ଖଡ଼ଗପୁର: ଦୀର୍ଘ ୯୦୦ ବର୍ଷର ଅନାବୃଷ୍ଟି ଯୋଗୁଁ ୪, ୩୫୦ ବର୍ଷ ପୂର୍ବେ ସିନ୍ଧୁ ଉପତ୍ୟକା ସଭ୍ୟତା ଲୋପ ପାଇଥିଲା ବୋଲି ଆଇଆଇଟି- ଖଡ଼ଗପୁରସ୍ଥିତ ବୈଜ୍ଞାନିକମାନେ ଜାଣିପାରିଛନ୍ତି। କେବଳ ୨୦୦ ବର୍ଷର ଅନାବୃଷ୍ଟି ଯୋଗୁଁ ସିନ୍ଧୁ ସଭ୍ୟତା ଲୋପ ପାଇଥିଲା ବୋଲି ପୂର୍ବରୁ ଗ୍ରହଣ କରାଯାଇଥିବା ତତ୍ତ୍ୱକୁ ସେମାନେ ଖଣ୍ଡନ କରିଛନ୍ତି।
Sambad is now on WhatsApp
Join and get latest news updates delivered to you via WhatsApp
ଏହି ନୂତନ ଅଧ୍ୟୟନ ଏଲ୍ସିଭାୟର୍ ଦ୍ୱାରା ଏ ମାସରେ ସମ୍ମାନଜନକ କ୍ୱାଟର୍ନେରି ଇଣ୍ଟର୍ନେସ୍ନାଲ୍ ଜର୍ଣ୍ଣାଲ୍ରେ ପ୍ରକାଶ ପାଇବ।
ଜିଓଲୋଜି ଏବଂ ଜିଓଫିଜିକ୍ସ୍ ବିଭାଗର ଗବେଷକମାନେ ୫୦୦୦ ହଜାର ବର୍ଷ ଅତୀତର ମୌସୁମୀ ଅନିୟମିତତା ଅଧ୍ୟୟନ କରି ଜାଣିବାକୁ ପାଇଛନ୍ତି ଯେ ଉତ୍ତରପଶ୍ଚିମ ହିମାଳୟରେ ୯୦୦ ବର୍ଷ ଧରି ବୃଷ୍ଟିପାତ ନ ହେବାରୁ ସଭ୍ୟତାକୁ ପୁଷ୍ଟ କରୁଥିବା ନଦୀର ଉତ୍ସ ଶୁଖି ଯାଇଥିଲା। ଫଳରେ ବର୍ଷା ପରିସ୍ଥିତି ଉତ୍ତମ ଥିବା ସିନ୍ଧୁ ସଭ୍ୟତାବାସୀ ବାଧ୍ୟ ହୋଇ ପୂର୍ବ ଏବଂ ଦକ୍ଷିଣ ଆଡ଼କୁ ଉଠି ଯାଇଥିଲେ।
ଆଇଆଇଟି- ଖଡ଼ଗପୁର ଟିମ୍ ଲେହ-ଲଦାଖସ୍ଥିତ ସୋ ମୋରିରି ଦ୍ରଦରରେ ମୌସୁମି ବର୍ଷାର ଅନିୟମିତତା ବିବରଣୀ ରେକର୍ଡ କରିଥିଲେ। ଜମାଟ ବାନ୍ଧିଥିବା ତୁଷାର ସ୍ରୋତ ସୂତ୍ରରୁ ସେମାନେ ଏହି ତଥ୍ୟ ଯୋଗାଡ଼ କରିଥିଲେ। ଏଥିରୁ ସେମାନେ କେବେ ଭଲ, କେବେ ସ୍ୱଳ୍ପ ଏବଂ କେବେ ଆଦୌ ମୌସୁମି ବର୍ଷା ହୋଇ ନ ଥିଲା ତାହା ଅନୁଧ୍ୟାନ କରିଥିଲେ।
ଅଧ୍ୟୟନରୁ ପ୍ରକାଶ ଯେ ୪, ୩୫୦ ବର୍ଷ ତଳେ ଅର୍ଥାତ୍ ଖ୍ରୀଷ୍ଟପୂର୍ବ ୨, ୩୫୦ ରୁ ଖ୍ରୀଷ୍ଟପୂର୍ବ ୧, ୪୫୦ ଯାଏଁ ଉନ୍ନତ ସିନ୍ଧୁ ସଭ୍ୟତା ଥିବା ଅଞ୍ଚଳରେ ମୌସୁମି ବର୍ଷାର ଦୁର୍ବଳ ପ୍ରଭାବ ଥିଲା। ଫଳତଃ ମରୁଡ଼ି ପରିସ୍ଥିତି ଉପୁଜିଥିଲା। ଫଳରେ ବାସିନ୍ଦାମାନେ ସବୁଜ ଚାରଣଭୂମି ଅନେ୍ଵଷଣରେ ସେ ସ୍ଥାନ ତ୍ୟାଗ କରି ଚାଲିଯିବାକୁ ବାଧ୍ୟ ହୋଇଥିଲେ। ଏକଥା କହିଛନ୍ତି ଗବେଷଣାର ନେତୃତ୍ୱ ନେଇଥିବା ତଥା ଜିଓଲୋଜି ବରିଷ୍ଠ ଅଧ୍ୟାପକ ଅନୀଲ କୁମାର ଗୁପ୍ତ।
ଏଥିପାଇଁ ଲୋକେ ଧୀରେ ଧୀରେ ଗଙ୍ଗା-ଯମୁନା ଉପତ୍ୟକାରେ ଥିବା ପୂର୍ବ ଏବଂ କେନ୍ଦ୍ରୀୟ ଉତ୍ତର ପ୍ରଦେଶ, ପୂର୍ବରେ ବିହାର ଏବଂ ବଙ୍ଗ, ମଧ୍ୟପ୍ରଦେଶ, ଦକ୍ଷିଣରେ ବିନ୍ଧ୍ୟାଞ୍ଚଳର ଏବଂ ଦକ୍ଷିଣ ଗୁଜରାଟ ଆଡ଼କୁ ଉଠିଯାଇଥିଲେ ବୋଲି ଗୁପ୍ତ କହିଛନ୍ତି।