ସପ୍ତାହକରେ ୯ ଲକ୍ଷ ସଂକ୍ରମଣ, ଦିନକରେ ବିଶ୍ବରେ ୬.୩୨ ଲକ୍ଷ ନୂଆ ମାମଲା

ନୂଆଦିଲ୍ଲୀ : ବିଶ୍ବରେ ଗତକାଲି ଗୋଟିଏ ଦିନରେ ସର୍ବାଧିକ ୬.୩୨ ଲକ୍ଷ କରୋନା ସଂକ୍ରମଣ ମାମଲା ଚିହ୍ନଟ ହୋଇଛି। ଏଥି ମଧ୍ୟରୁ ଭାରତରେ ପାଖାପାଖି ୧ ଲକ୍ଷ ୭୦ ହଜାର ଦୈନିକ ସଂକ୍ରମଣ ରହିଛି। ବିଶ୍ବର ମୋଟ ସଂକ୍ରମଣ ମାମଲାର ଏହା ପ୍ରାୟ ୨୭ ପ୍ରତିଶତ। ତେବେ ଗତ ସପ୍ତାହକୁ ମହାମାରୀର ସବୁଠୁ ବିପଜ୍ଜନକ ବୋଲି କୁହାଯାଉଛି। ଏପ୍ରିଲ ୫ରୁ ୧୧ ମଧ୍ୟରେ ଦେଶରେ ୯.୩୭ ଲକ୍ଷ ସଂକ୍ରମଣ ମାମଲା ଚିହ୍ନଟ ହୋଇଛି। ଏହାର ଅର୍ଥ ଗତ ସପ୍ତାହରେ ଦୈନିକ ସଂକ୍ରମଣ ହାରାହାରି ୧.୩୩ ଲକ୍ଷ ରହିଛି। ପୂର୍ବ ସପ୍ତାହ ତୁଳନାରେ ଗତ ସପ୍ତାହରେ ସଂକ୍ରମଣ ମାମଲା ୭୦ ପ୍ରତିଶତ ବୃଦ୍ଧି ହୋଇଛି। ଆଲୋଚ୍ୟ ସପ୍ତାହରେ ମୋଟ ସଂକ୍ରମଣ ୧.୨୬ କୋଟିରୁ ୧.୩୫ କୋଟିକୁ ବୃଦ୍ଧି ପାଇଛି। ଦୈନିକ ସଂକ୍ରମଣ ମାମଲା ବଢ଼ୁଥିବାରୁ ସକ୍ରିୟ ମାମଲା ମଧ୍ୟ ୧୨ ଲକ୍ଷ ଟପିଯାଇଛି। ଗତ ୫ ତାରିଖରେ ଦେଶର ସକ୍ରିୟ ମାମଲା ୭.୪୧ ଲକ୍ଷ ଥିଲା। ପ୍ରଥମ ଲହର ଅପେକ୍ଷା ଦ୍ବିତୀୟ ଲହରରେ ସଂକ୍ରମଣ ଦ୍ରୁତ ଗତିରେ ବଢ଼ୁଛି।

ଦ୍ବିତୀୟ ଲହରରେ ମୃତ୍ୟୁସଂଖ୍ୟା ବଢ଼ିବା ଚିନ୍ତାଜନକ। ଗତ ୪ ତାରିଖରେ ଦେଶରେ ପ୍ରଥମ ଥର ପାଇଁ ସଂକ୍ରମଣ ମାମଲା ୧ ଲକ୍ଷରୁ ଅଧିକ ଥିଲା। ଏହା ପରେ ୫ ତାରିଖରେ ସଂକ୍ରମଣ ମାମଲା ଲକ୍ଷେରୁ କମ୍‌ ଅର୍ଥାତ୍‌ ୯୬,୫୦୦ ରହିଥିଲା। କିନ୍ତୁ ଅନ୍ୟ ଦିନମାନଙ୍କରେ ସଂକ୍ରମଣ ୧ ଲକ୍ଷରୁ ଅଧିକ ରହିଛି। ସଂକ୍ରମଣ ପରି ଗତ ସପ୍ତାହରେ ମୃତ୍ୟୁସଂଖ୍ୟା ବି ବଢ଼ିଛି। ରବିବାର ଦେଶରେ ସର୍ବାଧିକ ୯୦୩ ଜଣଙ୍କ କରୋନାରେ ମୃତ୍ୟୁ ହୋଇଛି। ଅକ୍ଟୋବର ୧୦ ପରେ ଏହା ସର୍ବାଧିକ ଦୈନିକ କରୋନା ମୃତ୍ୟୁ। ସର୍ବାଧିକ ପ୍ରଭାବିତ ରାଜ୍ୟ ମହାରା‌‌ଷ୍ଟ୍ରରେ ଗତକାଲି ୬୩ ହଜାରରୁ ଅଧିକ ସଂକ୍ରମଣ ମାମଲା ରହିଥିଲା। ମହାରାଷ୍ଟ୍ର ବାଦ୍‌ ଦିଲ୍ଲୀ, ଉତ୍ତରପ୍ରଦେଶ, କର୍ଣ୍ଣାଟକ, ଛତିଶଗଡ଼, ପଂଜାବ , କେରଳ ଏବଂ ତାମିଲନାଡ଼ୁରେ ସଂକ୍ରମଣ ଅଧିକ ବେଗରେ ବଢ଼ିଚାଲିଛି।

ଅତି ଜରୁରୀ ନଥିଲେ ଡାକ୍ତରଖାନାରେ ଭିଡ଼ ନ ଜମାଇବାକୁ ଆଜି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ୍‌ ପରାମର୍ଶ ଦେଇଛନ୍ତି। ଲୋକେ କୋଭିଡ୍‌ ନିୟମ ମାନିବା ସହ ଟିକା ନେବା ଉପରେ ସେ ଗୁରୁତ୍ବାରୋପ କରିଛନ୍ତି। କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ବିଏସ୍‌ ୟେଦୁରପ୍ପା ଆଜି କହିଛନ୍ତି, ରାଜ୍ୟରେ ସଂକ୍ରମଣ ଦ୍ରୁତ ଗତିରେ ବଢ଼ୁଛି। ଯଦି ଲୋକମାନେ ସହଯୋଗ ନକରିବେ ତେବେ ‌ଆମେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ବାଧ୍ୟ ହେବୁ। ଦରକାର ପଡ଼ିଲେ ରାଜ୍ୟରେ ଲକ୍‌ଡାଉନ୍‌ ହେବ ବୋଲି ୟେଦୁରପ୍ପା କହିଛନ୍ତି।

ସମ୍ବନ୍ଧିତ ଖବର