ବର୍ଷକୁ ୯୦ ଲକ୍ଷ ପ୍ରଦୂଷଣ ମୃତ୍ୟୁ, ଭାରତରେ ପ୍ରଦୂଷଣ ନେଉଛି ୨୪ ଲକ୍ଷ ଜୀବନ

ନୂଆଦିଲ୍ଲୀ: ପ୍ରଦୂଷଣଜନିତ ମୃତ୍ୟୁ ଦିନକୁ ଦିନ ଭୟାନକ ରୂପ ନେବାରେ ଲାଗିଛି । ବିଭିନ୍ନ ପ୍ରକାରର ପ୍ରଦୂଷଣ ଯୋଗୁଁ ବିଶ୍ବରେ ବର୍ଷକୁ ୯୦ ଲକ୍ଷ ଲୋକଙ୍କ ମୃତ୍ୟୁ ହେଉଛି। ଅର୍ଥା‌ତ ପ୍ରତି ୬ ଜଣରେ ଜଣଙ୍କର ପ୍ରଦୂଷଣ ଯୋଗୁଁ ମୃତ୍ୟୁ ହେଉଛି। କେବଳ ଭାରତରେ ୨୦୧୯ରେ ପ୍ରଦୂଷଣ ପାଇଁ ଭାରତରେ ୨୩.୫ ଲକ୍ଷ ଲୋକଙ୍କ ଅକାଳ ମୃତ୍ୟୁ ହୋଇଛି। ବୈଶ୍ବିକ ପ୍ରଦୂଷଣ ମୃତ୍ୟୁସଂଖ୍ୟାର ଏହା ଏକ ଚତୁର୍ଥାଂଶ। ଲାନସେଟ୍‌ ପ୍ଲାନେଟାରି ‌ହେଲ୍‌ଥ ପତ୍ରିକାରେ ପ୍ରକାଶିତ ଏକ ନୂଆ ଅଧ୍ୟୟନରୁ ଏହା ଜଣାପଡ଼ିଛି। କେବଳ ବାୟୁ ପ୍ରଦୂଷଣ ଯୋଗୁଁ ଭାରତରେ ୧୬.୭ ଲକ୍ଷ ମୃତ୍ୟୁ ହୋଇଛି। ବିଶ୍ବର ଅନ୍ୟ ରାଷ୍ଟ୍ରମାନଙ୍କ ତୁଳନାରେ ଏହା ସର୍ବାଧିକ। ବ୍ୟାପକ ବାୟୁ ପ୍ରଦୂଷଣ ପାଇଁ ଭାରତରେ ୯.୮ ଲକ୍ଷ ମୃତ୍ୟୁ ହୋଇଥିବା ବେଳେ ଘରୋଇ ବାୟୁ ପ୍ରଦୂଷଣ ପାଇଁ ୬.୧ ଲକ୍ଷ ମୃତ୍ୟୁ ହୋଇଛି। ଭାରତ ପଛକୁ ଚୀନ୍‌ରେ ପ୍ରଦୂଷଣ ଜନିତ ମୃତ୍ୟୁସଂଖ୍ୟା ୨୨ ଲକ୍ଷ ରହିଛି। ଆମେରିକା ସଂପୂର୍ଣ୍ଣ ଭାବେ ଶିଳ୍ପୋଦ୍ୟୋଗ ଉପରେ ନିର୍ଭରଶୀଳ ଥିଲେ ମଧ୍ୟ ଏଠାରେ ପ୍ରଦୂଷଣଜନିତ ମୃତ୍ୟୁସଂଖ୍ୟା କମ୍‌ ରହିଛି। ପ୍ରଦୂଷଣ ମୃତ୍ୟୁ କ୍ଷେତ୍ରରେ ଶୀର୍ଷ ୧୦ ରାଷ୍ଟ୍ରର ତାଲିକାରେ ଆମେରିକା ସପ୍ତମ ସ୍ଥାନରେ ରହିଛି।

Image Courtesy of NDTV

ବ୍ୟାପକ ବାୟୁ ପ୍ରଦୁଷଣ ଏବଂ ବିଷାକ୍ତ ରସା‌ୟନ ସମେତ ସମସ୍ତ ଆଧୁନିକ ପ୍ରକ୍ରିୟାଜନିତ ପ୍ରଦୂଷଣ ଯୋଗୁଁ ହେଉଥିବା‌ ଆର୍ଥିକ କ୍ଷତି ଦେଶର ଜିଡିପିର ୧ ପ୍ରତିଶତ। ତେବେ ୭୫ ପ୍ରତିଶତ ମୃତ୍ୟୁ କେବଳ ବ୍ୟାପକ ବାୟୁ ପ୍ରଦୂଷଣ ଯୋଗୁଁ ହେଉଛି। କେବଳ ଚୀନ୍‌ରେ ବାୟୁ ପ୍ରଦୂଷଣ ପାଇଁ ସର୍ବାଧିକ ୧୮ ଲକ୍ଷ ଲୋକଙ୍କ ମୃତ୍ୟୁ ହୋଇଛି। ଅନ୍ୟପକ୍ଷେ ବିଷାକ୍ତ ରସା‌ୟନ ପ୍ରଦୂଷଣ ପାଇଁ ବିଶ୍ବରେ ୧୮ ଲକ୍ଷରୁ ଅଧିକ ଲୋକଙ୍କ ମୃତ୍ୟୁ ହୋଇଛି। ୨୦୦୦ ମସିହା ତୁଳନାରେ ଏହି ମୃତ୍ୟୁସଂଖ୍ୟା ୬୬ ପ୍ରତିଶତ ବୃଦ୍ଧି ପାଇଛି। ପ୍ରଦୂଷଣଜନିତ ସ୍ବାସ୍ଥ୍ୟ ସମସ୍ୟା ପାଇଁ ନିମ୍ନ ଏବଂ ମଧ୍ୟମ ରୋଜଗାର ଥିବା ରାଷ୍ଟ୍ରଗୁଡ଼ିକ ଉପରେ ଅତି ଶୋଚନୀୟ ପ୍ରଭାବ ପଡ଼ୁଛି। ଘରୋଇ ଭାବେ ବାୟୁ ଏବଂ ଜଳ ପ୍ରଦୂଷଣ କମିଥିଲେ ସୁଦ୍ଧା ଶିଳ୍ପ ପ୍ରଦୂଷଣ ଯୋଗୁଁ ମୃତ୍ୟୁ ବଢ଼ୁଛି। ପ୍ରଦୂଷଣ ହେଉଛି ବ୍ୟାଧି ଏବଂ ଅକାଳ ମୃତ୍ୟୁ ପାଇଁ ବିଶ୍ବର ସବୁଠୁ ବଡ଼ ବିପଦ। ଅତି ନିମ୍ନ ଏବଂ ମଧ୍ୟମ ରୋଜଗାର ଥିବା ରାଷ୍ଟ୍ରଗୁଡ଼ିକ ଉପରେ ଏହାର ସାଂଘାତିକ ପ୍ରଭାବ ପରିଲକ୍ଷିତ ହେଉଛି।

ସମ୍ବନ୍ଧିତ ଖବର