ନର୍ଥଉମ୍ବ୍ରିଆ ବିଶ୍ବବିଦ୍ୟାଳୟର ଗବେଷଣା, ୯୦% ଖାଦ୍ୟବିକାରଙ୍କୁ ସଂକ୍ରମଣ ଆଶଙ୍କା ଅଧିକ

ନୂଆଦିଲ୍ଲୀ: ଖାଦ୍ୟ ଖାଇବାରେ ବିକାର ଦେଖାଉଥିବା ଲୋକମାନଙ୍କ ମଧ୍ୟରୁ ୯୦ ପ୍ରତିଶତଙ୍କୁ କୋଭିଡ୍‌ ସଂକ୍ରମିତ ହେବାର ଆଶଙ୍କା ଅଧିକ ରହିଛି। ସେହିପରି ସେମାନଙ୍କ ଭିତରୁ ୩୦ ପ୍ରତିଶତଙ୍କ ଠାରେ ଦେଖାଦେଇଥିବା ଲକ୍ଷଣଗୁଡ଼ିକ ବେଶି ଖରାପ ହୋଇଛି ବୋଲି ଯୁକେର ନିଉକ୍ୟାସଲ୍‌ ସ୍ଥିତ ନର୍ଥଉମ୍ବ୍ରିଆ ବିଶ୍ବବିଦ୍ୟାଳୟର ଗବେଷକମାନେ କରିଥିବା ଏକ ଅନୁଧ୍ୟାନରୁ ଜଣାଯାଇଛି। ମହାମାରୀ କୋଭିଡ୍‌ ଆବିର୍ଭାବର ପ୍ରାରମ୍ଭିକ ସମୟରେ ୟୁକେରେ ଏପରି ଖାଦ୍ୟ ଗ୍ରହଣରେ ଅବ୍ୟବସ୍ଥା ଥିବା ଲୋକମାନଙ୍କ ଠାରେ ଦେଖାଦେଇଥିବା ଲକ୍ଷଣ ସବୁକୁ ତର୍ଜମା କରି ଏହି ଗବେଷକମାନେ ଏପରି ପରିସଂଖ୍ୟାନ ପାଇପାରିଛନ୍ତି। ସେମାନଙ୍କ କହିବା ଅନୁସାରେ, ଲକ୍‌ଡାଉନ୍‌ ଓ ସାମାଜିକ ଦୂରତା କଟକଣା ପାଇଁ ପ୍ରତ୍ୟେକଙ୍କ ସ୍ବାସ୍ଥ୍ୟାବସ୍ଥାରେ ନକାରାତ୍ମକ ପ୍ରଭାବ ପକାଇଛି।

ଏଠାରେ ଉଲ୍ଲେଖଯୋଗ୍ୟ, ଆମେରିକୀୟ ମାନସିକ ରୋଗ ସଂଗଠନ ଦ୍ବାରା ସ୍ଥିରୀକୃତ ଖାଦ୍ୟ ବିକାରର ମାନେ ହେଲା ଏହା ଏଭଳି ଏକ ଅସୁସ୍ଥତା ଯେଉଁଥିରେ ଜଣେ ନିଜର ଖାଦ୍ୟାଭ୍ୟାସ ସମେତ ତତ୍ ସଂକ୍ରାନ୍ତ ଚିନ୍ତାଧାରା ଓ ଭାବାବେଗରେ ଘୋର ବିଶୃଙ୍ଖଳା ପ୍ରଦର୍ଶନ କରିଥାଏ। ଏଥିରେ ପୀଡ଼ିତ କୌଣସି ଆକ୍ରାନ୍ତ ବିଶେଷ କରି ନିର୍ଦ୍ଦିଷ୍ଟ ଖାଦ୍ୟ ପ୍ରତି ଅହେତୁକ ଦୁର୍ବଳତା ରଖିଥାଏ। ତେବେ ଏହି ଖାଦ୍ୟବିକାର ସହିତ ଉତ୍କଣ୍ଠା, ଭୀତତ୍ରସ୍ତ ହେବା, ନିଶାଦ୍ରବ୍ୟ ଏବଂ ଡ୍ରଗ୍‌ସ ସେବନ ପ୍ରତି ଆକର୍ଷିତ ହେବା ପରି ମାନସିକ ସମସ୍ୟାଗୁଡ଼ିକ ଜଡ଼ିତ ହୋଇ ରହିଥାଏ। ତେବେ ସର୍ବୋପରି ଏହି ଖାଦ୍ୟବିକାରଗ୍ରସ୍ତତା ହିଁ ମାନସିକ ଅସୁସ୍ଥତା ସହ ସଂଶ୍ଳିଷ୍ଟ ବୋଲି ନୂଆଦିଲ୍ଲୀ ସ୍ଥିତ ଫର୍ଟିସ ହେଲ୍‌ଥକେୟାରର ମାନସିକ ସ୍ବାସ୍ଥ୍ୟ ବିଭାଗ ମୁଖ୍ୟ ଡା. କାମନା ଛିବର କହିଛନ୍ତି। ଏ ପ୍ରକାର ବିଶୃଙ୍ଖଳା ଏଥିରେ ପୀଡ଼ିତ ଥିବା ବ୍ୟକ୍ତି ସମେତ ତାହା ସହ ଜଡ଼ିତ ସାରା ସାମାଜିକ ପ୍ରଣାଳୀକୁ ମଧ୍ୟ ପ୍ରଭାବିତ କରିଥାଏ। ତେବେ ଆମ ଦେଶର ସମସ୍ୟା ହେଲା ଏଠାରେ ମାନସିକ ସ୍ବାସ୍ଥ୍ୟ ସମ୍ପର୍କରେ ସେତେ ବେଶି ଗୁରୁତ୍ବର ସହ ଆଲୋଚନା ହୋଇନଥାଏ ଯେପରି ପାଶ୍ଚାତ୍ୟ ରାଷ୍ଟ୍ରମାନଙ୍କରେ ଘଟିଥାଏ। ତେବେ ଏବେ ସେ ଦିଗରେ ଅଧିକ ଆଲୋକପାତ କରିବାର ସମୟ ଆସିଛି ବୋଲି ଡା. ଛିବର କହିଛନ୍ତି। ଖାଦ୍ୟବିକାର ସମ୍ପର୍କରେ ରହି ଆସିଥିବା ବିଭିନ୍ନ ବଦ୍ଧମୂଳ ଧାରଣାକୁ ହଟାଇବାକୁ ହେବ। ଲୋକମାନଙ୍କୁ ମଧ୍ୟ ଏଥିପାଇଁ ଆବଶ୍ୟକ ଚିକିତ୍ସା ପରାମର୍ଶ ପାଇଁ ଆଦୌ କୁଣ୍ଠାବୋଧ କରିବାର କାରଣ ନାହିଁ ବୋଲି ସେ କହିଛନ୍ତି।

ସମ୍ବନ୍ଧିତ ଖବର