ମାଲକାନଗିରି: ଛତିଶଗଡର ନାରାୟଣପୁର ପୁଲିସ ନିକଟରେ ୯ ଜଣ ମାଓବାଦୀ ଆତ୍ମସମର୍ପଣ କରିଛନ୍ତି। ନାରାୟଣପୁର ଜିଲ୍ଲା ପୁଲିସ କାର୍ଯ୍ୟାଳୟରେ ଆୟୋଜିତ ଏକ ସ୍ବତନ୍ତ୍ର କାର୍ଯ୍ୟକ୍ରମରେ ଏସପି ପ୍ରଭାତ କୁମାରଙ୍କ ସମ୍ମୁଖରେ ଏମାନେ ଆତ୍ମସମର୍ପଣ କରିଛନ୍ତି। ଆତ୍ମସମର୍ପଣ କରିଥିବା ନକ୍ସଲମାନେ ହେଲେ ସନ୍ତୁ ବଡଦା, ମାସା ବଡଦା, ପୁନଉରାମ ବଡଦା, ରମେଶ ବଡଦା, ଅଜୟ ଧ୍ରୁବ, ସୁଦିଲ କୁମେଟି, ଅନିଲ ବଡ଼ଦା, କରଵେ ବଡଦା ଏବଂ ଆୟତୁ ଉସେଣ୍ଡି।
ସଂଗଠନରେ ଲଗାତାର ନକ୍ସଲଙ୍କର ମୃତ୍ୟୁ ହେବା ସହ ସଂଗଠନ ଧୀରେଧୀରେ ଭୁଶୁଡୁଥିବାରୁ ଏହି ନକ୍ସଲମାନେ ନିଜର ଜୀବନ ବଞ୍ଚାଇବା ପାଇଁ ତଥା ମୁଖ୍ୟସ୍ରୋତରେ ସାମିଲ ହୋଇ ବାକି ଜୀବନ ସୁଖରେ କଟାଇବା ପାଇଁ ଚିନ୍ତା କରି ଆତ୍ମସମର୍ପଣ କରିଛନ୍ତି। ପୁଲିସ ତରଫରୁ ମଧ୍ୟ ସମସ୍ତଙ୍କୁ ୨୫ ହଜାର ଟଙ୍କା ଲେଖାଏଁ ଆର୍ଥିକ ସହଯୋଗ କରିବା ସହ ସସମ୍ତଙ୍କୁ ଆତ୍ମନିର୍ଭରଶୀଳ କରାଯିବ।
ପ୍ରକାଶ ଥାଉକି ଗତ ୨୦୨୪ ମସିହା ଠାରୁ ଆଜି ପର୍ଯ୍ୟନ୍ତ ନାରାୟଣପୁର ଜିଲ୍ଲାରେ ୪୧ରୁ ଉର୍ଦ୍ଧ୍ବ କ୍ୟାଡର ନକ୍ସଲ ଆତ୍ମସମର୍ପଣ କରିଥିବା ବେଳେ ୬୦ରୁ ଊର୍ଦ୍ଧ୍ବ ମାଓବାଦୀଙ୍କୁ ମରାଯାଇଛି। ସେହିପରି ୪୩ ମାଓବାଦୀଙ୍କୁ ଗିରଫ କରାଯାଇଛି। ଏହି ଆତ୍ମସମର୍ପଣ କରିଥିବା ମାଓବାଦୀମାନେ କୁତୁର ଅଂଚଳରେ ସକ୍ରିୟ ଥିଲେ। ବହୁ ନକ୍ସଲ ହିଂସାରେ ସାମିଲ ଥିବା ପୁଲିସ କହିଛି।