ଆନ୍ଧ୍ରପ୍ରଦେଶରେ ହାଣ୍ଡ୍‌ ସାନିଟାଇଜର ପିଇ ୯ ଜଣଙ୍କ ମୃତ୍ୟୁ

ହାଇଦ୍ରାବାଦ୍ : ଆନ୍ଧ୍ରପ୍ରଦେଶରେ ଏକ ଅଭାବନୀୟ ଘଟଣାକ୍ରମରେ ଆଲ୍‌କୋହଲ ମିଶ୍ରିତ ହାଣ୍ଡ୍‌ ସାନଟାଇଜର ପିଇ ୯ ଜଣଙ୍କ ମୃତ୍ୟୁ ଘଟିଛି। ଆନ୍ଧ୍ରପ୍ରଦେଶର ପ୍ରକାଶମ ଜିଲ୍ଲାରେ ଗତ ୨ ଦିନ ମଧ୍ୟରେ ଏହି ଘଟଣା ଘଟିଛି। ପ୍ରକାଶମ୍‌ ଜିଳ୍ଲା ଅଧୀନସ୍ଥ କୁରିଚେଡ଼ୁ ସହରରେ ପ୍ରଥମେ ବୁଧବାର ରାତିରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଗୁରୁବାର ରାତିରେ ୨ ଜଣଙ୍କର ଏବଂ ଶୁକ୍ରବାର ୬ ଜଣଙ୍କ ମୃତ୍ୟୁ ହୋଇଛି। ଏମାନଙ୍କ ମଧ୍ୟରୁ ୩ ଜଣ ଭିକ୍ଷାବୃତ୍ତି କରି ଚଳୁଥିବା ଜଣାପଡ଼ିଛି। ଅନ୍ୟପକ୍ଷେ ଅନ୍ୟମାନେ ସ୍ଥାନୀୟ ବସ୍ତିବାସିନ୍ଦା। ତେବେ ଗତ ୨ ଦିନ ମଧ୍ୟରେ ମୋଟ୍‌ ୨୦ ଜଣ ହାଣ୍ଡ୍‌ ସାନିଟାଇଜର୍‌ ପିଇ ଦେଇଥିବା ଜଣାପଡ଼ିଛି। ପ୍ରକାଶମ୍‌ ଜିଲ୍ଲା ଏସ୍‌ପି ସିଦ୍ଧାର୍ଥ କୌଶଳ କହିଛନ୍ତି, କସ ନ ମିଳିବାରୁ ସେମାନେ ହାଣ୍ଡ୍‌ ସାନିଟାାଇଜର ପିଇ ଦେଇଥିବା ଜଣାପଡ଼ିଛି। ପ୍ରଥମେ ଜଣେ ବ୍ୟକ୍ତି ହାଣ୍ଡ୍‌ ସାନିଟାଇଜର ପିଇବା ପରେ ତାଙ୍କ ପେଟରେ ଭୀଷଣ ଯନ୍ତ୍ରଣା ହୋଇଥିବା ତଥା ପେଟ ପୋଡ଼ୁଥିବା କହିଥିଲେ । ତାଙ୍କୁ ହସ୍ପିଟାଲ୍‌ ନେବା ବାଟରେ ହିଁ ମୃତ୍ୟୁ ହୋଇଯାଇଥିଲା। ପରେ ଅନ୍ୟମାନଙ୍କର ମୃତ୍ୟୁ ହୋଇଥିଲା। ସମସ୍ତ ସ୍ଥାନୀୟ ଦୋକାନରୁ ସାନିଟାଇଜର ସିଜ୍‌ କରି ଏହାକୁ ଲ୍ୟାବ୍‌ ଟେଷ୍ଟ୍‌ ପାଇଁ ପଠାଯାଇଛି।

ସମ୍ବନ୍ଧିତ ଖବର