ଭାରତରେ କରୋନା: ଆକ୍ରାନ୍ତ ସଂଖ୍ୟା ୯୦୦ ଟପିଲା, ୨୪ ଘଣ୍ଟାରେ ୧୪୯ ମାମଲା

୨୫ ରାଜ୍ୟରେ ୮୮୦ ଆକ୍ରାନ୍ତ, ୮୦ ଜଣ ଆରୋଗ୍ୟ ଲାଭ କରିଛନ୍ତି

ନୂଆଦିଲ୍ଲୀ: ବ୍ୟାପକ କଟକଣା ଏବଂ ଲକ୍‌ଡାଉନ୍‌ ସତ୍ତ୍ବେ ଦେଶବ୍ୟାପୀ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ବିଗତ ୨୪ ଘଣ୍ଟା ମଧ୍ୟରେ ୧୪୯ଟି ନୂଆ ମାମଲା ସାମ୍ନାକୁ ଆସିଛି ଏବଂ ଆକ୍ରାନ୍ତଙ୍କ ସଂଖ୍ୟା ୯୧୮ରେ ପହଞ୍ଚିଛି। ୮୦ ଆକ୍ରାନ୍ତ କରୋନାରୁ ମୁକ୍ତ ହୋଇ ହସ୍ପିଟାଲରୁ ଫେରିଥିବା ବେଳେ ୨୦ ଜଣ ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି। କେରଳ ଏବଂ ମହାରାଷ୍ଟ୍ରରେ ଏବେ ସର୍ବାଧିକ ଆକ୍ରାନ୍ତ ଅଛନ୍ତି। ମହାରାଷ୍ଟ୍ରରେ ୧୮୦ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ରାଜ୍ୟରେ ୫ ଜଣ କରୋନାରେ ପ୍ରାଣ ହରାଇଛନ୍ତି। ୨୫ ଜଣ ସଂକ୍ରମଣରୁ ମୁକ୍ତ ହୋଇ ଘରକୁ ଫେରିଛନ୍ତି। ଅନ୍ୟପକ୍ଷରେ କେରଳରେ ଆକ୍ରାନ୍ତଙ୍କ ସଂଖ୍ୟା ୧୭୩ରେ ପହଞ୍ଚିଛି। ୧୧ ଜଣ ସୁସ୍ଥ ହୋଇଥିବା ବେଳେ କେହି କରୋନାରେ ଜଣେ ବ୍ୟକ୍ତି ପ୍ରାଣ ହରାଇଛନ୍ତି। କେରଳରେ ଆଗକୁ ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବା ସମ୍ଭାବନା ଥିବାରୁ ରାଜ୍ୟ ସରକାର ୨ ଲକ୍ଷ ସ୍ବେଚ୍ଛାସେବୀଙ୍କୁ କରୋନା ମୁକାବିଲାରେ ନିୟୋଜିତ କରିବାକୁ ଯୋଜନା କରିଛନ୍ତି। ହସ୍ପିଟାଲରେ ଆକ୍ରାନ୍ତଙ୍କୁ ଖାଦ୍ୟ ଯୋଗାଣ ଏବଂ ଅନ୍ୟ ସେବାରେ ଏହି ସ୍ବେଚ୍ଛାସେବୀମାନଙ୍କୁ ନିୟୋଜିତ କରାଯିବ।

କର୍ଣ୍ଣାଟକରେ ୫୫ ଜଣ୍ତ ଚିହ୍ନଟ ହୋଇଛନ୍ତି ଏବଂ ସେମାନଙ୍କ ମଧ୍ୟରୁ ୨ ଜଣଙ୍କ ମୃତ୍ୟୁ ଘଟିଛି। ଏଠାରେ ୩ ଜଣ ଆରୋଗ୍ୟ ଲାଭ କରିଛନ୍ତି। ତେଲେଙ୍ଗାରେ ୪୮ ଜଣ କରୋନା ଆକ୍ରାନ୍ତ ହୋଇଛନ୍ତି ଏବଂ କାହାର ମୃତ୍ୟୁ ହୋଇନାହିଁ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଗୃହ ରାଜ୍ୟ ଗୁଜରାଟରେ ୪୫ଟି କରୋନା ଭାଇରସ ମାମଲା ଆସିଛି ଏବଂ ସମସ୍ତେ ଚିକିତ୍ସାଧୀନ ଅଛନ୍ତି। ଗୁଜରାଟରେ ୩ ଜଣ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି। ରାଜସ୍ଥାନରେ ୪୮ ଜଣ ଆକ୍ରାନ୍ତ ହୋଇଥିବା ବେଳେ ୩ ଜଣ ସୁସ୍ଥ ହୋଇ ଫେରିଛନ୍ତି। ଉତ୍ତରପ୍ରଦେଶରେ ଆଜି ସୁଦ୍ଧା ମୋଟ ୪୫ ଜଣ କରୋନା ଆକ୍ରାନ୍ତ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୧୧ ଜଣ ସୁସ୍ଥ ହୋଇଛନ୍ତି ଏବଂ କାହାର ମୃତ୍ୟୁ ଘଟିନାହିଁ। ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ କହିଛନ୍ତି ଯେ ଦିଲ୍ଲୀରେ ଆକ୍ରାନ୍ତଙ୍କ ସଂଖ୍ୟା ୩୯ରେ ପହଞ୍ଚିଛି ଏବଂ ୬ ଜଣ ସୁସ୍ଥ ହୋଇଛନ୍ତି। ହରିୟାଣାରେ ୩୩ ଜଣ ଏବଂ ପଂଜାବରେ ୩୮ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ହରିୟାଣାରେ ୧୧ ଜଣ ଆକ୍ରାନ୍ତ ସୁସ୍ଥ ହୋଇଥିବା ରାଜ୍ୟ ସରକାରଙ୍କ ସୂତ୍ରରୁ ଜଣାପଡ଼ିଛି। ତାମିଲନାଡ଼ୁରେ ୩୮ ଜଣ କରୋନା ଆକ୍ରାନ୍ତଙ୍କ ମଧ୍ୟରୁ ଜଣଙ୍କର ମୃତ୍ୟୁ ଘଟିଛି। ମଧ୍ୟପ୍ରଦେଶରେ ୩୦ ଜଣ ଆକ୍ରାନ୍ତଙ୍କ ମଧ୍ୟରୁ ୨ ଜଣଙ୍କ ମୃତ୍ୟୁ ଘଟିଛି। ଚଣ୍ଡିଗଡ଼ରେ ୭ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଛତିଶଗଡ଼ରେ ୬ ଜଣ ଏବଂ ବିହାରରେ ୯ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଉତ୍ତରାଖଣ୍ଡରେ ୫ ଜଣ କରୋନା ଆକ୍ରାନ୍ତ ହୋଇଛନ୍ତି। ସବୁ ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ୁଥିବାରୁ ପ୍ରାୟ ୧୭ଟି ରାଜ୍ୟ କରୋନା ଆକ୍ରାନ୍ତଙ୍କ ଚିକିତ୍ସା ପାଇଁ ସ୍ବତନ୍ତ୍ର ହସ୍ପିଟାଲ ବ୍ୟବସ୍ଥା କରୁଛନ୍ତି। ସେନାର ୮ଟି କ୍ବାରାଣ୍ଟିନ ଶିବିର କାର୍ଯ୍ୟ କରୁଛି ଏବଂ ବିଦେଶରୁ ଆସିଥିବା ନାଗରିକମାନଙ୍କୁ ଏଥିରେ ରଖାଯାଇଛି।

ସମ୍ବନ୍ଧିତ ଖବର