ନିର୍ଭୟା ଦୋଷୀଙ୍କୁ ଫାଶୀ ଦେବା ଏତେ ସହଜ ନୁହେଁ ! ଏବେ ବି ଅଛି ୯ଟି ବିକଳ୍ପ, ସମୟ ଗଡ଼ାଇବା ତରିକା ଆପଣାଇ ପାରନ୍ତି

ନୂଆଦିଲ୍ଲୀ: ତିହାର ଜେଲରେ ନିଜ ମୃତ୍ୟୁକୁ ଅପେକ୍ଷା କରିଛନ୍ତି ନିର୍ଭୟା ଗଣଦୁଷ୍କର୍ମର ୪ ଦୋଷୀ | ପ୍ରଥମେ ଆସନ୍ତାକାଲି(ଜାନୁୟାରୀ ୨୨) ସକାଳ ୭ଟାରେ ଫାଶୀ ଦେବାକୁ ଡେଥ୍  ୱାରେଣ୍ଟ ବା ମୃତ୍ୟୁ ପରୱାନା ଜାରି କରାଯାଇଥିଲା | କିନ୍ତୁ ପରେ ଦିଲ୍ଲୀର ଏକ କୋର୍ଟ ଦୋଷୀଙ୍କ ଫାଶୀ ଦଣ୍ଡକୁ ଘୁଞ୍ଚାଇଦେଇଥିଲେ | ଏହା ପରେ ଫେବୃୟାରୀ ୧ ତାରିଖ ଦିନ ଫାଶୀ ଦିଆଯିବା ନେଇ ତାରିଖ ସ୍ଥିର କରାଯାଇଛି  | ଗତକାଲି ଅନ୍ୟତମ ଦୋଷୀ ପୱନ୍ ଗୁପ୍ତାର ସ୍ବତନ୍ତ୍ର ଲିଭ ପିଟିସନ୍ ସୁପ୍ରିମକୋର୍ଟ ଖାରଜ କରିବା ପରେ ଓ ଦୋଷୀ ମୁକେଶ କୁମାରର ରାଜକ୍ଷମା ଆବେଦନ ରାଷ୍ଟ୍ରପତି ନାକଚ କରିବା ପରେ ଫେବୃୟାରୀ ପହିଲାରେ ଫାଶୀ ହେବ ବୋଲି ଆଶା କରାଯାଉଛି। କିନ୍ତୁ ବଡ କଥା ଯେ ଏବେ ବି ଫାଶୀ ଦିଆଯିବା ନେଇ ସମୟ ଗଡ଼ିପାରେ | କାରଣ ୪ ଜଣ ଦୋଷୀଙ୍କ ପାଖରେ ଆହୁରି  ୯ଟି ବିକଳ୍ପ ରହିଛି | ଜାଣନ୍ତୁ କେଉଁ ଦୋଷୀଙ୍କ ପାଖରେ ମୃତ୍ୟୁ ଠାରୁ ମୁକ୍ତି ପାଇବାର କେତୋଟି ବିକଳ୍ପ ବାକି ରହିଛି |

livelaw.in

ଦୋଷୀ ମୁକେଶ ପାଖରେ ଏବେ କେବଳ ଗୋଟିଏ ମାତ୍ର ବିକଳ୍ପ ବଞ୍ଚିରହିଛି | ପୁନର୍ବିଚାର ଯାଚିକା, କ୍ୟୁରେଟିଭ ପିଟିସନ ଓ ଦୟା ଯାଚିକା ଖାରଜ ହେବା ପରେ ମୁକେଶ ଦୟା ଯାଚିକା ଖାରଜକୁ ନେଇ ହାଇକୋର୍ଟ ବା ସୁପ୍ରିମକୋର୍ଟରେ ଚ୍ୟାଲେଞ୍ଜ କରିପାରେ | ଯଦି ଏହି ଯାଚିକା ଖାରଜ ହୋଇଯାଏ, ତେବେ ନିଶ୍ଚିତ ଫାଶୀ ଦିଆଯିବ | ସେହିପରି ଦୋଷୀ ବିନୟ ପାଖରେ ଦୁଇଟି ବିକଳ୍ପ ବାକି ରହିଛି | କ୍ୟୁରେଟିଭ ପିଟିସନ ଖାରଜ ହୋଇଥିବା ବେଳେ ଦୟା ଯାଚିକା ଓ ଏହା ଖାରଜ ହେଲେ ସୁପ୍ରିମକୋର୍ଟ ବା ହାଇକୋର୍ଟରେ ଚ୍ୟାଲେଞ୍ଜ କରି ମୃତ୍ୟୁଦଣ୍ଡକୁ କିଛି ଦିନ ଯାଏଁ ଘୁଞ୍ଚାଇହେବ |

ସେହିପରି ଦୋଷୀ ଅକ୍ଷୟ ଓ ପବନ ପାଖରେ କ୍ୟୁରେଟିଭ ପିଟିସନ, ଦୟା ଯାଚିକା ଓ ଦୟା ଯାଚିକା ଖାରଜକୁ ନେଇ ହାଇକୋର୍ଟ ବା ସୁପ୍ରିମକୋର୍ଟରେ ଚ୍ୟାଲେଞ୍ଜ ଭଳି ତିନିଟି ବିକଳ୍ପ ବଞ୍ଚି ରହିଛି | ଏଠାରେ ସୂଚନା ଥାଉ କି ଦୋଷୀଙ୍କ ଓକିଲ ଜାଣିଛନ୍ତି ଯେ କିଭଳି ଏମାନଙ୍କ ଫାଶୀ ତାରିଖକୁ ଘୁଞ୍ଚାଇହେବ | ସେଥିପାଇଁ ସେ ଏହି ବିକଳ୍ପଗୁଡିକୁ ଠିକ ସମୟରେ ବ୍ୟବହାର କରୁଛନ୍ତି। ତେଣୁ ସେ ଗୋଟିଏ ପରେ ଗୋଟିଏ ବ୍ୟବହାର କରି କାଳକ୍ଷେପଣ ନୀତି ଅବଲମ୍ବନ କରୁଛନ୍ତି।

ପ୍ରକୃତରେ ଜେଲ ମାନୁଆଲ କହିଥାଏ ଯେ ଯଦି କୌଣସି ଅପରାଧରେ ଏକାଧିକ ଅପରାଧୀ ସାମିଲ ହୋଇଥାନ୍ତି ଓ ସମସ୍ତଙ୍କୁ ମୃତ୍ୟୁ ଦଣ୍ଡ ଶୁଣାଯାଇଥାଏ ତେବେ ଫାଶୀ ସମସ୍ତଙ୍କୁ ଏକା ସାଙ୍ଗରେ ଦିଆଯିବ | ତେଣୁ ୪ ଦୋଷୀଙ୍କ ଭିତରୁ  ଜଣଙ୍କର କୌଣସି ଆବେଦନ କୌଣସି ଅଦାଲତରେ ବିଚାରାଧୀନ ରହିଲେ ଫାଶୀ ଦିଆଯାଇପାରିବ ନାହିଁ।

ସମ୍ବନ୍ଧିତ ଖବର