ଦୁଇ ରାଜ୍ୟରେ ବନ୍ୟା ସ୍ଥିତି ଗମ୍ଭୀର , ଉଦ୍ଧାରକାରୀ ବୋଟ୍‌ ବୁଡ଼ି ୯ ମୃତ

ନୂଆଦିଲ୍ଲୀ : ମହାରାଷ୍ଟ୍ର ଏବଂ କର୍ଣ୍ଣାଟକରେ ଏବେ ବନ୍ୟା ଅତି ଭୟଙ୍କର ସ୍ଥିତି ସୃଷ୍ଟି କରିଛି। ମହାରାଷ୍ଟ୍ରରେ ସାଙ୍ଗ୍‌ଲି ଜିଲ୍ଲାରେ ଉଦ୍ଧାର କାର୍ଯ୍ୟ ପାଇଁ ନିୟୋଜିତ ହୋଇଥିବା ଏକ ଉଦ୍ଧାରକାରୀ ଡଙ୍ଗା ବୁଡ଼ିଯାଇ ଆଜି ୯ ଜଣଙ୍କ ମୃତ୍ୟୁ ହୋଇଛି ଏବଂ ଆହୁରି ୫ ଜଣ ନିଖୋଜ ଅଛନ୍ତି। ରାଜ୍ୟରେ ଏବେ ମୃତ୍ୟୁସଂଖ୍ୟା ୨୫ରେ ପହଞ୍ଚିଛି। ସେପଟେ କର୍ଣ୍ଣାଟକରେ ବି ସ୍ଥିତି ଜଟିଳ ହୋଇପଡ଼ିଛି। ବନ୍ୟା ଯୋଗୁଁ କର୍ଣ୍ଣାଟକରେ ୯ ଜଣଙ୍କ ମୃତ୍ୟୁ ହୋଇଛି। ସବୁଠୁ ବେଶୀ କ୍ଷତିଗ୍ରସ୍ତ ହୋଇଛି ବେଲଗଭି ଜିଲ୍ଲା। ବେଲଗଭିରେ ବର୍ଷା‌ଜନିତ ବିଭିନ୍ନ କାରଣ ପାଇଁ ୬ ଜଣଙ୍କ ମୃତ୍ୟୁ ହୋଇଛି। କର୍ଣ୍ଣାଟକରେ ୪୩,୦୦୦ ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯାଇଛି। ମହାରାଷ୍ଟ୍ରରେ ସାଙ୍ଗ୍‌ଲି, କୋହ୍ଲାପୁର, ପୁନେରେ ସ୍ଥିତି ସଂଗୀନ ହୋଇପଡ଼ିଛି। ଉଦ୍ଧାର କାର୍ଯ୍ୟରେ ନିୟୋଜିତ ହୋଇଛନ୍ତି ସ୍ଥଳ ସେନା, ନୌସେନା ଏବଂ ଏନ୍‌ଡିଆରଏଫ୍‌। ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡ଼ନାବିସ ଆଜି ମୁମ୍ବାଇରେ ବନ୍ୟା ସ୍ଥିତି ସମୀକ୍ଷା କରିଛନ୍ତି। ରାଜ୍ୟରେ ୩୪୨ଟି ବ୍ରିଜ୍‌ ଜଳମଗ୍ନ ହୋଇଯା‌ଇଛି । ଏଯାବତ୍‌ ୫୬ଟି ରାସ୍ତା ବନ୍ଦ ରହିଛି। କୋହ୍ଲାପୁର୍‌ରେ ସମସ୍ତ ସ୍କୁଲ୍‌ ଓ କଲେଜ୍‌ ବନ୍ଦ ରହିଛି। ମୁମ୍ବାଇ-ପୁନେ ଡିଭିଜନ୍‌ରେ ପ୍ରାୟ ୧୯ଟି ଟ୍ରେନ୍‌ ବାତିଲ କରାଯା‌ଇଛି। ସେ‌ପଟେ ବନ୍ୟା ଯୋଗୁଁ କର୍ଣ୍ଣାଟକରେ ପ୍ରବଳ କ୍ଷୟକ୍ଷତି ହୋଇଥିବାରୁ କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ବି ଏସ୍‌ ୟେଦୁରପ୍ପା ରାଜ୍ୟରେ ଉଦ୍ଧାର ଏବଂ ଥଇଥାନ କାର୍ଯ୍ୟ ପାଇଁ ୫, ୦୦୦ କୋଟି ଟଙ୍କା ସହାୟତା ପ୍ରଦାନ ଦାବି କରିଛନ୍ତି।

ସେହିପରି ଅନ୍ୟ କେତେକ ରାଜ୍ୟଗୁଡ଼ିକରେ ବି ଲଗାଣ ବର୍ଷା ବନ୍ୟା ସ୍ଥିତି ସୃଷ୍ଟି କରିଛି। କେରଳରେ ଲଗାଣ ବର୍ଷା ଏବେ ନାହିଁ ନଥିବା ଅସୁବିଧା ସୃଷ୍ଟି କରିଛି। କେରଳର କୋଝିକୋଡ୍‌, ଇଡ଼ୁକ୍କି ଏବଂ ମଲାପ୍ପୁରମ୍‌ରେ ରେଡ୍‌ ଆଲର୍ଟ ଜାରି ହୋଇଛି। ଥ୍ରିସୁର, ପଲକ୍କଡ଼, ୱାୟନାଡ଼, କନ୍ନୁର , କସରଗଡ଼ ପାଇଁ ୟେଲୋ ଆଲର୍ଟ ଜାରି ହୋଇଛି। ଉତ୍ତରପ୍ରଦେଶରେ ବଜ୍ରପାତରେ ୩ ଜଣଙ୍କ ମୃତ୍ୟୁ ‌ହୋଇଛି। ରାଜସ୍ଥାନର କୋଟା ଏବଂ ବୁଣ୍ଡିରେ ପ୍ରବଳ ବର୍ଷ‌ା ‌ହୋଇଛି। ଏଠାରେ ପ୍ରବଳ ବର୍ଷା ଯୋଗୁଁ ଜ‌ଣେ ଭାସି ଯାଇଥିବା ଜଣାପଡ଼ିଛି। ସେହିପରି ଆନ୍ଧ୍ର ଏବଂ ଛତିଶଗଡ଼‌ରେ ମଧ୍ୟ ପ୍ରବଳରୁ ଅତି ପ୍ରବଳ ବର୍ଷା ଲାଗି ରହିଛି।

ସମ୍ବନ୍ଧିତ ଖବର