ପୁଣେ: ଚେନ୍ନାଇ-ପାଲିତାନା ମଧ୍ୟରେ ଏକ ସ୍ୱତନ୍ତ୍ର ଟ୍ର୍ରେନ୍‌ ଯାତ୍ରା କରୁଥିବା ପ୍ରାୟ ୯୦ ଜଣ ଯାତ୍ରୀ ବିଷାକ୍ତ ଖାଦ୍ୟ (ଫୁଡ୍‌ ପଏଜନିଂ)ର ଶିକାର ହୋଇଛନ୍ତି।

Advertisment

ମଙ୍ଗଳବାର ସନ୍ଧ୍ୟାରେ ମହାରାଷ୍ଟ୍ରର ପୁଣେ ରେଳ ଷ୍ଟେସନରେ ଡାକ୍ତରମାନେ ସମସ୍ତ ଅସୁସ୍ଥ ଯାତ୍ରୀଙ୍କୁ ଚିକିତ୍ସା କରିଥିଲେ ଏବଂ ସେମାନଙ୍କୁ ଆବଶ୍ୟକ ଚିକିତ୍ସା ପ୍ରଦାନ କରିଥିଲେ। ଫଳରେ ପ୍ରାୟ ୫୦ ମିନିଟ୍‌ ବିଳମ୍ବରେ ଟ୍ରେନ୍‌ଟି ନିଜ ଗନ୍ତବ୍ୟସ୍ଥଳ ଅଭିମୁଖେ ଆଗେଇଥିଲା।

କେନ୍ଦ୍ରୀୟ ରେଳବାଇର ମୁଖ୍ୟ ଲୋକ ସମ୍ପର୍କ ଅଧିକାରୀ ଡକ୍ଟର ଶିବରାଜ ମାନସପୁରେ କହିଛନ୍ତି ଯେ ଗୁଜରାଟର ପାଲିତାନାଠାରେ ଏକ ଧାର୍ମିକ କାର୍ଯ୍ୟକ୍ରମ ପାଇଁ ‘ଭାରତ ଗୌରବ’ ଟ୍ରେନ୍‌କୁ ଏକ ଗୋଷ୍ଠୀ (ଗ୍ରୁପ୍‌) ବ୍ୟକ୍ତିଗତ ଭାବେ ବୁକ୍‌ କରିଥିଲେ।

ଏହି ଗ୍ରୁପ୍‌ ଘରୋଇ ଭାବେ ଖାଦ୍ୟ କିଣିଥିଲେ ଏବଂ ଏହା ରେଳବାଇ କିମ୍ବା ଭାରତୀୟ ରେଳବାଇ କ୍ୟାଟରିଂ ଆଣ୍ଡ ଟୁରିଜିମ୍‌ କର୍ପୋରେସନ୍‌ (ଆଇଆରସିଟିସି) ଦ୍ୱାରା ଯୋଗାଇ ଦିଆଯାଇ ନଥିଲା। ତେବେ, ଯାତ୍ରୀମାନେ ଖାଇଥିବା ଖାଦ୍ୟ ଟ୍ରେନ୍‌ର ପ୍ୟାଣ୍ଟ୍ରି କାର୍‌ରେ ପ୍ରସ୍ତୁତ କରାଯାଇଥିଲା।

ଟ୍ରେନ୍‌ରେ ମିଳିଥିବା ଖାଦ୍ୟ ଖାଇବା ପରେ ସୋଲାପୁର ଓ ପୁଣେ ମଧ୍ୟରେ ଏକ ବଗିର ପ୍ରାୟ ୮୦ରୁ ୯୦ ଜଣ ଯାତ୍ରୀ ଫୁଡ୍‌ ପଏଜନିଂ ନେଇ ଅଭିଯୋଗ କରିଥିଲେ। ସେମାନେ ବାନ୍ତି, ମୁଣ୍ଡବୁଲା ଏବଂ ମୁଣ୍ଡବିନ୍ଧାର ଅଭିଯୋଗ କରିଥିଲେ।
ପୁଣେ ଷ୍ଟେସନରେ ଡାକ୍ତରଙ୍କ ଏକ ଟିମ୍‌ ସମସ୍ତ ଯାତ୍ରୀଙ୍କୁ ଚିକିତ୍ସା କରିଥିଲେ। ପରେ ୫୦ ମିନିଟ୍‌ ପରେ ଟ୍ରେନ୍‌ଟି ପୁଣେ ଛାଡ଼ିଥିଲା। ସେତେବେଳକୁ ସମସ୍ତ ଯାତ୍ରୀଙ୍କ ଅବସ୍ଥା ସ୍ଥିର ରହିଥିଲା।