ଆସାମରେ ଆଉ ଏକ ଭୋଟ ହେରାଫେରି ; ଗୋଟିଏ ବୁଥରେ ଭୋଟର ସଂଖ୍ୟା ୯୦, କିନ୍ତୁ ଭୋଟ ପଡ଼ିଛି ୧୮୧

ଗୁଆହାଟୀ : ଆସାମ ନିର୍ବାଚନରେ ଆଉ ଏକ ବଡ଼ ଧରଣର ହେରାଫେରି ଧରାପଡ଼ିଛି । ଗୋଟିଏ ପୋଲିଂ ବୁଥରେ ଯେତିକି ପଂଜୀକୃତ ଭୋଟର ଅଛନ୍ତି ତାହାର ଦୁଇଗୁଣ ଭୋଟ ପଡ଼ିଛି । ଏହା ଜଣାପଡ଼ିବା ପରେ ନିର୍ବାଚନ ଆୟୋଗ ୬ ଜଣ ଅଧିକାରୀଙ୍କୁ ନିଲମ୍ବିତ କରିଛନ୍ତି ।

ଘଟଣାଟି ଘଟିଛି ଦିମା ହସାଓ ଜିଲ୍ଲାରେ ଥିବା ଏକ ପୋଲିଂ ବୁଥରେ । ଏହି ପୋଲିଂ ବୁଥରେ ମାତ୍ର ୯୦ ପଂଜୀକୃତ ଭୋଟ ଥିବାବେଳେ ସେଠାରେ ୧୮୧ଟି ଭୋଟ ପଡ଼ିଛି । ଏହି ବୁଥଟି ହାଫଲଙ୍ଗ ନିର୍ବାଚନ ମଣ୍ଡଳୀରେ ଆସୁଛି । ଗତ ଥର (୨୦୧୬ରେ) ଏହି ଆସନରୁ ବିଜେପିର ବୀରଭଦ୍ର ହାଗଜେର ଜିତିଥିଲେ ।

ସଂପୃକ୍ତ ପୋଲିଂ ବୁଥଟି ଏକ ମୁଖ୍ୟ ପୋଲିଂ ବୁଥର ଏକ ସହାୟକ ବୁଥ ଭାବେ ଖୋଲାଯାଇଥିଲା । କରୋନା ଯୋଗୁଁ ଜନଗହଳି କମାଇବାକୁ ପ୍ରତି ପାରମ୍ପରିକ ବୁଥ ଅଧିନରେ ନୂଆ ବୁଥ ଖୋଲାଯାଇଛି । ଏହି ବୁଥରେ ମାତ୍ର ୯୦ ଜଣ ପଂଜୀକୃତ ଭୋଟର ଥିବାବେଳେ ପ୍ରାୟ ୧୮୧ ଜଣ ଭୋଟ ଦେଇଛନ୍ତି । ମୁଖ୍ୟ ବୁଥରୁ କେତେକ ଭୋଟର ଆସି ଭୋଟ ଦେଇଥିବା ପ୍ରିଜାଇଡିଂ ଅଫିସର ସ୍ବୀକାର କରିଛନ୍ତି । ଏହି ବୁଥରେ ପୁନଃ ଭୋଟଗ୍ରହଣ କରିବାକୁ ଆୟୋଗ ବିଚାର କରୁଛନ୍ତି ।

ସମ୍ବନ୍ଧିତ ଖବର