ନୂଆଦିଲ୍ଲୀ: ଉତ୍ତର ପଶ୍ଚିମ ଦିଲ୍ଲୀ ଅଲିପୁର ବଖତାବରପୁର ଅଞ୍ଚଳରୁ ଏକ ଦୁଃଖଦ ଖବର ସାମ୍ନାକୁ ଆସିଛି। ବାଣ ଫୁଟି ଜଣେ ୯ ବର୍ଷ ଶିଶୁର ମୃତ୍ୟୁ ହୋଇଛି। ଶିଶୁଟି ବାଣକୁ ଏକ ଷ୍ଟିଲ ଗ୍ଲାସରେ ଢାଙ୍କି ଦେଇଥିଲା। ଯାହାଫଳରେ ବାଣ ଫୁଟିବା ପରେ ଗ୍ଲାସର ଖଣ୍ଡବିଖଣ୍ଡିତ ଅଂଶ ବାଜି ଶିଶୁଟିର ମୃତ୍ୟୁ ହୋଇଥିବା ପୁଲିସ ସୂତ୍ରରୁ ପ୍ରକାଶ।
ଏହି ଦୁଃଖଦ ଘଟଣାକୁ ନେଇ ବରିଷ୍ଠ ପୁଲିସ ଅଧିକାରୀ କହନ୍ତି, ପ୍ରିନ୍ସ ନାମକ ଶିଶୁଟି ଶାନ୍ତି ନିକେତନ ପବ୍ଲିକ ସ୍କୁଲରେ ଦ୍ୱିତୀୟ ଶ୍ରେଣୀରେ ପଢୁଥିଲା। ପ୍ରିନ୍ସର ମାତାପିତା ନିଜ ନିଜ କାମରେ ବ୍ୟସ୍ତଥିଲେ। ଏହି ସମୟରେ ପ୍ରିନ୍ସ ସେହି ଅଞ୍ଚଳର ଏକ ଦୋକାନରୁ ବାଣ କିଣିଥିଲା ଓ ସାଙ୍ଗମାନଙ୍କ ସହ ଏକ ଖାଲି ପଡିଥିବା ଘରକୁ ଯାଇଥିଲା। ଏହାପରେ ସେଠାରେ ବାଣ ଫୁଟାଇଥିଲା।
ବାଣରେ ନିଆଁ ଲଗାଇ ତା’ ଉପରେ ଏକ ଷ୍ଟିଲ ଗ୍ଲାସ ଢାଙ୍କି ଦେଇଥିଲା ପ୍ରିନ୍ସ। କିନ୍ତୁ ବାଣ ଫୁଟି ନଥିଲା। ତେବେ ବାଣ କାହିଁକି ଫୁଟିଲା ନାହିଁ ଗ୍ଲାସ କାଢି ଦେଖିବାକୁ ଯାଇଥିବା ବେଳେ ହଠାତ ବାଣଟି ଫୁଟି ଯାଇଥିଲା। ଫଳରେ ଷ୍ଟିଲ ଗ୍ଳାସ ଖଣ୍ଡବିଖଣ୍ଡିତ ହୋଇ ଏଣେତେଣେ ଛିଟିକି ପଡ଼ିଥିଲା। ଏହି ଷ୍ଟିଲ ଗ୍ଲାସର ଏକ ଅଂଶ ଛିଟିକି ପଡ଼ି ପ୍ରିନ୍ସ ଛାତିରେ ଭୁସି ହୋଇଯିବାରୁ ତାର ମୃତ୍ୟୁ ହୋଇଯାଇଥିଲା। ଘଟଣା ସମ୍ପର୍କରେ ସୂଚନା ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚି ପ୍ରିନ୍ସର ଶବ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଥିଲା।