କରୋନା ମହାମାରୀ ସମାପ୍ତି ଘୋଷଣା କଲା ସ୍ଲୋଭେନିଆ, ଆମେରିକାରେ ୨୪ ଘଣ୍ଟାରେ ୧୬୮୦ ମୃତ

ରୁଷ୍‌ରେ ୯,୨୦୦ ନୂଆ ମାମଲା, କଟକଣା କୋହଳ କଲା ସ୍ପେନ୍‌

ବର୍ଲିନ୍‌: ୧୬କରୋନା ମହାମାରୀ ପାଇଁ ସବୁଠୁ କ୍ଷତିଗ୍ରସ୍ତ ମହାଦେଶ ହେଉଛି ୟୁରୋପ୍‌। ୧୮ ଲକ୍ଷରୁ ଅଧିକ ଲୋକ ୟୁରୋପ୍‌ରେ କ‌ରୋନା ଆକ୍ରାନ୍ତ ହୋଇଛନ୍ତି ଏବଂ ପ୍ରାୟ ୧ଲକ୍ଷ ୬୦ ହଜାରରୁ ଅଧିକଙ୍କ ମୃତ୍ୟୁ ହୋଇଛି। ଏଭଳି ସ୍ଥିତିରେ ୟୁରୋପୀୟ ରା‌ଷ୍ଟ୍ର ‌ସ୍ଲୋଭେନିଆ ଏବେ କରୋନା ଭାଇରସ୍‌ର ଦେଶରେ ପରିସମାପ୍ତି ଘଟିଥିବା ଘୋଷଣା କରିଛି। ପ୍ରଥମ ୟୁ‌‌ରୋପୀୟ ରାଷ୍ଟ୍ରଭାବେ ସ୍ଲୋଭେନିଆ ଏହି ଘୋଷଣା କରିଛି। ‌ ଏବେ ଅନ୍ୟ ୟୁରୋପୀୟ ରାଷ୍ଟ୍ରରୁ ଆସୁଥିବା ଲୋକମାନଙ୍କୁ ସ୍ଲୋଭେନିଆରେ ଅଧିକ ଦିନ କ୍ବାରାଣ୍ଟିନ୍‌ରେ ରହିବାକୁ ପଡ଼ିବନି ବୋଲି ସରକାରଙ୍କ ପକ୍ଷରୁ ଜାରି ହୋଇଥିବା ବିବୃତିରେ କୁହାଯାଇଛି। ୨୦ ଲକ୍ଷ ଜନସଂଖ୍ୟା ବିଶିଷ୍ଟ ସ୍ଲୋଭେନିଆରେ ମୋଟ୍‌ ୧୬୬୪ କରୋନା ଆକ୍ରାନ୍ତ ‌ହୋଇଛନ୍ତି ଏବଂ ୧୦୩ ଜଣଙ୍କ ମୃତ୍ୟୁ ହୋଇଛି। ଅନ୍ୟପକ୍ଷରେ ବିଶ୍ବର ସବୁଠୁ କ୍ଷତିଗ୍ରସ୍ତ ରାଷ୍ଟ୍ର ଆମେରିକାରେ ଗତ ୨୪ ଘଣ୍ଟା ମଧ୍ୟରେ ପୁଣି ୧୬୮୦ ଜଣଙ୍କ ମୃତ୍ୟୁ ହୋଇଛି ଏବଂ ମୃତ୍ୟୁସଂଖ୍ୟା ୮୯ ହଜାରରେ ପହଞ୍ଚିଛି। ରୁଷ୍‌ରେ ପୁଣି ୯,୨୦୦ ନୂଆ ମାମଲା ଚିହ୍ନଟ ହୋଇଛି ଏବଂ ମୋଟ୍‌ ଆକ୍ରାନ୍ତ ସଂଖ୍ୟା ୨ ଲକ୍ଷ ୭୨ ହଜାର ଟପିଯାଇଛି।

ବିଶ୍ବରେ ଦ୍ବିତୀୟ ପ୍ରଭାବିତ ଏବଂ ୟୁରୋପ୍‌ରେ ସବୁଠୁ ଅଧିକ ପ୍ରଭାବିତ ହୋଇଥିବା ସ୍ପେନ୍‌ରେ ଏବେ ଧୀରେ ଧୀରେ ସ୍ଥିତି ସୁଧୁରୁଛି। ସ୍ପେନ୍‌ ଏହାର ୭୦ ପ୍ରତିଶତ ଜନସଂଖ୍ୟାଙ୍କ ପାଇଁ କଟକଣା ‌କୋହଳ କରିଛି। ପ୍ରଥମ ପର୍ଯ୍ୟାୟରେ ୭୦ ପ୍ରତିଶତ ଲୋକଙ୍କ ପାଇଁ କଟକଣା କୋହଳ କରାଯାଇଛି କିନ୍ତୁ ଅନ୍ୟ ୩୦ ପ୍ରତିଶତ ଜନସଂଖ୍ୟା ମାଦ୍ରିଦ୍‌ ଓ ବାର୍ସେଲୋନାର। ଅନ୍ୟପକ୍ଷେ ସିଓଲ୍‌ ନାଇଟ୍‌କ୍ଲବ୍‌ ସଂକ୍ରମଣ ବଢ଼ିଚାଲିଛି। ସିଓଲ୍‌ ନାଇଟ୍‌କ୍ଲବ୍‌ ସହ ଜଡ଼ିତ ମୋଟ୍‌ ୧୬୨ଟି ମାମଲା ଚିହ୍ନଟ ହୋଇଛି। ଦକ୍ଷିଣ କୋରିଆରେ ଏବେ ପୁଣି ନୂଆ ମାମଲା ବଢ଼ୁଥିବାରୁ ଦ୍ବିତୀୟ ପର୍ଯ୍ୟାୟ ସଂକ୍ରମଣ ହୋଇଥିବା ନେଇ ଭୟ ବଢ଼ିଛି।

ସମ୍ବନ୍ଧିତ ଖବର