ସୁପ୍ରିମକୋର୍ଟରେ ଶପଥ ନେଲେ ୯ଜଣ ନୂଆ ବିଚାରପତି; ୨୦୧୯ ନଭେମ୍ବର ୧୮ରୁ ସୁପ୍ରିମକୋର୍ଟରେ ଓଡ଼ିଶାର ପ୍ରତିନିଧିତ୍ବ ନାହିଁ

ନୂଆଦିଲ୍ଲୀ: ସୁପ୍ରିମ୍‌ କୋର୍ଟର ୯ଜଣ ନୂଆ ବିଚାରପତି ଆଜି ଶପଥ ଗ୍ରହଣ କରିଛନ୍ତି। ନୂଆ ବିଚାରପତି ନିଯୁକ୍ତି ସହିତ ସୁପ୍ରିମକୋର୍ଟରେ ରାଜ୍ୟମାନଙ୍କର ପ୍ରତିନିଧିତ୍ବର  ଅନୁପାତ ମଧ୍ୟ ବଦଳିଯାଇଛି।

ଏଥି‌ରେ ଓଡ଼ିଶା ସମେତ ପାଟନା, ଛତିଶଗଡ, ଝାଡଖଣ୍ଡ, ଉତ୍ତରାଖଣ୍ଡ, ହିମାଚଳ ପ୍ରଦେଶ, ଜମ୍ମୁ-କାଶ୍ମୀର, ସିକ୍କିମ, ମଣିପୁର ଓ ମେଘାଳୟ ଭଳି ୧୦ଟି ହାଇକୋର୍ଟରୁ ସୁପ୍ରିମ୍‌ କୋର୍ଟରେ କୌଣସି ପ୍ରତିନିଧିତ୍ବ ନାହିଁ। ୨୦୧୯ ନଭେମ୍ବର ୧୭ରୁ ମୁଖ୍ୟ ବିଚାରପତିଭାବେ ବିଚାରପତି ଦୀପକ ମିଶ୍ର ଅବସର ନେବା ପରଠାରୁ ଏବେ ସୁଦ୍ଧା  ସୁପ୍ରିମ୍‌ କୋର୍ଟରେ ଅନ୍ୟ କୌଣସି ଓଡ଼ିଆ ବିଚାରପତି ନାହାନ୍ତି।

ନିଯୁକ୍ତ ୯ଜଣ ନୂଆ ବିଚାରପତିଙ୍କୁ ମିଶାଇ ସମ୍ପ୍ରତି ସୁପ୍ରିମ୍‌ କୋର୍ଟରେ ବମ୍ବେ ଓ ଦିଲ୍ଲୀ ହାଇକୋର୍ଟରୁ ସର୍ବାଧିକ ୪ଜଣ ଲେଖାଏଁ, କର୍ଣ୍ଣାଟକ, ଗୁଜରାଟ, ଆନ୍ଧ୍ରପ୍ରଦେଶ ଓ ଆଲ୍ଲାହାବାଦ୍‌ ହାଇକୋର୍ଟରୁ ୩ଜଣ ଲେଖାଏଁ, କେରଳ, ରାଜସ୍ଥାନ, ପଞ୍ଜାବ ଏବଂ ହରିୟାଣା ଓ ମାଡ୍ରାସ୍‌  ହାଇକୋର୍ଟରୁ ୨ଜଣ ଲେଖାଏଁ, ମଧ୍ୟପ୍ରଦେଶ, ତେଲେଙ୍ଗାନା ଓ ଗୌହାଟି ହାଇକୋର୍ଟରୁ ଜଣେ ଲେଖାଏଁ ପ୍ରତିନିଧିତ୍ବ କରୁଛନ୍ତି।

ସୁପ୍ରିମ୍‌ କୋର୍ଟର ବିଚାରପତି ପାଇଁ ଏଥର ଓଡ଼ିଶାର କୌଣସି ବିଚାରପତି କିଂବା ସୁପ୍ରିମକୋର୍ଟ ବାର୍‌ରୁ କୌଣସି ବରିଷ୍ଠ ଓଡ଼ିଆ ଆଇନଜୀବୀଙ୍କ ନାମ ସୁପାରିସ କରାଯାଇ ନ ଥିଲା। ସୁପ୍ରିମକୋର୍ଟ କଲିଜିୟମ୍‌ ଆବଶ୍ୟକତା, ଯୋଗ୍ୟତା ଓ ବରିଷ୍ଠତା ଆଧାରରେ ବିଚାରପତିଙ୍କ ନିଯୁକ୍ତି ସଙ୍କ୍ରାନ୍ତ ସୁପାରିସ କେନ୍ଦ୍ର ସରକାରଙ୍କ ନିକଟକୁ ପଠାଇଥାନ୍ତି। ବିଚାରପତି ନିଯୁକ୍ତିରେ ରାଜ୍ୟମାନଙ୍କରୁ ପ୍ରତିନିଧିତ୍ବ ସୁନିଶ୍ଚିତ କରିବା ପାଇଁ ସୁପ୍ରିମ୍‌ କୋର୍ଟ କଲିଜିୟମ୍‌ର କୌଣସି ବାଧ୍ୟବାଧ୍ୟକତା ନ ଥାଏ। କିନ୍ତୁ,  ସୁପ୍ରିମ୍‌ କୋର୍ଟ ବାର୍‌ରୁ ସିଧାସଳଖ ଆଇନଜୀବୀଙ୍କୁ ବିଚାରପତି ପାଇଁ ସୁପାରିସ କରାଯିବାର ନିୟମ ରହିଛି। ତେଣୁ, କଲିଜିୟମ୍‌ର ସୁପାରିସ ଓ କେନ୍ଦ୍ର ସରକାରଙ୍କଦ୍ବାରା ବିଚାରପତିଙ୍କ ନିଯୁକ୍ତିରେ ରାଜ୍ୟର ପ୍ରତିନିଧିତ୍ବ ଦିଗରେ ସନ୍ତୁଳନ ରକ୍ଷା ପାଇଁ ପ୍ରୟାସ କରାଯାଇଥାଏ।

Image Courtesy of BloombergQuint

ସୁପ୍ରିମ୍‌ କୋର୍ଟର ଗତ ୭୧ ବର୍ଷର ଇତିହାସରେ ଓଡ଼ିଶାରୁ ୭ଜଣ ବିଚାରପତି ରୂପେ ନିଯୁକ୍ତ ହୋଇଥିଲେ ଏବଂ ସେମାନଙ୍କ ମଧ୍ୟରୁ ୩ଜଣ  ପ୍ରଧାନ ବିଚାରପତି ଭାବେ ପଦୋନ୍ନତି ପାଇଥିଲେ। ବିଚାରପତି ରଙ୍ଗନାଥ ମିଶ୍ର  ୧୯୮୩ ମାର୍ଚ ୧୫ରେ ସୁପ୍ରିମ୍‌ କୋର୍ଟର ବିଚାରପତି ଭାବେ ଦାୟିତ୍ବ ଗ୍ରହଣ କରିବା ପରେ ୧୯୯୧ ନଭେମ୍ବର ୨୪ରେ ପ୍ରଧାନ ବିଚାରପତି ରୂପେ ନିଯୁକ୍ତ ହୋଇ ୧୯୯୦ ସେପ୍ଟେମ୍ବର ୨୫ରେ ଅବସର ଗ୍ରହଣ କରିଥ‌ିଲେ।

୧୯୯୫ ନଭେମ୍ବର ୯ରେ ବିଚାରପତି ଗୋପାଳ ବଲ୍ଲଭ ପଟ୍ଟନାୟକ ସୁପ୍ରିମ୍‌ କୋର୍ଟରେ ବିଚାରପତିଭ‌ାବେ ନିଯୁକ୍ତି ପାଇ ୨୦୦୨ ନଭେମ୍ବର ୮ରେ ପ୍ରଧାନ ବିଚାରପତି ହୋଇଥିଲେ ଏବଂ ତାଙ୍କର କାର୍ଯ୍ୟକାଳ ୨୦୦୨ଡିସେମ୍ବର ୮ରେ ଶେଷ ହୋଇଥିଲା।

ସେହିଭଳି, ୨୦୧୨ ଏପ୍ରିଲ୍‌ ୨୩ ରେ ବିଚାରପତି ଦୀପକ ମିଶ୍ର ସୁପ୍ରିମ୍‌ କୋର୍ଟର ବିଚାରପତିରୂପେ ଯୋଗଦେଇ ୨୦୧୮ ଅକ୍ଟୋବର ୩ରେ ପ୍ରଧାନ ବିଚାରପତିରୂପେ ଦାୟିତ୍ବ ଗ୍ରହଣ କରି ୨୦୧୯ ନଭେମ୍ବର ୧୧ରେ ଅବସର ଗ୍ରହଣ କରିଥିଲେ।

ସୁପ୍ରିମ୍‌ କୋର୍ଟର ପ୍ରଧାନ ବିଚାରପତି ଭାବେ ଉପରୋକ୍ତ ୩ଜଣ ଓଡ଼ିଆଙ୍କ କାର୍ଯ୍ୟକାଳ ବେଶ୍‌ ଚର୍ଚ୍ଚିତ ହୋଇଥିଲା।

ସେହିପରି, ୪ଜଣ ଓଡ଼ିଆ ବିଚାରପତି- ବିଚାରପତି ଆର୍‌. ସି. ପଟ୍ଟନାୟକ ୧୯୯୧ ଡିସେମ୍ବର ୩ରୁ ୧୯୯୨ ମେ ୩୦ ପର୍ଯ୍ୟନ୍ତ, ବିଚାରପତି ଦେବପ୍ରିୟ ମହାପାତ୍ର, ୧୯୯୮ ଡିସେମ୍ବର ୯ରୁ ୨୦୦୨ ଅଗଷ୍ଟ ପର୍ଯ୍ୟନ୍ତ, ବିଚାରପତି ଅରିଜିତ ପଶାୟତ ୨୦୦୧ ଅକ୍ଟୋବର ୧୯ରୁ ୨୦୦୯ ମେ ୧୦ ପର୍ଯ୍ୟନ୍ତ ଏବଂ ବିଚାରପତି ଅନଙ୍ଗ କୁମାର ପଟ୍ଟନାୟକ ୨୦୦୯ ନଭେମ୍ବର ୧୭ ରୁ ୨୦୧୪ ଜୁନ୍‌ ୬ ପର୍ଯ୍ୟନ୍ତ ବିଚାରପତି ରୂପେ କାର୍ଯ୍ୟ ନିର୍ବାହ କରିଥିଲେ। ସୁପ୍ରିମ୍‌ କୋର୍ଟର ବିଚାରପତି ରୂପେ ତଥା ନ୍ୟାୟିକ ବିଚାର ପ୍ରକ୍ରିୟାରେ ସେମାନଙ୍କର ଦକ୍ଷତା ଓ ମହତ୍ବପୂର୍ଣ୍ଣ ଯୋଗଦାନ ରହିଥିଲା। ବର୍ତ୍ତମାନ ସୁପ୍ରିମକୋର୍ଟରେ ରାଜ୍ୟର  ପ୍ରତିନିଧିତ୍ବ ନ ଥିବାବେଳେ ଆଗାମୀ ଦିନରେ ସର୍ବୋଚ୍ଚ ନ୍ୟାୟାଳୟରେ ସମାନ ଅନୁପାତରେ ରାଜ୍ୟମାନଙ୍କୁ ବିଚାରପତି ନିଯୁକ୍ତିରେ ବିଚାର କରିବା ପାଇଁ ସୁପ୍ରିମକୋର୍ଟର ଆଡଭୋକେଟ୍‌ ଅନ୍‌ ରେକର୍ଡ ସୁଧାଂଶୁ ପାଳ ମତବ୍ୟକ୍ତ କରିଛନ୍ତି।

ସମ୍ବନ୍ଧିତ ଖବର