ଭାରତରୁ ଆକାଶ ମିସାଇଲ ଖରିଦ ପାଇଁ ଫିଲିପାଇନ୍ସ, ଭିଏତନାମ, ୟୁଏଇ ସମେତ ୯ ଦେଶଙ୍କ ଆଗ୍ରହ

ନୂଆଦିଲ୍ଲୀ : ଭାରତର ଆକାଶ ମିସାଇଲ ସିଷ୍ଟମ କିଣିବା ପାଇଁ ପ୍ରାୟ ୯ଟି ବନ୍ଧୁ ରାଷ୍ଟ୍ର ଆଗ୍ରହ ପ୍ରକାଶ କରିଛନ୍ତି । ଏସବୁ ରାଷ୍ଟ୍ରମାନେ ମୁଖ୍ୟତଃ ଦକ୍ଷିଣ-ପୂର୍ବ ଏସିଆ, ମଧ୍ୟ ଏସିଆ ଓ ଆଫ୍ରିକାର ଦେଶ ବୋଲି ସରକାରୀ ସୁତ୍ରରୁ ଜଣାପଡ଼ିଛି ।

ଦକ୍ଷିଣ-ପୂର୍ବ ଏସିଆର ଫିଲିପାଇନ୍ସ ଓ ଭିଏତନାମ ଓ ମଧ୍ୟ ଏସିଆର ୟୁଏଇ ଆକାଶ ମିସାଇଲ ଖରିଦ ପାଇଁ ଆଗ୍ରହ ପ୍ରକାଶ କରିଛନ୍ତି । ଉଭୟ ଫିଲିପାଇନ୍ସ ଓ ଭିଏତନାମ ଚୀନ ପଟୁ ବିପଦ ଆଶଙ୍କା କରୁଛନ୍ତି । ଆକାଶ ମିସାଇଲ ସିଷ୍ଟମ ଚୀନର ବିମାନଗୁଡ଼ିକୁ ଖସାଇବାରେ ସକ୍ଷମ ହେବ ବୋଲି ମନେ କରାଯାଉଛି ।

ଆକାଶ ମିସାଇଲ ସିଷ୍ଟମ ରପ୍ତାନି ପାଇଁ ଗତ କାଲି କେନ୍ଦ୍ର କ୍ୟାବିନେଟ ମଂଜୁରୀ ଦେଇଥିଲା । ଅନ୍ୟ ବିଦେଶୀ ବାୟୁ ପ୍ରତିରକ୍ଷା ବ୍ୟବସ୍ଥା ତୁଳନାରେ ଭାରତର ଏହି ମିସାଇଲ ସିଷ୍ଟମ ବେଶ ଶସ୍ତା ଓ ପ୍ରଭାବଶାଳୀ ହୋଇଥିବାରୁ, ତାହା ବିଶ୍ୱର ବିଭିନ୍ନ ଦେଶଙ୍କ ଦୃଷ୍ଟି ଆକର୍ଷଣ କରିଛି ।
ଏହି ମିସାଇଲ ସିଷ୍ଟମ ୨୦୧୪ରେ ଭାରତୀୟ ବାୟୁସେନା ଓ ୨୦୧୫ରେ ଭାରତୀୟ ସେନାରେ ସାମିଲ ହୋଇସାରିଛି । ଏହି ମିସାଇଲ ସିଷ୍ଟମର ପ୍ରାୟ ୯୬ ପ୍ରତିଶତ ସାମଗ୍ରୀ ସମ୍ପୂର୍ଣ୍ଣ ସ୍ବଦେଶୀ ଜ୍ଞାନକୌଶଳରେ ନିର୍ମିତ । ଏହା ୨୫ କିଲୋମିଟର ଉଚ୍ଚରେ ଉଡ଼ୁଥିବା ଶତ୍ରୁପକ୍ଷର ବିମାନ, ଡ୍ରୋନ ଆଦିକୁ ଧ୍ବଂସ କରିପାରିବ ।

କେବଳ ଆକାଶ ମିସାଇଲ ନୁହେଁ, ଭାରତ ନିର୍ମିତ ଆଉ କେତେକ ସାମଗ୍ରୀ ଯଥା ରାଡାର, କୋଷ୍ଟାର ସର୍ଭିଲାନ୍ସ ସିଷ୍ଟମ ଖରିଦ ପାଇଁ ବିଭିନ୍ନ ଦେଶ ଆଗ୍ରହ ପ୍ରକାଶ କରିଛନ୍ତି ।

ସମ୍ବନ୍ଧିତ ଖବର