ଜମ୍ମୁ କଶ୍ମୀରରେ ୯୦ ଭାଗ ପଥରଫିଙ୍ଗା କମିଛି

ନୂଆଦିଲ୍ଲୀ : କଶ୍ମୀର ସ୍ଥିତିରେ ବ୍ୟାପକ ସୁଧାର ଆସିଛି। କଶ୍ମୀର ବାସିନ୍ଦାଙ୍କ ମାନସିକତାରେ ଯଥେଷ୍ଟ ପରିବର୍ତ୍ତନ ହୋଇଛି। ଫଳସ୍ୱରୂପ ଚଳିତ ବର୍ଷ ଜମ୍ମୁ କଶ୍ମୀରରେ ବିଶୃଙ୍ଖଳ ଯୁବକମାନେ ସୁରକ୍ଷାକର୍ମୀଙ୍କ ଉପରକୁ ପଥର ଫିଙ୍ଗି କାର୍ଯ୍ୟରେ ବାଧା ସୃଷ୍ଟି କରିବା ଏବଂ ସରକାରୀ ସମ୍ପତ୍ତି ନଷ୍ଟ କରିବା ଆଦି ନକାରାତ୍ମକକାର୍ଯ୍ୟ ବହୁମାତ୍ରାରେ କମିଯାଇଛି। ପରିଣତି ସ୍ୱରୂପ ଏଥିରେ ଅସ୍ତବ୍ୟସ୍ତ ହୋଇପଡୁଥିବା ସାଧାରଣ ଜନତାଙ୍କୁ ଏବେ ଆଶ୍ୱସ୍ତି ମିଳିଛି।
ଜମ୍ମୁ କଶ୍ମୀର ପୁଲିସ ମୁଖ୍ୟ ଏସ୍‌ପି ବୈଦଙ୍କ କହିବା ଅନୁଯାୟୀ, ଗତବର୍ଷ ତୁଳନାରେ କଶ୍ମୀରରେ ପଥର ଫିଙ୍ଗିବା ଘଟଣା ଚଳିତ ବର୍ଷ ୯୦ ପ୍ରତିଶତ କମ୍‌ ଅଛି। ଏଭଳି ଶାନ୍ତିମୂଳକ ସ୍ଥିତି ପାଇଁ ସେ କଶ୍ମୀରବାସୀଙ୍କୁ ସମସ୍ତ ଶ୍ରେୟ ଦେଇଛନ୍ତି। ଗତବର୍ଷ ପ୍ରତ୍ୟହ ୪୦ରୁ ୫୦ଟି ପଥର ଫିଙ୍ଗା ଘଟଣା ଦେଖିବାକୁ ମିଳୁଥିବା ବେଳେ ଚଳିତ ବର୍ଷ ସପ୍ତାହ ସପ୍ତାହ ଧରି ସେଭଳି ଘଟଣା ନଜରକୁ ଆସୁନାହିଁ। ତେବେ ଏହି ପରିବର୍ତ୍ତନ ପଛରେ ଅନେକ କାରଣ ରହିଛି। କଶ୍ମୀରରେ ବିଶୃଙ୍ଖଳା ସୃଷ୍ଟି ପାଇଁ ଆତଙ୍କବାଦୀଙ୍କୁ ପାଣ୍ଠି ଯୋଗାଣ ମାମଲାରେ କେତେକ ବିଚ୍ଛିନ୍ନତାବାଦୀ ନେତାଙ୍କ ଉପରେ ଏନ୍‌ଆଇଏର ଚଢ଼ଉ, ବିମୁଦ୍ରାକରଣ ଏବଂ ବହୁ ଶୀର୍ଷ ଆତଙ୍କବାଦୀ କମାଣ୍ଡରଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ହିଁ ଏକରକମ ସୁଧାର ଆଣିଛି ବୋଲି ବୈଦ୍ୟ କହିଛନ୍ତି। ସେହିପରି ଲୋକଙ୍କ ମାନସିକତାରେ ମଧ୍ୟ ବିରାଟ ପରିବର୍ତ୍ତନ ଆସିଛି। ପୁଲିସ ଓ ସୁରକ୍ଷା ବାହିନୀଙ୍କୁ ସେଭଳି ଟାର୍ଗେଟ୍‌ କରିବା ଦ୍ୱାରା ସେମାନେ କେବଳ ନିଜର ହିଁ କ୍ଷତି କରୁଛନ୍ତି ବୋଲି ସେମାନେ ହୃଦ୍‌ବୋଧ କରିଛନ୍ତି। ଅପରପକ୍ଷେ, ଅପରେସନ୍‌ ଅଲ ଆଉଟ୍‌କୁ ମଧ୍ୟ ବ୍ୟାପକ ସଫଳତା ମିଳିଛି। ପୁଲିସ, ସେନାବାହିନୀ ଏବଂ ସୁରକ୍ଷା ଗୋଷ୍ଠୀ ମଧ୍ୟରେ ଉତ୍ତମ ସଂଯୋଗ ରହିବା ଦ୍ୱାରା ତାହା ସଫଳ ହୋଇଛି। ମାତ୍ର ଅଳ୍ପ କେତେକଙ୍କୁ ଛାଡ଼ିଦେଲେ ହିଜବୁଲ ମୁଜାହିଦ୍ଦିନ୍‌ ଏବଂ ଲସ୍କର ଏ ତୋଏବାର ଅଧିକାଂଶ ଶୀର୍ଷ ଆତଙ୍କବାଦୀଙ୍କୁ ନିପାତ କରାଯାଇଛି।

ସମ୍ବନ୍ଧିତ ଖବର