୯ ଥର ପ୍ଲାଜମା ଦାନ କରି ୧୮ କରୋନା ଆକ୍ରାନ୍ତଙ୍କ ଜୀବନ ବଞ୍ଚାଇଲେ ଯୁବକ

ନୂଆଦିଲ୍ଲୀ: ଦେଶରେ କରୋନା ମହାମାରୀ ଏବେ ପ୍ରତିଟି ମଣିଷକୁ ଭୟଭିତ କରି ରଖିଛି । ଏହି ସମୟରେ ଲୋକମାନେ ସେମାନଙ୍କ ଜୀବନ ବଞ୍ଚାଇବାକୁ ସଂଘର୍ଷ କରୁଛନ୍ତି । ଏଭଳି ସମୟରେ ଏମିତି ବି କିଛି ଲୋକ ଅଛନ୍ତି ଯିଏ ଅନ୍ୟର ଜୀବନ ବଂଚାଇବାକୁ ନିଜ ଜୀବନକୁ ବି ବାଜିରେ ଲଗାଇ ଦେଉଛନ୍ତି । କିଛି ଏଭଳି କରି ଦେଖାଇଛନ୍ତି ପଙ୍କଜ ଗୁପ୍ତା । ଯିଏ କି ୯ମ ଥର ପ୍ଲାଜମା ଦାନ କରି ଏକ ବିଶେଷ ରେକର୍ଡ ସ୍ଥାପିତ କରିଛନ୍ତି ।

ଭଗତ ସିଂ କଲୋନୀରେ ରହୁଥିବା ଷ୍ଟାର ଇନସ୍ୟୁରାନ୍ସ କମ୍ପାନିର ଆଞ୍ଚଳିକ ମ୍ୟାନେଜର ପଙ୍କଜ ଗୁପ୍ତା ୯ମ ଥର ପ୍ଲାଜମା ଦାନ କରି ରେକର୍ଡ କରିଛନ୍ତି । କେବଳ ରାଜସ୍ଥାନ ନୁହେଁ ଏହା ଦେଶର ପ୍ରଥମ ଘଟଣା, ଯେଉଁଠି ଜଣେ ବ୍ୟକ୍ତି ୯ ଥର ପ୍ଲାଜମା ଦାନ କରିଛନ୍ତି ।

କୁହାଯାଉଛି କି ପଙ୍କଜ ଗୁପ୍ତା ୯ ଥର ପ୍ଲାଜମା ଦାନ କରି ୧୮ ଜଣ କରୋନା ସଂକ୍ରମିତଙ୍କ ଜୀବନ ବଞ୍ଚାଇଛନ୍ତି । ଏହାସହ ସେ ଏପର୍ଯ୍ୟନ୍ତ ଟିକା ନେଇନଥିବା କୁହାଯାଇଛି । ଟିକା ନେଇ ନଥିବାରୁ ସେ ବାରମ୍ବାର ପ୍ଲାଜମା ଦାନ କରିପାରୁଛନ୍ତି । ପଙ୍କଜ କହିଛନ୍ତି କି ତାଙ୍କ ଶରୀରରେ ଯେତେଥର ଏଣ୍ଟିବଡି ସୃଷ୍ଟି ହେଉଥିବ ସେ ପ୍ଲାଜମା ଦାନ କରିଚାଲିବେ । ରାଜସ୍ଥାନର କୋଟା ସହର ପ୍ଲାଜମା ଦାନରେ ସବୁଠାରୁ ଆଗରେ ଅଛି । ଏଠାରୁ ପ୍ଲାଜମା ଅନ୍ୟ ରାଜ୍ୟର ରୋଗୀଙ୍କ ପାଇଁ ବି ପଠା ଯାଉଛି ।

ଉଲ୍ଲେଖଯୋଗ୍ୟ,, କରୋନାରେ ଗମ୍ଭୀର ଭାବେ ସଂକ୍ରମିତ ରୋଗୀଙ୍କ ଚିକିତ୍ସା ପାଇଁ ପ୍ଲାଜମାକୁ ବ୍ୟବହାର କରାଯାଏ । କୋଟାରେ ପ୍ଲାଜମା ଦାନ ନେଇ ଚାଲିଥିବା ଅଭିଯାନରେ ବ୍ୟବସାୟୀ, ବିଦ୍ୟାର୍ଥୀ, ଓକିଲ ଓ ଡାକ୍ତରମାନେ ଆଗେଇ ଆସୁଥିବା ଦେଖିବାକୁ ମିଳିଛି । କୋଟା ସହରରୁ ଏପର୍ଯ୍ୟନ୍ତ ୬୦୦ ପ୍ଲାଜମା ସଂଗ୍ରହ ହୋଇଛି । କୁହାଯାଉଛି କି ଆଗାମୀ ୨ ମାସ ମଧ୍ୟରେ ଏହାର ସଂଖ୍ୟା ୧ ହଜାର ପାର କରିବ ।

ସମ୍ବନ୍ଧିତ ଖବର