ଲଣ୍ଡନ:ସମୟ ଯେ କେତେବେଳେ କାହା ଭାଗ୍ୟ କେମିତି ବଦଳାଇଦିଏ ସେକଥା ହୁଏତ କାହାକୁ ଜଣା ନଥାଏ । ବେଳେବେଳେ ଅଚାନକ କିଛି ଏମିତି ଘଟଣା ଘଟେ ଯାହାକୁ ଆମେ କେବେ ଭାବିନଥାଉ । ଅନେକ କାଳ୍ପନିକ କାହାଣୀ ଓ ସତ ଘଟଣାକୁ ନେଇ ନିର୍ମିତ ଗଳ୍ପ-ନାଟକରେ ଗୁପ୍ତଧନ ମିଳିବାର କଥା ଆପଣ ଆଗରୁ ଦେଖିଥିବେ ଓ ଶୁଣିଥିବେ । ସେମିତି କିଛି ବ୍ରିଟେନର ଜଣେ ବୃଦ୍ଧ ଦମ୍ପତିଙ୍କ ସହ ଘଟିଛି ।
ପୁରୁଣା ନୋଟ ଏହି ଦମ୍ପତିଙ୍କର ଭାଗ୍ୟ ବଦଳାଇ ଦେଇଛି। ଜାଣିଲେ ଆର୍ଶ୍ଚଯ୍ୟ ହେବେ ୯ଟି ପୁରୁଣା ନୋଟ ବଦଳରେ ଏମାନେ ପାଇଛନ୍ତି ୪୭ ଲକ୍ଷ ଟଙ୍କା । ବ୍ରିଟେନର ଜଣେ ବୃଦ୍ଧ ଦମ୍ପତିଙ୍କୁ ତାଙ୍କ ଘର ମରାମତି ବେଳେ ମିଳିଥିଲା ୯ଟି ପୁରୁଣା ବ୍ରିଟିସ୍ ନୋଟ । ନୋଟ ଗୁଡ଼ିକ ୧୯୧୬ରୁ ୧୯୧୮ ମସିହାର ହେବ । ନିକଟରେ ସେହି ବୃଦ୍ଧ ଦମ୍ପତି ନୋଟ ଗୁଡ଼ିକୁ ନିଲାମ କରିଥିଲେ । ନୋଟ ସବୁର ଦାମ ଯେ ଏତେ ଟଙ୍କା ହେବ ତାହା ସେମାନେ କେବେ ଭାବି ନଥିଲେ । ବୃଦ୍ଧ ଦମ୍ପତି ସେହି ଘରେ ପାଖାପାଖି ୫୮ ବର୍ଷ ଧରି ରହି ଆସୁଥିଲେ । ସୋମାନଙ୍କ କହିବା ଅନୁସାରେ ନୋଟ ସବୁ ୧୦୦ ବର୍ଷ ପୁରୁଣା ହେବ । ସେମାନେ ଭାବିଥିଲେ ନୋଟ ସବୁ ଚାରି ଲକ୍ଷ ହେବ ।
ନିକଟରେ ବୃଦ୍ଧ ଦମ୍ପତି ସେମାନଙ୍କ ବିବାହ ବାର୍ଷିକୀ ପାଳନ କରିବାକୁ ଯୋଜନା କରିଛନ୍ତି । ସେମାନେ ଆଶା ଠାରୁ ଅଧିକ ପାଇଥିବା କହିଛନ୍ତି । ଗୋଟେ ସମୟରେ ଦୁଇ ଦୁଇଟି ଖୁସି ତାଙ୍କ ପାଖରେ ଆସି ପହଞ୍ଚିଥିଲା। ସେମାନେ ପୁରୁଣା ନୋଟ ନିଲାମ କରି ବିପୁଳ ଟଙ୍କା ପାଇବା ସହ ସେମାନେ ଜେଜେବାପା ଓ ଜେଜେମାଆ ହୋଇଥିଲେ । ତେବେ ତାଙ୍କର ପ୍ରଥମ ନୋଟ ନିଲାମରେ ସାତ ଲକ୍ଷ ଟଙ୍କାରେ ବିକ୍ରି ହୋଇଥିଲା । ଅନ୍ୟ ତିନିଟି ନୋଟ ଯିଏ ୫ ପାଉଣ୍ଡ ଲେଖାଏଁ ଥିଲା ସେଗୁଡ଼ିକ ୧୪ ଲକ୍ଷ ୭୩ ହଜାର ଟଙ୍କାରେ ନିଲାମ ହୋଇଥିଲା। ଏଥିରୁ ସମୁଦାୟ ୪୭ ଲକ୍ଷ ୪୨ ହଜାର ୨୭୧ ଟଙ୍କା ଦମ୍ପତିଙ୍କୁ ମିଳିଥିଲା । ତେବେ ନୋଟ ଗୁଡିକୁ ଅନ୍ତର୍ଜାତୀୟ ବ୍ୟାଙ୍କ ସୋସାଇଟର ଅଧ୍ୟକ୍ଷ କିଣିଛନ୍ତି । ବୃଦ୍ଧ ଦମ୍ପତି ସେମାନଙ୍କ ବିବାହ ବାର୍ଷିକୀ ପାଳନ କରିବାକୁ କ୍ରୁଜରେ ଯିବାକୁ ଯୋଜନା କରିଛନ୍ତି ।