଫ କରିବା ଏଟିଏସ ପାଇଁ ଏକ ବଡ ଚ୍ୟାଲେଞ୍ଜ ହୋଇଥିଲା | ସୂଚନା ଅନୁସାରେ ଏହି ସନ୍ଦିଗ୍ଧ ଯୁବକମାନେ ପାକିସ୍ତାନର ଖୁଫିଆ ଏଜେନ୍ସି ଆଇଏସଆଇ ସହ ଲିଙ୍କରେ ଥିଲେ । ଗୋସ୍ୱାମୀ କହିଛନ୍ତି ଯେ ରାଜ୍ୟରେ ଅଯୋଧ୍ୟା ପରି ଅନେକ ହଟସ୍ପଟ୍ ମଧ୍ୟ ରହିଛି। କେନ୍ଦ୍ରୀୟ ଏଜେନ୍ସି, ଦିଲ୍ଲୀ ପୁଲିସ୍ ସ୍ପେଶାଲ୍ ସେଲ୍ ଏବଂ ୟୁପି ଏଟିଏସର ମିଳିତ ଅପରେସନରେ ଏମାନଙ୍କୁ ଗିରଫ କରାଯାଇଛି |

ସମ୍ବନ୍ଧିତ ଖବର