ଜୁନ୍‌ ସୁଦ୍ଧା ୯ କୋଟି ଟିକା

ନୂଆଦିଲ୍ଲୀ : ଚଳିତମାସ ଶେଷ ସୁଦ୍ଧା ଦେଶରେ ୮ କୋଟି କୋଭିଡ୍‌ ଟିକା ପ୍ରସ୍ତୁତ ହେବା ସହ ଆସନ୍ତା ଜୁନ୍‌ ମାସରେ ୯ କୋଟି ଟିକା ମିଳିପାରିବ ବୋଲି କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ ଡା. ହର୍ଷବର୍ଦ୍ଧନ କହିଛନ୍ତି।

ଦେଶର ଦୁଇ ପ୍ରମୁଖ ଟିକାନିର୍ମାତା ପୁଣେସ୍ଥିତ ସିରମ୍‌ ଇନ୍‌ଷ୍ଟିଚ୍ୟୁଟ୍‌(କୋଭିସିଲ୍‌ଡ ଟିକା) ଓ ହାଇଦ୍ରାବାଦସ୍ଥିତ ଭାରତ ବାୟୋଟେକ୍‌(କୋଭାକ୍ସିନ୍‌ ଟିକା) ସେମାନଙ୍କର ଟିକା ପ୍ରସ୍ତୁତି କ୍ଷମତା ବଢ଼ାଇଛନ୍ତି। ଉଭୟ କମ୍ପାନି ସରକାରଙ୍କ ପାଖରେ ଦାଖଲ କରିଥିବା ସେମାନଙ୍କର ମାସିକ ଟିକା ପ୍ରସ୍ତୁତି ଯୋଜନାକୁ ତର୍ଜମା କରି ସ୍ବାସ୍ଥ୍ୟମନ୍ତ୍ରୀ ହର୍ଷବର୍ଦ୍ଧନ ୯ କୋଟି ଟିକାର ଉପଲବ୍ଧତା ନେଇ ପୂର୍ବାନୁମାନ କରିଛନ୍ତି। ଭାରତ ବାୟୋଟେକ୍‌ ଜୁଲାଇ ବେଳକୁ କୋଭାକ୍ସିନ୍‌ର ୩.୩୨ କୋଟି ମାତ୍ରା ଓ ଜୁଲାଇରେ ୭.୮୨ କୋଟି ମାତ୍ରା ପ୍ରସ୍ତୁତ କରିବାକୁ ଧାର୍ଯ୍ୟ ଲକ୍ଷ୍ୟରଖିଛି। ଉକ୍ତ କମ୍ପାନି ହାଇଦ୍ରାବାଦସ୍ଥିତ ନିଜ କାରଖାନାରେ ଟିକା ପ୍ରସ୍ତୁତି ଜାରି ରଖିବା ସହ ଦେଶର ଅନ୍ୟ ୪ଟି ସରକାରୀ ଭେଷଜ କମ୍ପାନି ମାଧ୍ୟମରେ ମଧ୍ୟ ଟିକା ପ୍ରସ୍ତୁତି କରିବ ବୋଲି ଜଣାଯାଇଛି। ସେହିପରି ସିରମ୍‌ ଇନ୍‌ଷ୍ଟିଚ୍ୟୁଟ୍‌ ମଧ୍ୟ ଅଗଷ୍ଟ ବେଳକୁ ୧୦ କୋଟି ଯାଏ କୋଭିସିଲ୍‌ଡ ଟିକା ପ୍ରସ୍ତୁତ କରିବାକୁ ଯୋଜନା କରିଛି। ଟିକାକରଣରେ ପଛରେ ପଡ଼ିଥିବା ଦେଶର ୭ଟି ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳ ସହ ବୁଧବାର ଆଲୋଚନା ବେଳେ ଡା. ହର୍ଷବର୍ଦ୍ଧନ ଏହି ସୂଚନା ଦେଇଛନ୍ତି।

ସମ୍ବନ୍ଧିତ ଖବର