ମଧ୍ୟ ପ୍ରଦେଶ : ମଧ୍ୟପ୍ରଦେଶର ଦେୱାସ ଜିଲ୍ଲାର ଜଣେ ୯୦ ବର୍ଷିୟା ବୃଦ୍ଧା ଡ୍ରାଇଭିଂ ଶିଖୁଛନ୍ତି। ସେ କାର୍ ଚଳାଉଥିବା ଦୃଶ୍ୟ ଗୁରୁବାର ସୋସିଆଲ ମିଡିଆରେ ଭାଇରାଲ ହେବା ପରେ ଏହା କୌତୂହଳ ସୃଷ୍ଟି କରିଛି। ହଜାର ହଜାର ୟୁଜର୍ସ ଏହାକୁ ଲାଇକ୍ କରିଛନ୍ତି।
ଦେୱାସ ଜିଲ୍ଲାର ବିଲାବଳି ଅଞ୍ଚଳରେ ରହୁଥିବା ରେଶମ ବାଈ ତମ୍ବର (୯୦) କହିଛନ୍ତି, ତାଙ୍କ ଝିଅ ଓ ବୋହୂ ସମେତ ପରିବାରର ସମସ୍ତେ ଡ୍ରାଇଭିଂ ଜାଣନ୍ତି ଏବଂ ଗାଡ଼ି ଚଲାନ୍ତି। ତେଣୁ ଡ୍ରାଇଭିଂ ଶିଖିବାକୁ ତାଙ୍କର ବହୁତ ଇଚ୍ଛା ଥିଲା। ତାଙ୍କ ପାଖରେ କାର୍ ଏବଂ ଟ୍ରାକ୍ଟର ଅଛି। କାର୍ ସହିତ ସେ ଟ୍ରାକ୍ଟର ବି ଚଲାନ୍ତି। ମଧ୍ୟ ପ୍ରଦେଶ ମୁଖ୍ୟମନ୍ତ୍ରୀ ଶିବରାଜ ସିଂହ ଚୌହାନ ଟ୍ବିଟ୍ କରି କହିଛନ୍ତି, ଦାଦୀ ମା ଆମ ସମସ୍ତଙ୍କୁ ପ୍ରେରଣା ଦେଇଛନ୍ତି। ନିଜର ଇଚ୍ଛା ବା ପସନ୍ଦକୁ ପୂରଣ କରିବା ପାଇଁ କୌଣସି ବୟସ ସୀମାର ଆବଶ୍ୟକତା ନାହିଁ। ବୟସ ଯେତେ ହୋଇଥାଉ ନା କାହିଁକି ଜୀବନ ଜିଇଁବା ପାଇଁ ଦୃଢ଼ ଇଚ୍ଛାଶକ୍ତି ଦରକାର ବୋଲି ସେ କହିଛନ୍ତି।