ଶିମଲା: ହିମାଚଳ ପ୍ରଦେଶର କିନୌର ଜିଲ୍ଲାରେ ଆଜି ଏକ ଅଭାବନୀୟ ଘଟଣା ଘଟିଯାଇଛି | ଏକ ପର୍ଯ୍ୟଟକଙ୍କୁ ନେଇ ଯାଉଥିବା ଗାଡ଼ି ଉପରେ ବିଶାଳ ପଥର ଖଣ୍ଡ ଖସିପଡ଼ିବାରୁ ୯ ଜଣଙ୍କର ମୃତ୍ୟୁ ଘଟିଥିବାବେଳେ ତିନି ଜଣ ଗୁରୁତର ଆହତ ହୋଇଛନ୍ତି। ମିଳିଥିବା ସୂଚନା ଅନୁଯାୟୀ, କିନୌର ଜିଲ୍ଲାର ବାଟସେରୀର ଗୁନ୍ସା ନିକଟରେ ଛିତକୁଲରୁ ସାଙ୍ଗଲାକୁ ଆସୁଥିବା ପର୍ଯ୍ୟଟକଙ୍କ ଏକ ଗାଡି ଉପରେ ପଥର ଖସିପଡିଥିଲା |

Advertisment

ଗାଡି ଉପରେ ପଥର ଖସିଯିବା ଫଳରେ ନଅ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ତିନି ଜଣ ଆହତ ହୋଇଛନ୍ତି। କୁହାଯାଉଛି ଯେ କାରରେ ଥିବା ପର୍ଯ୍ୟଟକମାନେ ଦିଲ୍ଲୀ ଏବଂ ଚଣ୍ଡିଗଡ଼ରୁ ହିମାଚଳ ବୁଲିବାକୁ ଆସିଥିଲେ। ଦୁର୍ଘଟଣା ସମ୍ପର୍କରେ ସୂଚନା ପାଇବା ମାତ୍ରେ ପୁଲିସ ଏବଂ ପ୍ରଶାସନ ଘଟଣାସ୍ଥଳରେ ପହଞ୍ଚିଛନ୍ତି। କଂଗ୍ରେସ ବିଧାୟକ ଜଗତ ସିଂ ନେଗି କହିଛନ୍ତି ଯେ, ପାହାଡରୁ ଲଗାତାର ପଥର ଖସୁଥିବାରୁ, ଉଦ୍ଧାର କାର୍ଯ୍ୟରେ ସମସ୍ୟା ଉପୁଜୁଛି |

ସେହିପରି ପଥର ଖସି ବଟାସେରୀ ଗାଁକୁ ସଂଯୋଗ କରୁଥିବା ଏକ ସେତୁ ମଧ୍ୟ ଭାଙ୍ଗି ଯାଇଛି | ସେତୁ ଭାଙ୍ଗିଯିବାରୁ ଏହି ଗାଁ ବାହ୍ୟ ଯୋଗାଯୋଗରୁ ବିଚ୍ଛିନ୍ନ ହୋଇଯାଇଛି। ମିଳିଥିବା ସୂଚନା ଅନୁଯାୟୀ, ପର୍ବତରୁ ପଥର ଖସି ପଡ଼ିବା ଯୋଗୁଁ ଅନେକ ଗାଡି ମଧ୍ୟ କ୍ଷତିଗ୍ରସ୍ତ ହୋଇଛି |