ନୂଆବର୍ଷ ପାଳନ ହେଲା କାଳ: ଦଳାଚକଟା ପାଇଁ ଗଲା ୯ଜଣଙ୍କ ଜୀବନ

ନୂଆଦିଲ୍ଲୀ: ନୂଆବର୍ଷ ପାଳନ ହେଲା କାଳ। ରାତି ୧୨ଟାରେ ଆତସବାଜି ପ୍ରଦର୍ଶନ ଦେଖିବା ପାଇଁ ଦଳାଜକଟା ହେବାରୁ ଚାଲିଗଲା ୯ଜଣଙ୍କ ଜୀବନ। ଶନିବାର ଦିନ ଉଗାଣ୍ଡାର ଏକ ସପିଂ ମଲରେ ଦଳାଚକଟା ପାଇଁ ଅତି କମରେ ୯ଜଣଙ୍କର ମୃତ୍ୟୁ ଘଟିଛି। ନୂଆ ବର୍ଷ ପାଳନ ପାଇଁ ଉଗାଣ୍ଡାର କମ୍ପାଲାରେ ଥିବା ଫ୍ରିଡମ୍ ସିଟି ମଲରେ ଲୋକମାନେ ଏକତ୍ରିତ ହୋଇଥିଲେ। ଏହି ସମୟରେ ଏଭଳି ଘଟଣା ଘଟିଥିବା କୁହାଯାଉଛି।

ସ୍ଥାନୀୟ ଗଣମାଧ୍ୟମର ରିପୋର୍ଟ ଅନୁଯାୟୀ, ରାତି ୧୨ଟାରେ ନୂଆବର୍ଷ ପାଳନ କରିବାକୁ ମଲ୍ ବାହାରେ ହେଉଥିବା ଆତସବାଜି ପ୍ରଦର୍ଶନ ଦେଖିବା ପାଇଁ ଲୋକେ ଏକା ସାଙ୍ଗରେ ବାହାରକୁ ଆସିଥିଲେ। ଏହି ସମୟରେ ଦଳାଚକଟା ହୋଇଥିଲା।

ପୁଲିସ କହିଛି ଯେ, ଦଳାଚକଟାର ଖବର ମିଳିବା ପରେ ଆମ୍ବୁଲାନ୍ସ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ଆହତମାନଙ୍କୁ ଡାକ୍ତରଖାନାକୁ ନେଇଥିଲା। ହେଲେ ଡାକ୍ତରଖାନାରେ ୯ଜଣଙ୍କର ମୃତ୍ୟୁ ହୋଇଥିବା ନିଶ୍ଚିତ ହୋଇଛି। ଏକାଧିକ ଲୋକ ଆହତ ହୋଇ ଏବେ ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି। ସେମାନଙ୍କ ଅବସ୍ଥା ଏବେ ସ୍ଥିର ରହିଛି।

ସମ୍ବନ୍ଧିତ ଖବର