୯୦% ମନ୍ତ୍ରୀ କୋଟିପତି, ୪୨% ମନ୍ତ୍ରୀଙ୍କ ବିରୋଧରେ ଫୌଜଦାରୀ ମାମଲା

ନୂଆଦିଲ୍ଲୀ : ବୁଧବାର ଦିନ କେନ୍ଦ୍ର ମନ୍ତ୍ରିମଣ୍ଡଳ ସମ୍ପ୍ରସାରଣ ପରେ ମନ୍ତ୍ରୀ ସଂଖ୍ୟା ୭୮କୁ ବୃଦ୍ଧି ପାଇଛି। ସେମାନଙ୍କ ମଧ୍ୟରୁ ୩୩ ଜଣଙ୍କ ବିରୋଧରେ ଅପରାଧିକ ମାମଲା ରହିଛି ବୋଲି ଏଡିଆର (ଆସୋସିଏସନ୍‌ ଫର୍‌ ଡେମୋକ୍ରାଟିକ୍‌ ରିଫର୍ମ‌୍‌ସ ) ଦ୍ବାରା ପ୍ରକାଶିତ ରିପୋର୍ଟରୁ ଜଣାପଡ଼ିଛି। ୨୪ ଜଣ ମନ୍ତ୍ରୀଙ୍କ ବିରୋଧରେ ଗୁରୁତର ଅପରାଧିକ ମାମଲା ରହିଛି। ନୂଆ ମନ୍ତ୍ରିମଣ୍ଡଳର ୪୨ ପ୍ରତିଶତ ସଦସ୍ୟ ସେମାନଙ୍କ ବିରୋଧରେ ଅପରାଧିକ ମାମଲା ଥିବା ଘୋଷଣା କରିଛନ୍ତି। ମନ୍ତ୍ରୀମାନଙ୍କ ନିର୍ବାଚନୀ ସତ୍ୟପାଠ ତଥ୍ୟରୁ ଏହା ଜଣାପଡ଼ିଛି।

୪ ମନ୍ତ୍ରୀଙ୍କ ବିରୋଧରେ ଆଇପିସିର ଧାରା ୩୦୭ ଅଧୀନରେ ହତ୍ୟା ଉଦ୍ୟମ ମାମଲା ରହିଛି। ସେମାନେ ହେଉଛନ୍ତି ଜନ୍‌ ବାର୍ଲା, ନିଶୀଥ ପରମାଣିକ, ପଙ୍କଜ ଚୌଧରୀ ଏବଂ ଭି ମୁରଲୀଧରନ୍‌। ସେହିଭଳି ମୋଟ୍‌ ୭୦ ଜଣ ମନ୍ତ୍ରୀ ତଥା ମନ୍ତ୍ରିମଣ୍ଡଳର ୯୦ ପ୍ରତିଶତ ମନ୍ତ୍ରୀ କୋଟିପତି। ପ୍ରତି ମନ୍ତ୍ରୀଙ୍କ ହାରାହାରି ସମ୍ପତ୍ତି ପ୍ରାୟ ୧୬.୨୪ କୋଟି ରହିଛି। ୪ ମନ୍ତ୍ରୀ ସେମାନଙ୍କର ୫୦ କୋଟିରୁ ଅଧିକ ସମ୍ପତ୍ତି ଥିବା ଘୋଷଣା କରିଛନ୍ତି। ସେମାନେ ହେଉଛନ୍ତି ଜ୍ୟୋତିରାଦିତ୍ୟ ସିନ୍ଧିଆ (୩୭୯ କୋଟି), ପୀୟୂ‌ଷ ଗୋୟଲ୍‌ (୯୫ କୋଟି), ନାରାୟଣ ରାଣେ (୮୭ କୋଟି) ଏବଂ ରାଜୀବ ଚନ୍ଦ୍ରଶେଖର (୬୪ କୋଟି)। ସବୁଠାରୁ କମ୍ ସଂପତ୍ତି ଥିବା ନେତା ହେଉଛନ୍ତି ପ୍ରତିମା ଭୌମିକ୍ (୬ ଲକ୍ଷ), ଜନ୍ ବାର୍ଲା (୧୪ ଲକ୍ଷ), କୈଳାଶ ଚୌଧୁରୀ (୨୪ ଲକ୍ଷ) ଏବଂ ବିଶ୍ବେଶ୍ବର ଟୁଡୁ (୨୭ ଲକ୍ଷ)।

ସମ୍ବନ୍ଧିତ ଖବର