୯୨ ଦେଶରେ କରୋନା ଭାଇରସ୍‌ର ସଂକ୍ରମଣ ବ୍ୟାପୁଛି

ନୂଆଦିଲ୍ଲୀ : ବିଶ୍ବ୍ୟବ୍ୟାପୀ କରୋନା ଭାଇରସ୍‌ରେ ସଂକ୍ରମିତ ଲୋକଙ୍କ ସଂଖ୍ୟା ବଢ଼ି ଚାଲିଛି ଏବଂ ମୋଟ ୯୨ଟି ରାଷ୍ଟ୍ରରେ ଏହି ଭାଇରସ୍‌ର ପ୍ରକୋପ ରହିଥିବା ବିଶ୍ବ ସ୍ବାସ୍ଥ୍ୟ ସଂଗଠନ ପକ୍ଷରୁ କୁହାଯାଇଛି। ଏହି ଘାତକ ଭାଇରସ୍‌ ଯୋଗୁଁ ଚୀନ୍‌ରେ ବଡ଼ ବିପର୍ଯ୍ୟୟ ସୃଷ୍ଟି ହୋଇଥିବା ବେଳେ ଏବେ ଇରାନ୍‌ ଓ ଇଟାଲିରେ ଭାଇରସ୍‌ ଯୋଗୁଁ ଭୟାନକ ସ୍ଥିତି ଉପୁଜିଛି। କରୋନା ଭାଇରସ୍‌ ଯୋଗୁଁ ଏ ପର୍ଯ୍ୟନ୍ତ ୩୬୦୦ ଲୋକଙ୍କ ମୃତ୍ୟୁ ହୋଇଥିବା ବେଳେ ୧ ଲକ୍ଷ ୫ ହଜାରରୁ ଅଧିକ ଲୋକ ସଂକ୍ରମିତ ହୋଇଛନ୍ତି। ଇରାନ୍‌ରେ ଆଜି ଆଉ ୪୯ ଲୋକଙ୍କ ମୃତ୍ୟୁ ହେବା ସହ ମୃତ୍ୟୁ ସଂଖ୍ୟା ୨୦୦ ଛୁଇଁଛି। ଇଟାଲିରେ ମଧ୍ୟ କରୋନାର ପ୍ରକୋପ ବଳବତ୍ତର ରହିଛି। ଇଟାଲିରେ ଗତ ୨୪ ଘଣ୍ଟା ମଧ୍ୟରେ ଆଉ ୧୨୪୭ଟି ନୂଆ ମାମଲା ଠାବ ହୋଇଛି ଏବଂ ମୃତ୍ୟୁ ସଂଖ୍ୟା ୨୪୦ରେ ପହଞ୍ଚିଛି। ଚୀନ୍‌ ପରେ ଇଟାଲି ଆଗକୁ ବଡ଼ ସଙ୍କଟକୁ ସାମ୍ନା କରିବ ବୋଲି କୁହାଯାଇଛି।

ବିଶ୍ବବ୍ୟାପୀ ଗୁରୁତର ସ୍ବାସ୍ଥ୍ୟ ସଙ୍କଟ ଉପୁଜିଥିବାରୁ ମାମଲା ଅତ୍ୟନ୍ତ ଗମ୍ଭୀର ବୋଲି ବିଶ୍ବ ସ୍ବାସ୍ଥ୍ୟ ସଂଗଠନ (ଡବ୍ଲୁଏଚ୍‌ଓ) ସମସ୍ତ ଦେଶକୁ ସତର୍କ କରାଇ ଦେଇଛି। ବିଭିନ୍ନ ରାଷ୍ଟ୍ର ଆଜି କରୋନା ପାଇଁ କଟକଣା ଅଧିକ କଡ଼ାକଡ଼ି କରିଛନ୍ତି। ଇଟାଲିର ନାଗରିକମାନଙ୍କୁ ଅନ୍ୟ ରାଷ୍ଟ୍ରକୁ ଯିବାରୁ ବାରଣ କରାଯିବାକୁ ଗୁରୁତ୍ବାରୋପ କରାଯାଇଛି । ଜର୍ମାନୀ, ଫ୍ରାନ୍ସ, ସ୍ପେନ୍‌ରେ ଅଧିକାଂଶ କରୋନା ଆକ୍ରାନ୍ତ ଇଟାଲିରୁ ହିଁ ଆସିଥିବା ଜଣାପଡ଼ିଛି। ଆମେରିକାର କଲିଫର୍ଣ୍ଣିଆ ତଟରେ ଲାଗିଥିବା ଗ୍ରାଣ୍ଡ୍‌ ପ୍ରିନ୍ସେସ୍‌ କ୍ରୁଜ୍‌ରେ ୨୧ କରୋନା ଆକ୍ରାନ୍ତ ଚିହ୍ନଟ ହେବାପରେ ସେଥିରେ ଥିବା ୩ ହଜାରରୁ ଅଧିକ ଯାତ୍ରୀଙ୍କ ମଧ୍ୟରେ ଆତଙ୍କ ଖେଳିଯାଇଛି। ଏହି ଜାହାଜକୁ ଆଜି ଓକ୍‌ଲାଣ୍ଡ ବନ୍ଦରକୁ ଯିବା ପାଇଁ ଅନୁମତି ମିଳିଛି। ତେବେ ଜାହାଜରୁ ସମସ୍ତ ଯାତ୍ରୀଙ୍କୁ ହଠାତ୍‌ ଖାଲି କରିବାରେ ବଡ଼ ବିପଦ ରହିଥିବାରୁ ଏହି ପ୍ରକ୍ରିୟା ପ୍ରାୟ ସପ୍ତାହେ ଧରି ଚାଲିବ ବୋଲି ଜଣାପଡ଼ିଛି। ଇରାନ୍‌ରେ ଅତି ଉଦ୍‌ବେଗଜନକ ସ୍ଥିତି ଲାଗି ରହିଥିବାରୁ ଆଜି ଏହା ୟୁରୋପ୍‌ ଯାଉଥିବା ସମସ୍ତ ବିମାନର ଉଡ଼ାଣ ବାତିଲ କରିଛି। ଇଟାଲିର ଉତ୍ତରାଞ୍ଚଳରେ କରୋନା ପ୍ରକୋପ ସବୁଠାରୁ ଅଧିକ ଥିବାରୁ ସେଠାରେ ସରକାର ଲକ୍‌ଡାଉନ୍‌ ଘୋଷଣା କରିଛନ୍ତି ଏବଂ ଏଥିରେ ୧୫ ନିୟୁତ ଲୋକ ପ୍ରଭାବିତ ହୋଇଛନ୍ତି। ଆତଙ୍କିତ ଲୋକେ ନିତ୍ୟ ବ୍ୟବହାର୍ଯ୍ୟ ସାମଗ୍ରୀ କିଣିବା ପାଇଁ ଏବେ ସଂଘର୍ଷ ଜାରି ରଖିଛନ୍ତି। ଲୋକଙ୍କ ଯାତାୟତ ଉପରେ କଟକଣା ଯାରି କରାଯାଇଛି ଏବଂ ଏହା ପ୍ରାୟ ୧ ମାସ ପର୍ଯ୍ୟନ୍ତ ବଳବତ୍ତର ରହିବ ବୋଲି ଜଣାପଡ଼ିଛି। ଇଟାଲିରେ ପ୍ରାୟ ୧୧ ଲକ୍ଷ ଲୋକଙ୍କୁ କ୍ବାରେଣ୍ଟିନ୍‌ରେ ରଖାଯାଇଛି। ଅନ୍ୟପକ୍ଷରେ ଯୁଦ୍ଧସ୍ତରରେ କରୋନା ମୁକାବିଲା କରୁଥିବା ଦକ୍ଷିଣ କୋରିଆରେ ମୃତ୍ୟୁ ସଂଖ୍ୟା ୫୨ରେ ପହଞ୍ଚିଛି। ତେବେ ଦୈନିକ ସଂକ୍ରମଣ ସଂଖ୍ୟାରେ ଯଥେଷ୍ଟ ହ୍ରାସ ହୋଇଛି। ସେହିଭଳି ଫ୍ରାନ୍ସରେ କରୋନା ଯୋଗୁଁ ୧୬ ଜଣଙ୍କର ମୃତ୍ୟୁ ଘଟିଛି।

ସମ୍ବନ୍ଧିତ ଖବର