ନୂଆଦିଲ୍ଲୀ: ଦେଶରେ କରୋନା ସଂକ୍ରମଣ ମାମଲା ୭ ଲକ୍ଷ ୭୦ ହଜାର ଅତିକ୍ରମ କରିଯାଇଛି। ଗତକାଲି ଗୋଟିଏ ଦିନରେ ପୁଣି ଦେଶରେ ୨୪ ହଜାର ୮୭୯ ନୂଆ ସଂକ୍ରମଣ ମାମଲା ଚିହ୍ନଟ‌ ହୋଇଛି ଏବଂ ୪୮୭ ଜଣଙ୍କ ମୃତ୍ୟୁ ହୋଇଛି। ଆଜି ସକାଳ ୮ଟା ସୁଦ୍ଧା ଦେଶରେ ମୋଟ୍‌ ସଂକ୍ରମଣ ମାମଲା ୭ ଲକ୍ଷ ୬୭ ହଜାର ୨୯୬ରେ ପହଞ୍ଚିଥିବା ବେଳେ ୨୧ ହଜାର ୧୨୯ ଜଣଙ୍କ ମୃତ୍ୟୁ ହୋଇଛି। ଅନ୍ୟପକ୍ଷେ ୪ ଲକ୍ଷ ୭୬ ହଜାର ୩୭୭ ଜଣ ଆରୋଗ୍ୟ ହୋଇଛନ୍ତି ଏବଂ ଦେଶରେ ୨ ଲକ୍ଷ ୬୯ ହଜାର ୭୮୯ ସକ୍ରିୟ ମାମଲା ରହିଛି। ଦେଶରେ ୬୨.୦୮ ପ୍ରତିଶତ ‌ରୋଗୀ କରୋନାରୁ ସୁସ୍ଥ ହୋଇ ସାରିଛନ୍ତି।

Advertisment

ଗତ ୨୪ ଘଣ୍ଟା ମଧ୍ୟରେ ମହାରାଷ୍ଟ୍ରରୁ ସର୍ବାଧିକ ୧୯୮, ତାମିଲନାଡ଼ୁରୁ ୬୪, କର୍ଣ୍ଣାଟକରୁ ୫୪ ଏବଂ ଦିଲ୍ଲୀରୁ ୪୮ ଜଣଙ୍କ ମୃତ୍ୟୁ ହୋଇଛି। ତେବେ ଦେଶରେ ୮ଟି ରାଜ୍ୟରୁ ୯୦ ପ୍ରତିଶତ ସକ୍ରିୟ ମାମଲା ଚିହ୍ନଟ ହୋଇଛି। ମହାରାଷ୍ଟ୍ର, ତାମିଲନାଡ଼ୁ, ଦିଲ୍ଲୀ, କର୍ଣ୍ଣାଟକ ଏବଂ ତେଲେଙ୍ଗାନା ସମେତ ୮ଟି ରାଜ୍ୟରେ ୯୦ ପ୍ରତିଶତ ସକ୍ରିୟ ମାମଲା ରହିଛି। ସେହିପରି ୪୯ଟି ଜିଲ୍ଲାରୁ ୮୦ ପ୍ରତିଶତ ସକ୍ରିୟ ମାମଲା ଚିହ୍ନଟ ହୋଇଛି। ୬ଟି ରାଜ୍ୟ ତଥା ମହାରାଷ୍ଟ୍ର, ଦିଲ୍ଲୀ, ଗୁଜରାଟ, ତାମିଲନାଡ଼ୁ, ଉତ୍ତରପ୍ରଦେଶ ଏବଂ ପଶ୍ଚିମବଙ୍ଗରେ ୮୬ ପ୍ରତିଶତ କୋଭିଡ ମୃତ୍ୟୁ ରେକର୍ଡ କରାଯାଇଛି ବୋଲି କେନ୍ଦ୍ର ସରକାରଙ୍କ ପକ୍ଷରୁ ସୂଚନା ଦିଆଯାଇଛି। କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ ହର୍ଷବର୍ଦ୍ଧନଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ୧୮ ତମ ମନ୍ତ୍ରୀ ଗୋଷ୍ଠୀ ବୈଠକରେ ଏହା କୁହାଯାଇଛି ଯେ, ଅଧିକ ମୃତ୍ୟୁହାର ଥିବା ସ୍ଥାନରେ ସ୍ବତନ୍ତ୍ର ଫୋକସ୍‌ କରାଯାଇଛି।