ପିଥୋରାଗଡ଼: ଆଜି ଉତ୍ତରାଖଣ୍ଡର ପିଥୋରାଗଡ଼ ନିକଟରେ ଦେବଦର୍ଶନ ଲାଗି ଶ୍ରଦ୍ଧାଳୁଙ୍କୁ ଧରି ଯାଉଥିବା ଜିପ୍ ଗଭୀର ଖାଇକୁ ଖସି ନଦୀରେ ପଡ଼ିଯିବାରୁ ୯ଜଣଙ୍କର ମୃତ୍ୟୁ ଘଟିଛି।
ସଂଗୃହୀତ ସୂଚନ ଅନୁସାରେ, ଉକ୍ତ ଜିପ୍ଟି ବାଗେଶ୍ବର ଅନ୍ତର୍ଗତ ସାମାରୁ ପିଥୋରାଗଡ଼ର ମୁନ୍ସିୟାରି ବ୍ଲକ୍ରେ ଥିବା ହୋକ୍ରା ମନ୍ଦିରକୁ ଯାଉଥିଲା। ଏଥିରେ ସମୁଦାୟ ୧୦ଜଣ ଯାତ୍ରୀ ଥିଲେ ବୋଲି ପ୍ରାଥମିକ ରିପୋର୍ଟରୁ ଜଣାପଡ଼ିଛି।
ସେ ସଡ଼କ ପଥରେ ଗାଡ଼ି ଚଳାଇ ଯାଉଥିବା ଅନ୍ୟ ଡ୍ରାଇଭର୍ମାନେ ଏହି ଦୁର୍ଘଟଣା ବିଷୟରେ ପୁଲସିକୁ ସୂଚନା ଦେଇଥିଲେ। ସମ୍ପ୍ରତି ନାଚନି ଥାନା ପୁଲିସ ଟିମ୍, ତେଜମ୍ର ରାଜସ୍ବ ଓ ପ୍ରାକୃତିକ ବିପର୍ଯ୍ୟୟ ରିଲିଫ୍ ଓ ଉଦ୍ଧାରକାରୀ ଟିମ୍ ଘଟଣାସ୍ଥଳକୁ ଯାଇଛନ୍ତି। ଦୁର୍ଘଟଣାସ୍ଥଳଟି ନଗରାଞ୍ଚଳଠାରୁ ଖୁବ୍ ଦୂର। ଜିପ୍ଟି ସଡ଼କରୁ ୬୦୦ ମିଟର୍ ତଳେ ଥିବା ଖାଇରେ ପ୍ରବାହିତ ରାମଗଙ୍ଗା ନଦୀକୁ ଖସିପଡ଼ିଥିଲା।
ଖୋୟାମ୍ ଗ୍ରାମର ମୁଖ୍ୟ ହୀରା ସିଂହ ମେହେଟ୍ଟା କହିଛନ୍ତି, ଗତରାତି ସାରା ବର୍ଷା ହୋଇଥିଲା। ଫଳରେ ଡ୍ରେନ୍ ଉଛୁଳି ରାସ୍ତା ବୁଡ଼ିଯାଇଥିଲା। ଦୁର୍ଘଟଣା ଘଟିଥିବା ଉକ୍ତ ସ୍ଥାନରେ ଆଗରୁ ବି ଦୁର୍ଘଟଣା ଘଟିଛି। ଗ୍ରାମବାସୀମାନେ ଉଦ୍ଧାର କାର୍ଯ୍ୟରେ ଲାଗିଛନ୍ତି।
ସ୍ଥାନୀୟ ବିଧାୟକ ହରିଶ ଧାମୀ ଜିଲ୍ଲା ମାଜିଷ୍ଟ୍ରେଟ୍ଙ୍କ ସମେତ ପଦସ୍ଥ ସରକାରୀ ଅଧିକାରୀମାନଙ୍କ ସହିତ ଦୁର୍ଘଟଣା ବିଷୟରେ ଆଲୋଚନା କରିଛନ୍ତି। ତୁରନ୍ତ ହୋକ୍ରାରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ତ୍ବରାନ୍ବିତ କରିବା ଲାଗି ସେ କହିଛନ୍ତି। ମୁଖ୍ୟମନ୍ତ୍ରୀଙ୍କ ସହିତ କଥାବାର୍ତ୍ତା କରି ସେ ମୃତୁବ୍ୟକ୍ତିଙ୍କ ପରିବାରବର୍ଗଙ୍କ ପାଇଁ କ୍ଷତିପୂରଣ ବ୍ୟବସ୍ଥା କରିବେ ବୋଲି ପ୍ରତିଶ୍ରୁତି ଦେବା ସହ ଏହି ଭୟାବହ ଦୁର୍ଘଟଣା ପାଇଁ ଗଭୀର ଦୁଃଖ ବ୍ୟକ୍ତ କରିଛନ୍ତି।