ତେଲେଙ୍ଗାନାର ଜଳବିଦ୍ୟୁତ୍‌ କେନ୍ଦ୍ରରେ ନିଆଁ, ୫ ଇଞ୍ଜିନିଅର ସମେତ ୯ ମୃତ

ହାଇଦ୍ରାବାଦ : ତେଲେଙ୍ଗାନାର ଶ୍ରୀଶୈଳମ୍‌ ଜଳବିଦ୍ୟୁତ୍‌ କେନ୍ଦ୍ରରେ ଗୁରୁବାର ବିଳମ୍ବିତ ରାତିରେ ଅଗ୍ନିକାଣ୍ଡ ଘଟି ୫ ଇଞ୍ଜିନିୟର ସମେତ ୯ ଜଣଙ୍କର ମୃତ୍ୟୁ ହୋଇଛି। ଏହି ଶକ୍ତି ଉତ୍ପାଦନ କେନ୍ଦ୍ର ଭିତରେ ବିଦ୍ୟୁତ୍‌ ସର୍ଟ ସର୍କିଟ୍‌ରୁ ଅଗ୍ନିକାଣ୍ଡର ସୂତ୍ରପାତ ହେବା ସହ ପ୍ରକଳ୍ପର ଚାରିଆଡ଼କୁ ନିଆଁ ଓ ଧୂଆଁ ବ୍ୟାପିଯାଇଥିଲା। ଖବର ପାଇ ଉଦ୍ଧାରକାରୀ ଦଳ ଘଟଣାସ୍ଥଳରେ ପହଞ୍ଚି ୯ଟି ଯାକ ମୃତଦେହ ଉଦ୍ଧାର କରିଛନ୍ତି। ସେମାନଙ୍କ ଭିତରେ ତିନି ଜଣ ସହକାରୀ ଯନ୍ତ୍ରୀ ସୁନ୍ଦର ନାଏକ, ମୋହନ କୁମାର ଓ ଫତିମା ଅଛନ୍ତି। ତେବେ ଅନ୍ୟ ମୃତକମାନଙ୍କ ପରିଚୟ ଏପର୍ଯ୍ୟନ୍ତ ମିଳିପାରିନାହିଁ। ସୂଚନାନୁଯାୟୀ, ଗତକାଲି ରାତିରେ ଉକ୍ତ ବିଦ୍ୟୁତ ଉତ୍ପାଦନ କେନ୍ଦ୍ର ଭିତରେ ୩୦ ଜଣ କର୍ମଚାରୀ କାର୍ଯ୍ୟରତ ଥିବା ବେଳେ କୌଣସି କାରଣରୁ ବିଦ୍ୟୁତ୍‌ ପ୍ୟାନେଲ୍‌ରେ ସର୍ଟସର୍କିଟ୍‌ ହୋଇ ଅଗ୍ନିକାଣ୍ଡ ଘଟିଥିଲା। ସେମାନଙ୍କ ଭିତରୁ ୬ ଜଣଙ୍କୁ ସୁରକ୍ଷା କର୍ମୀମାନେ ଟନେଲ୍‌ ବାହାରକୁ ଆଣିପାରିଥିବା ବେଳେ ଅନ୍ୟ ୧୫ ଜଣ କୌଣସିମତେ ଜରୁରୀକାଳୀନ ପ୍ରସ୍ଥାନପଥ ଦେଇ ବାହାରକୁ ଆସିପାରିଥିଲେ। ତେବେ ଭିତରେ ଘନଧୂଆଁର ଆସ୍ତରଣ ଛାଇଯାଇଥିବାରୁ ନଅ ଜଣ ଭିତରେ ଫସି ରହିଥିଲେ। ଏପରିକି ଉଦ୍ଧାରକାରୀ ଦଳ ମଧ୍ୟ ଭିତରକୁ ପଶି ପାରିନଥିଲେ। ଶେଷରେ ପ୍ରକଳ୍ପ ଭିତରେ ଭୀଷଣ ଧୂଆଁରେ ରୁନ୍ଧି ହୋଇ ଅବଶିଷ୍ଟ କର୍ମଚାରୀମାନେ ବାହାରକୁ ବାହାରି ନପାରି ଘଟଣାସ୍ଥଳରେ ହିଁ ଆଖି ବୁଜିଥିଲେ।

ଏହି ଘଟଣାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଗଭୀର ଶୋକ ବ୍ୟକ୍ତ କରିଛନ୍ତି। ପ୍ରଧାନମନ୍ତ୍ରୀ ମୃତକମାନଙ୍କ ପରିବାରବର୍ଗକୁ ଗଭୀର ସମବେଦନା ଜଣାଇବା ସହିତ ଆହତମାନଙ୍କ ଆଶୁ ଆରୋଗ୍ୟ କାମନା କରିଛନ୍ତି। ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ କେ ଚନ୍ଦ୍ରଶେଖର ରାଓ ଘଟଣାସ୍ଥଳକୁ ସିଆଇଡି ଡିଜିଙ୍କୁ ତଦନ୍ତ ପାଇଁ ପଠାଇଛନ୍ତି।

ସମ୍ବନ୍ଧିତ ଖବର