ଗତ ୨୪ ଘଣ୍ଟାରେ ସମଗ୍ର ଦେଶରେ ୯୦୯ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ, ପ୍ରାଣ ହରାଇଛନ୍ତି ୩୪ ଓ ସୁସ୍ଥ ହୋଇ ଘରକୁ ଫେରିଛନ୍ତି ୭୪

ନୂଆଦିଲ୍ଲୀ: ସମଗ୍ର ଦେଶରେ ମାର୍ଚ୍ଚ ୨୯ ତାରିଖ ସୁଦ୍ଧା ୯୭୯ଜଣ ନୋଭେଲ କରୋନା ଭାଇରସ୍‌ ବା କୋଭିଡ୍‌-୧୯ ଦ୍ୱାରା ଆକ୍ରାନ୍ତ ହୋଇଥିବା ବେଳେ ଆଜି ମଧ୍ୟାହ୍ନ ସୁଦ୍ଧା ଏମାନଙ୍କ ସଂଖ୍ୟା ୮୩୫୬କୁ ବୃଦ୍ଧି ପାଇଛି। ତେବେ, ଆଶ୍ୱାସନାର ବିଷୟ ହେଉଛି ଏମାନଙ୍କ ମଧ୍ୟରୁ ୮୦ ପ୍ରତିଶତଙ୍କ ସ୍ୱାସ୍ଥ୍ୟାବସ୍ଥା ସ୍ଥିର ରହିବା ସହ ଏମାନେ ଦ୍ରୁତ ଆରେଗ୍ୟ ଲାଭ କରୁଛନ୍ତି। ଅବଶିଷ୍ଟ ୨୦ ପ୍ରତିଶତ ଅର୍ଥାତ୍‌ ୧୬୭୧ଙ୍କର ସ୍ୱାସ୍ଥ୍ୟାବସ୍ଥା ସାମାନ୍ୟ ଗୁରୁତର ରହିଚି ଓ ଏମାନେ ଆଇସିୟୁରେ ରହିବା ସହ ଅକ୍ସିଜେନ୍‌ ସପୋର୍ଟରେ ରହିଛନ୍ତି। ତେବେ, କରୋନା ଭାଇରସ୍‌ ବା କୋଭିଡ୍‌-୧୯ ଦ୍ୱାରା ସମସ୍ତ ପ୍ରତିକୂଳ ପରିସ୍ଥିତିକୁ ଦୃଢ଼ତାର ସହ ମୁକାବିଲା କରିବା ପାଇଁ ଦେଶର ସମସ୍ତ ରାଜ୍ୟ ସରକାରମାନଙ୍କ ସହ କେନ୍ଦ୍ର ସରକାର ମଧ୍ୟ ସଂପୂର୍ଣ୍ଣ ପ୍ରସ୍ତୁତ ଅଛନ୍ତି ବୋଲି କହିଛନ୍ତି କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟର ଯୁଗ୍ମ ସଚିବ ଲବ ଅଗ୍ରଓ୍ଵାଲ। ସେହିପରି ଗତ ୨୪ ଘଣ୍ଟା ମଧ୍ୟରେ ସମଗ୍ର ଦେଶରେ ୯୦୯ ଜଣ କରୋନା ଆକ୍ରାନ୍ତଙ୍କୁ ଚିହ୍ନଟ କରାଯାଇଥିବା ବେଳେ ପ୍ରାଣ ହରାଇଛନ୍ତି ୩୪ ଜଣ। ସେହିପରି ଗତ ୨୪ ଘଣ୍ଟା ମଧ୍ୟରେ ୭୪ ଜଣ କରୋନାରୁ ଆରୋଗ୍ୟ ଲାଭ କରି ନିଜ ନିଜ ଘରକୁ ଫେରି ଯାଇଛନ୍ତି। ଏବଂ ଆଜି ସୁଦ୍ଧା ଦେଶରେ ସର୍ବମୋଟ ୭୧୬ ଜଣ କରୋନା ଆକ୍ରାନ୍ତ ଆରୋଗ୍ୟ ଲାଭ କରି ହସ୍ପିଟାଲରୁ ଘରକୁ ଫେରିଥିବା ସେ କହିଛନ୍ତି।

ବର୍ତ୍ତମାନ ସୁଦ୍ଧା ଦେଶରେ ଅବଶ୍ୟକତା ଠାରୁ ବହୁ ଅଧିକ ସଂଖ୍ୟାରେ ୧ହଜାରରୁ ଉର୍ଦ୍ଧ୍ୱ କେବଳ କୋଭିଡ୍‌ ହସ୍ପିଟାଲରେ ୧ଲକ୍ଷରୁ ଅଧିକ ଶଯ୍ୟା ଉପଲବ୍ଧ ରହିଛି। ସେହିପରି ଜରୁରୀକାଳୀନ ପରିସ୍ଥିତିର ମୁକାବିଲା ପାଇଁ ୧ଲକ୍ଷରୁ ଅଧିକ ପୃଥକ୍‌ବାସ ବା ଆଇସୋଲେଡ୍‌ ଶଯ୍ୟା ପ୍ରସ୍ତୁତ ହୋଇ ରହିଥିବା ଆଜି ଅପରାହ୍ଣରେ କେନ୍ଦ୍ର ସରକାରଙ୍କ ପକ୍ଷରୁ ଆୟୋଜିତ ହୋଇଥିବା ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟର ଯୁଗ୍ମ ସଚିବ ଲବ ଅଗ୍ରଓ୍ଵାଲ।

ସେହିପରି ବିଗତ ୫ ଦିନ ଧରି ସମଗ୍ର ଦେଶରେ ଦୈନିକ ୧୫,୭୪୭ଟି କରୋନା ନମୁନାକୁ ପରୀକ୍ଷା କରାଯାଉଥିବା ବେଳେ ଏଥିରୁ ଦୈନିକ ହାରାହାରି ମାତ୍ର ୫୮୪ଟି ନମୁନା ପଜିଟିଭ ଆସୁଥିବା ଏହି ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ଇଣ୍ଡିଆନ କାଉନସିଲ ଅଫ୍‌ ମେଡିକାଲ ରିସର୍ଚ୍ଚର ଡାକ୍ତର ମନୋଜ ମୁରହିକର।

ସମ୍ବନ୍ଧିତ ଖବର