ବେଜିଂ : ଚୀନରେ କରୋନାଭାଇରସର ପ୍ରକୋପ ବଢିଚାଲିଛି । ଏହି ଭାଇରସ ଦ୍ୱାରା ଏପର୍ଯ୍ୟନ୍ତ ସାରା ବିଶ୍ୱରେ ମୋଟ ୨୬ ଜଣ ମୃତ୍ୟୁମୁଖରେ ପଡ଼ିଛନ୍ତି । ଏ ସମସ୍ତ ମୃତ୍ୟୁ ଚୀନରେ ହୋଇଛି । ଏହି ଭାଇରସ ଦିନକୁ ଦିନ ଅଣାୟତ୍ତ ହେଉଥିବାରୁ ଚୀନ ସରକାର ମିଲିଟାରୀ ଡାକ୍ତରମାନଙ୍କୁ ବିଭିନ୍ନ ହସପିଟାଲକୁ ପଠାଇଛନ୍ତି । ପ୍ରଥମ ପର୍ଯ୍ୟାୟରେ ୪୦ ଜଣ ମିଲିଟାରୀ ଡାକ୍ତରଙ୍କୁ ପଠାଯାଇଛି । ଆଗାମୀ ଦିନରେ ଆଉ କେତେକ ମିଲିଟାରୀ ଡାକ୍ତରଙ୍କୁ ପ୍ରେରଣ କରାଯିବାକୁ ଯୋଜନା କରାଯାଉଛି ।
ଏହି ଭାଇରସର ସଂକ୍ରମଣ ଉପରେ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ତୀକ୍ଷଣ ନଜର ରଖିଛି । ଗତ କାଲି ସଂଗଠନ ପକ୍ଷରୁ ଏକ ଜରୁରୀବୈଠକ ଡକାଯାଇ ସ୍ଥିତିର ସମୀକ୍ଷା କରାଯାଇଛି । ସମଗ୍ର ବିଶ୍ୱରେ ଏପର୍ଯ୍ୟନ୍ତ ପ୍ରାୟ ୯୦୨ ଜଣ ଲୋକଙ୍କ ଶରୀରରେ କରୋନାଭାଇରସ ଚିହ୍ନଟ କରାଯାଇଛି ।
ଅନ୍ୟପକ୍ଷରେ ଚୀନର ଉହାନ ସହର ଏହି ଭାଇରସ ସଂକ୍ରମଣର କେନ୍ଦ୍ର ବୋଲି କୁହାଯାଉଛି । ଅଧିକାଂଶ ମୃତ୍ୟୁ ଏହି ସହରରେ ହିଁ ହୋଇଛି । ଏହି ସହରରେ ହିଁ ପ୍ରାୟ ୫୦୦ ଭାରତୀୟ ଛାତ୍ରଛାତ୍ରୀ ରହି ପାଠପଢୁଛନ୍ତି । ମିଳିଥିବା ସୂଚନା ଅନୁସାରେ ଚୀନର ବିଭିନ୍ନ ହସପିଟାଲରେ ଇଣ୍ଟର୍ଣ୍ଣସିପ କରୁଥିବା ପ୍ରାୟ ୨୫ ଭାରତୀୟ ଛାତ୍ର ସଂକ୍ରମିତ ହୋଇଛନ୍ତି । ଏହା ଫଳରେ ଭାରତ ସରକାରଙ୍କ ଚିନ୍ତା ବଢିଯାଇଛି । ଏଥିପାଇଁ ଚୀନଯାଉଥିବା ଭାରତୀୟ ଯାତ୍ରୀମାନଙ୍କୁ ସରକାର ସତର୍କ କରାଇଦେଇଛନ୍ତି । ଚୀନ ଯିବା ପୂର୍ବରୁ ସତର୍କତା ଅବଲମ୍ବନ କରିବାକୁ ଏହି ପରାମର୍ଶରେ କୁହାଯାଇଛି ।
¬