ହୃଦୟ ବିଦାରକ ! ଘରୁ ମିଳିଲା ୯ଟି ମୃତଦେହ, ଆତ୍ମହତ୍ୟା ସଂଦେହ

ମୁମ୍ବାଇ : ମହାରାଷ୍ଟ୍ରର ସାଙ୍ଗଲି ଜିଲ୍ଲାରେ ଆଜି ଏକ ଅତ୍ୟନ୍ତ ହୃଦୟ ବିଦାରକ ଘଟଣା ଘଟିଛି । ଏକ ଯୌଥ ପରିବାରର ୯ ଜଣଙ୍କ ମୃତଦେହ ସେମାନଙ୍କ ଘରୁ ମିଳିଛି । ସେମାନେ ବିଷ ପିଇ ଆତ୍ମହତ୍ୟା କରିଥିବା ସଂଦେହ କରାଯାଉଛି ।

ପୁଲିସ ସୁତ୍ରରୁ ମିଳିଥିବା ସୂଚନା ଅନୁସାରେ ପୁଣେଠାରୁ ୨୦୦ କିଲୋମିଟର ଦୂର ସାଙ୍ଗଲି ଜିଲ୍ଲା ମିରାଜ ତାଲୁକା ଅନ୍ତର୍ଗତ ମାହିସାଲଠାରେ ଏହି ଘଟଣା ଘଟିଛି । ସାଙ୍ଗଲି ଏସପି ଦିକ୍ଷିତ ଗେଦାମ କହିଛନ୍ତି ଯେ ଘରର ଦୁଇଟି କୋଠରୀରେ ୯ଜଣଙ୍କ ମୃତ ଦେହ ମିଳିଛି । ସେମାନଙ୍କ ମଧ୍ୟରୁ ଜଣେ ନାବାଳକ ଓ ଜଣେ ବରିଷ୍ଠ ନାଗରିକ ଅଛନ୍ତି । ଏହି ୯ ଜଣଙ୍କ ମଧ୍ୟରେ ୪ ଜଣ ମହିଳା ମଧ୍ୟ ଅଛନ୍ତି । ସେମାନେ ବିଷାକ୍ତ ଔଷଧ ସେବନ କରି ଆତ୍ମହତ୍ୟା କରିଥିବା ସଂଦେହ କରାଯାଉଛି । କିନ୍ତୁ ପ୍ରକୃତ କଥା ତଦନ୍ତ ପରେ ଜଣାପଡ଼ିବ ବୋଲି ସେ କହିଛନ୍ତି ।

ମିଳିଥିବା ସୂଚନା ଅନୁସାରେ ଉକ୍ତ ଯୌଥ ପରିବାରରେ ଦୁଇଜଣ ଡାକ୍ତର ଥିବା କୁହାଯାଉଛି । ପ୍ରବଳ ଋଣଭାରରେ ବୁଡ଼ି ରହିବା ଯୋଗୁଁ ସେମାନେ ଆତ୍ମହତ୍ୟା କରିଥିବା ସଂଦେହ କରାଯାଉଛି ।

ସ୍ଥାନୀୟ ପୁଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଗୁଡ଼ିକୁ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି । ଏହା ସହିତ ପୁଲିସ ଘଟଣାର ତଦନ୍ତ ଆରମ୍ଭ କରିଛି ।

 

ସମ୍ବନ୍ଧିତ ଖବର