ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ସକାଳ ୯ଟାରେ ଦେଶବାସୀଙ୍କୁ ଏକ ଭିଡିଓ ବାର୍ତ୍ତା ଦେଇ କରୋନା ସଂକଟର ଅନ୍ଧକାରକୁ ଚ୍ୟାଲେଞ୍ଜ କରିବାକୁ ଆହ୍ବାନ ଦେଇଛନ୍ତି। ଏପ୍ରିଲ ୫ ତାରିଖ (ରବିବାର) ରାତି ୯ଟାରେ ୯ ମିନିଟ୍ ପର୍ଯ୍ୟନ୍ତ ଘରର ଲାଇଟ୍ ବନ୍ଦ କରି ଦୀପ, ମହମବତୀ, ଟର୍ଚ ଲାଇଟ୍ କିମ୍ବା ମୋବାଇଲ୍ ଫ୍ଲାସ୍ ଲାଇଟ୍ ଜଳାଇବାକୁ ପ୍ରଧାନମନ୍ତ୍ରୀ ନିବେଦନ କରିଛନ୍ତି। ଏହା ନିରାଶାର ଅନ୍ଧକାର ବିରୋଧରେ ପ୍ରକାଶର ଶକ୍ତିର ପରିଚୟ ହେବ ଏବଂ ୧୩୦ କୋଟି ଦେଶବାସୀଙ୍କ ମହାଶକ୍ତିର ଜାଗରଣ ହେବ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି। କରୋନା ଭୂତାଣୁ ଯୋଗୁଁ ଦେଶବ୍ୟାପୀ ଲାଗୁ ହୋଇଥିବା ଲକ୍ଡାଉନ୍ ଆଜି ୯ ଦିନରେ ପହଞ୍ଚିଛି। ଏହି ସମୟରେ ଆମଣମାନେ ଅନୁଶାସନ ଓ ସେବା ଭାବର ଯେଉଁ ପରିଚୟ ଦେଇଛନ୍ତି ତାହା ଅଭୂତପୂର୍ବ। ଶାସନ-ପ୍ରଶାସନ ଏବଂ ଜନତା ଜନାର୍ଦ୍ଦନ ମିଳିତ ଭାବେ ସ୍ଥିତିକୁ ନିୟନ୍ତ୍ରଣ କରିବା ପାଇଁ ଭରପୂର ପ୍ରୟାସ କରିଛନ୍ତି।
ଆପଣମାନେ ଯେଭଳି ୨୨ ମାର୍ଚ୍ଚରେ କରୋନା ବିରୋଧରେ ଲଢ଼ୁଥିବା ପ୍ରତ୍ୟେକ ବ୍ୟକ୍ତିଙ୍କୁ ଧନ୍ୟବାଦ ଦେଇଥିଲେ ତାହା ସମଗ୍ର ବିଶ୍ବ ପାଇଁ ଉଦାହରଣ ସୃଷ୍ଟି କରିଥିଲା। ଏବେ ଲକ୍ଡାଉନ୍ ସମୟରେ ଆପଣ ଘରେ ନିଶ୍ଚୟ ଅଛନ୍ତି, କିନ୍ତୁ ଆପଣ ଏକୁଟିଆ ନାହାନ୍ତି। ୧୩୦ କୋଟି ଦେଶବାସୀଙ୍କ ସାମୂହିକ ଶକ୍ତି ପ୍ରତ୍ୟେକ ବ୍ୟକ୍ତିଙ୍କ ସହିତ ରହିଛି। ଆମର ବିଶ୍ବାସ ରହିଛି ଯେ ଜନତା ଜନାର୍ଦ୍ଦନ ହିଁ ଈଶ୍ବରଙ୍କ ରୂପ ଅଟନ୍ତି। ଏବେ ଦେଶ କରୋନା ବିରୋଧରେ ବଡ଼ ଲଢ଼େଇ ଲଢ଼ୁଛି ଏବଂ ଏହି ଲଢ଼େଇରେ ବାରମ୍ବାର ଜନତା ରୂପୀ ମହାଶକ୍ତିର ସାକ୍ଷାତକାର ହେବା ଆବଶ୍ୟକ। ପ୍ରଧାନମନ୍ତ୍ରୀ କହିଛନ୍ତି, ୫ ଏପ୍ରିଲ ରାତି ୯ଟାରେ ଯେତେବେଳେ ପ୍ରତ୍ୟେକ ବ୍ୟକ୍ତି ଘରର ଲାଇଟ୍ ବନ୍ଦ କରି ଘରର ଦ୍ବାର କିମ୍ବା ବାଲକୋନିରେ ଛିଡ଼ା ହୋଇ ଗୋଟିଏ ଗୋଟିଏ ଦୀପ ଜଳାଇବେ, ସେତେବେଳେ ଆଲୋକର ଏକ ମହାଶକ୍ତିକୁ ଅନୁଭବ କରିହେବ। ଏହାର ଉଦ୍ଦେଶ୍ୟ ହେଉଛି ଆମେ ସମସ୍ତେ ଏକାଠି ଲଢ଼ୁଛେ ଏବଂ ଆମେ ସମସ୍ତେ ଅନିଶ୍ଚିତତା ରୂପକ ଅନ୍ଧକାରର ପରିସମାପ୍ତି ଘଟାଇବା ପାଇଁ ସଂକଳ୍ପବଦ୍ଧ। ସମସ୍ତେ ମିଳିମିଶି କରୋନା ରୂପକ ଅନ୍ଧାକାରକୁ ଚ୍ୟାଲେଞ୍ଜ କରିବାକୁ ହେବ ଏବଂ ଏହାଦ୍ବାରା ୧୩୦ କୋଟି ଦେଶବାସୀଙ୍କ ମହାଶକ୍ତିର ଜାଗରଣ ହେବ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2020/03/Narendra-Modi-.jpg)