ସୁରଟ : ପିତା ଗୁଜରାଟର ବିଶିଷ୍ଟ ହୀରା ବ୍ୟବସାୟୀ । କିନ୍ତୁ ତାଙ୍କର ମାତ୍ର ୯ ବର୍ଷର ଝିଅ ସଂସାରର ସବୁ ସୁଖ ସମୃଦ୍ଧି ପରିତ୍ୟାଗ କରି ଜୈନ ସନ୍ୟାସିନୀ ପାଲଟିଯାଇଛନ୍ତି ।
ସୁରତର ଜଣେ ଧନୀ ହୀରା ବ୍ୟବସାୟୀ ହେଉଛନ୍ତି ଧନେଶ ଓ ଆମି ସାଂଘଭି । ତାଙ୍କର ଦୁଇ ଝିଅ ଅଛନ୍ତି । ବଡ଼ ଝିଅ ଦେବାଂଶୀ ମାତ୍ର ୯ ବର୍ଷ ବୟସରେ ଜୈନ ସନ୍ୟାସିନୀ ହେବାକୁ ଦୀକ୍ଷା ଗ୍ରହଣ କରିଛନ୍ତି । ସେ ଜୈନ ସନ୍ୟାସୀ ଆଚାର୍ଯ୍ୟ ବିଜୟ କିର୍ତ୍ୟାସୁରୀଙ୍କଠାରୁ ସେ ଦୀକ୍ଷା ଗ୍ରହଣ କରିଛନ୍ତି । ସୁରଟର ବେସୁ ଅଂଚଳରେ ଅନୁଷ୍ଠିତ ଏକ ଧାର୍ମିକ ସମାରୋହରେ ତାଙ୍କୁ ଦୀକ୍ଷା ଦିଆଯାଇଛି ।
ତାଙ୍କ ପିତା ଧନେଶଙ୍କର ରହିଛି ବିଶାଳ ହୀରା ପଲିସିଂ ଓ କଟିଂ କମ୍ପାନି ସାଂଘଭି ଏଣ୍ଡ ସନ୍ସ ଓ ସେ ବର୍ଷକୁ ଶହ ଶହ କୋଟି ଟଙ୍କାର ହୀରା ରପ୍ତାନି କରିଥାନ୍ତି ।
କିନ୍ତୁ ସନ୍ୟାସିନୀ ହେବା ପରେ ତାଙ୍କ ଝିଅ ଦେବାଂଶୀ ସବୁ ପ୍ରକାରର ସାଂସାରିକ ସୁଖ ପରିତ୍ୟାଗ କରିଦେଇଛନ୍ତି । ସାରା ଜୀବନ ସେ ଜଣେ ସନ୍ୟାସୀଭାବେ ସରଳ ଓ ନିରାଡ଼ମ୍ବର ଜୀବନଯାପନ କରିବେ । ଜୈନ ସନ୍ୟାସୀମାନେ ଅତ୍ୟନ୍ତ କଠୋର ଅନୁଶାସନରେ ରହନ୍ତି । ତାଙ୍କୁ ମଧ୍ୟ ଏହା କରିବାକୁ ହେବ ।
ଶିଶୁ ଅବସ୍ଥାରେ ହିଁ ଦେବାଂଶୀ ଆଧ୍ୟାତ୍ମିକତା ପ୍ରତି ଢଳିଥିଲେ ଓ ସନ୍ୟାସୀ ଜୀବନ ପ୍ରତି ଆକୃଷ୍ଟ ହୋଇଥିଲେ । ଏପରି କି ସେ କିଛି ଜୈନ ସନ୍ୟାସୀଙ୍କ ସହ ୭୦୦ କିଲୋମିଟର ଯାତ୍ରା କରିଥିଲେ ।