କେରଳରେ ‘ନିପା’ ଭାଇରସ୍‌ ବ୍ୟାପୀ ୯ ମୃତ

ନୂଆଦିଲ୍ଲୀ: କେରଳର କାଲିକଟ୍‌ ଜିଲ୍ଲାରେ ଖଇଫୁଟା ଜର ଆସି ଅନ୍ୟୂନ ୯ ଜଣ ଲୋକଙ୍କର ମୃତ୍ୟୁ ଘଟିଛି। ମୃତ ଲୋକମାନଙ୍କ ମଧ୍ୟରୁ ୨ ଜଣଙ୍କର ମୃତ୍ୟୁର କାରଣ ‘ନିପା’ ଭାଇରସ୍‌ ବୋଲି ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ କହିଛି।

କୋଝିକୋଡ଼ ଠାରେ ସ୍ୱାସ୍ଥ୍ୟ ବିଭାଗ ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ସହ ଜରୁରୀ ବୈଠକ ଡକାଉଛି। ଜିଲ୍ଲାପାଳ ୟୁ ଭି ଜୋସ୍‌ଙ୍କ ତତ୍ତ୍ୱାବଧାନରେ ଏକ ଟାସ୍କଫୋର୍ସ ମଧ୍ୟ ଗଠନ କରାଯାଇଛି।

‘ନିପା’ ଭାଇରସ୍‌ରେ ଆକ୍ରାନ୍ତଙ୍କ ନିବିଡ଼ ସଂସ୍ପର୍ଶରେ ଆସୁଥିବା ବ୍ୟକ୍ତିମାନଙ୍କ ଉପରେ ସ୍ୱାସ୍ଥ୍ୟ ବିଭାଗ ନିଘା ରଖିଛି।

ବାକି ସାତ ଜଣ ଠାରୁ ନମୁନା ସଂଗ୍ରହ କରି ମୃତ୍ୟୁର କାରଣ ଜାଣିବାକୁ ପରୀକ୍ଷା ପାଇଁ ପଠାଯାଇଛି।

ଏହି ଭୂତାଣୁ ବା ଭାଇରସ୍‌ର ବାହକ ଫଳଭୋଜୀ ବାଦୁଡ଼ି ବୋଲି ଜଣାପଡ଼ିଛି। କାଶବେଳେ ବାହାରୁଥିବା ଜଳକଣିକା, ଶରୀରରୁ ନିର୍ଗତ ତରଳ ପଦାର୍ଥ, ଲାଳ ଆଦି ଦ୍ୱାରା ଏହା ମଣିଷମାନଙ୍କ ମଧ୍ୟରେ ବ୍ୟାପୀ ଥାଏ।

ରବିବାର ସକାଳେ କୋଝିକୋଡ଼ର ଗୋଟିଏ ପରିବାରରେ ତିନି ଜଣ ‘ନିପା’ ଭାଇରସ୍‌ ଯୋଗୁଁ ମରିଥିବା କୁହାଯାଇଥିଲା। ସେମାନଙ୍କ ସଂସ୍ପର୍ଶରେ ଆସିଛନ୍ତି ବୋଲି କୁହାଯାଉଥିବା ଅନ୍ୟ ଦୁଇ ଜଣ ସାଙ୍ଘାତିକ ଅବସ୍ଥାରେ ଅଛନ୍ତି। ମୃତ୍ୟୁ ପରେ ପରେ କେରଳ ସ୍ୱାସ୍ଥ୍ୟ ବିଭାଗ ହାଇ ଆଲର୍ଟ ଜାରି କରିଛି।

ସମ୍ବନ୍ଧିତ ଖବର