ନୂଆଦିଲ୍ଲୀ: ଶନିବାର ସନ୍ଧ୍ୟାରେ ଉତ୍ତରପଶ୍ଚିମ ଦିଲ୍ଲୀର ଜାହାଙ୍ଗୀରପୁରୀ ଅଞ୍ଚଳରେ ହନୁମାନ ଜୟନ୍ତୀ ଶୋଭାଯାତ୍ରା ବେଳେ ଘଟିଥିବା ସଂଘର୍ଷରେ ୯ଜଣ ଆହତ ହୋଇଛନ୍ତି ଓ ସଂଘର୍ଷରେ ଲିପ୍ତ ଥିବା ଆଉ ୯ଜଣଙ୍କୁ ଗିରଫ କରାଯାଇଛି। ସଂଘର୍ଷରେ ସମ୍ପୃକ୍ତ ଥିବା ସନ୍ଦେହରେ ୧୫ଜଣଙ୍କୁ ଅଟକ ରଖାଯାଇଥିଲା।

Advertisment

ସଦ୍ୟତମ ସୂଚନା ଅନୁସାରେ, ୮ଜଣ ପୁଲିସ ଓ ଜଣେ ସାଧାରଣ ନାଗରିକଙ୍କ ସମେତ ଉକ୍ତ ସଂଘର୍ଷରେ ସମୁଦାୟ ୯ଜଣ ଆହତ ହୋଇଛନ୍ତି। ଚିକିତ୍ସା ନିମନ୍ତେ ଆହତମାନଙ୍କୁ ବାବୁ ଜଗଜୀବନ ରାମ ମେମୋରିଆଲ୍‌ ହସ୍ପିଟାଲ୍‌ରେ ଭର୍ତ୍ତି କରାଯାଇଛି।

ପୁଲିସ ‘ଏଫ୍‌ଆଇଆର୍‌’ ଫାଇଲ୍‌ କରି ୧୫ଜଣ ସନ୍ଦିଗ୍ଧଙ୍କୁ ଅଟକ ରଖିଛି ବୋଲି ଦିଲ୍ଲୀ ପୁଲିସ କମିସନର୍‌ ସୂଚନା ଦେଇଛନ୍ତି। ସେ କହିଛନ୍ତି ଯେ, ସ୍ଥାନୀୟ ପୁଲିସ ଘଟଣାର ତଦନ୍ତ କରିବ।

publive-image Image Courtesy of Oneindia

ସଂଘର୍ଷରେ ସମ୍ପୃକ୍ତ ଥିବା ମୁଖ୍ୟ ଅପରାଧୀମାନଙ୍କୁ ଚିହ୍ନିବା ଲାଗି ଦିଲ୍ଲୀ ପୁଲିସ ‘ସିସିଟିଭି’ ଫୁଟେଜ୍‌ ଯାଞ୍ଚ କରୁଛି। ଘର ଛାତ ଉପରେ ଟେକାପଥର ଗଚ୍ଛିତ କରି ରଖାଯାଇଥିଲା କି, ନାହିଁ ଜାଣିବା ମଧ୍ୟ ପୁଲିସ ‘ଡୋନ୍‌ ଫୁଟେଜ୍‌’ ଦେଖୁଛି। ସଂଘର୍ଷ ବେଳର ଏକ ନୂଆ ଭିଡିଓରେ ଦେଖାଯାଉଛି ଲୋକେ ଦିଲ୍ଲୀ ପୁଲିସ ଆଗରେ ଖଣ୍ଡା ବୁଲାଉଛନ୍ତି।

ଆଜି ସକାଳେ ମଧ୍ୟ ଦିଲ୍ଲୀର ଜାହାଙ୍ଗୀରପୁରୀ ଅଞ୍ଚଳରେ ନିରାପତ୍ତା ବ୍ୟବସ୍ଥା ପୂର୍ବପରି କଠୋର ଅଛି। ପରିସ୍ଥିତି ସଂକ୍ରାନ୍ତରେ ଦିଲ୍ଲୀ ପୁଲିସ କେନ୍ଦ୍ର ଗୃହ ମନ୍ତ୍ରାଳୟର ଶୀର୍ଷସ୍ତରୀୟ ଅଧିକାରୀମାନଙ୍କୁ ଅବଗତ କରାଇଛନ୍ତି। ଶନିବାର ଦିନ ହିଂସାକାଣ୍ଡ ପରେ ପରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ପୁଲିସ କମିସନର୍‌ ଏବଂ ସ୍ବତନ୍ତ୍ର କମିସନର୍‌ଙ୍କ (ଆଇନଶୃଙ୍ଖଳା) ସହିତ କଥାବାର୍ତ୍ତା କରି ବିହିତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଲାଗି ନିର୍ଦେଶ ଦେଇଥିଲେ।

ଟୁଇଟ୍‌ କରି ଦିଲ୍ଲୀର ମୁଖ୍ୟମନ୍ତ୍ରୀ ଲେଖିଛନ୍ତି, ଦିଲ୍ଲୀ ଜାହାଙ୍ଗୀରପୁରୀ‌ର ଶୋଭାଯାତ୍ରା ଉପରକୁ ଟେକାପଥର ଫିଙ୍ଗିବା ଘଟଣା ଅତ୍ୟନ୍ତ ନିନ୍ଦନୀୟ। ଦୋଷୀମାନଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ନିଆଯିବା ଉଚିତ। ସମସ୍ତଙ୍କୁ ନିବେଦନ, ଏକ ଆରେକର ହାତ ଧରି ଶାନ୍ତି ବଜାୟ ରଖନ୍ତୁ।