୯୨ତମ ‘ମନ୍ କୀ ବାତ୍’: ଦେଶରୁ ପୁଷ୍ଟିହୀନତା ଦୂର ପାଇଁ ଆହ୍ବାନ

ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତାଙ୍କ ନିୟମିତ ମାସିକ ବେତାର କାର୍ଯ୍ୟକ୍ରମ ‘ମନ୍ କୀ ବାତ୍’ର ୯୨ତମ ଅଧ୍ୟାୟରେ ଉଦ୍‌ବୋଧନ ଦେଇ କହିଲେ ଯେ ଗତ ସ୍ବାଧୀନତା ଦିବସ ଓ ଅମୃତ ମହୋତ୍ସବରେ ଭାରତ ‘ଦେଶର ସାମୂହିକ ଶକ୍ତି’ ଦେଖିଲା। ଏଥି ସହ ପ୍ରଧାନମନ୍ତ୍ରୀ ଦେଶରେ ହେଉଥିବା ବାଜରା ଉତ୍ପାଦନ ଓ ଡିଜିଟାଲ ଇଣ୍ଡିଆ ପଦକ୍ଷେପର ପ୍ରଶଂସା କରିଥିଲେ।

ପ୍ରଧାନମନ୍ତ୍ରୀ କହିଥିଲେ- ସ୍ବାଧୀନତାର ଅମୃତ ମହୋତ୍ସବରେ ଆମେ ଦେଶର ସାମୂହିକ ଶକ୍ତି ଦେଖିଲୁ। ଏହା ଏକ ଗଣ-ଆନ୍ଦୋଳନରେ ପରିଣତ ହୋଇଛି। ସାରା ଦେଶରେ ପ୍ରଶଂସନୀୟ ପ୍ରଚେଷ୍ଟା କରାଯାଇଛି। ଜାତିସଂଘ ୨୦୨୩ ମସିହାକୁ ‘ଅନ୍ତର୍ଜାତୀୟ ବାଜରା ବର୍ଷ’ ଭାବେ ଘୋଷଣା କରିଛି। ଆପଣମାନେ ଜାଣି ଖୁସି ହେବେ ଯେ ଭାରତ ଏହି ପ୍ରସ୍ତାବ ଦେଇଥିଲା, ଯାହାକୁ ୭୦ରୁ ଅଧିକ ଦେଶ ସମର୍ଥନ କରିଥିଲେ। ଆଜି ବାଜରା ଏକ ‘ସୁପରଫୁଡ୍‌’ ଭାବେ ବର୍ଗୀକୃତ ହୋଇଛି। ଆମ ଦେଶରେ ଏହାକୁ ପ୍ରମୋଟ୍ କରିବା ପାଇଁ ଅନେକ କିଛି କରାଯାଉଛି। ଗବେଷଣା ଓ ନବୋନ୍ମେଷ ସହ ଏଫ୍‌ପିଓଗୁଡ଼ିକୁ ଉତ୍ସାହିତ କରାଯାଉଛି, ଯାହାଫଳରେ ଉତ୍ପାଦନ ଅଧିକ ହୋଇପାରିବ। ସାରା ବିଶ୍ବରେ ଭାରତ ହେଉଛି ବାଜରା ଉତ୍ପାଦନରେ ଏକ ନମ୍ବର ଦେଶ। ତେଣୁ ଏ ପଦକ୍ଷେପକୁ ସଫଳ କରିବାର ଭାର ଭାରତର ଜନସାଧାରଣଙ୍କ ଉପରେ।

ଡିଜିଟାଲ ଇଣ୍ଡିଆ ପଦକ୍ଷେପ ଯୋଗୁ ଭାରତରେ ଡିଜିଟାଲ ଉଦ୍ୟୋଗଗୁଡ଼ିକ ମୁଣ୍ଡ ଟେକିବାରେ ଲାଗିଛନ୍ତି। ଦେଶକୁ ଅପପୁଷ୍ଟି-ମୁକ୍ତ କରିବା ପାଇଁ ଜଳ ଜୀବନ ମିସନ ମଧ୍ୟ ଏକ ଗୁରୁତ୍ବପୂର୍ଣ୍ଣ ଭୂମିକା ନିର୍ବାହ କରୁଛି। ଦେଶରୁ ପୁଷ୍ଟିହୀନତା ଦୂରୀକରଣରେ ଆପଣମାନେ ସମସ୍ତେ ସହଯୋଗ କରନ୍ତୁ। ଆସାମର ବୋଙ୍ଗାଇ ଗାଁରେ ଏକ କୌତୂହଳଜନକ ପ୍ରକଳ୍ପ ଚାଲିଛି। ତାହା ହେଉଛି ଫ୍ରୋଜେକ୍ଟ ସମ୍ପୂର୍ଣ୍ଣା। ଏହି ପ୍ରକଳ୍ପର ଉଦ୍ଦେଶ୍ୟ ହେଉଛି ପୁଷ୍ଟିହୀନତା ବିରୋଧରେ ଲଢ଼ିବା ଏବଂ ଏହାର ପଦ୍ଧତି ମଧ୍ୟ ସ୍ବତନ୍ତ୍ର।

‘ସ୍ବରାଜ’ ହେଉଛି ଆମ ଦେଶକୁ ସ୍ବାଧୀନ କରିବା ପାଇଁ ସଂଗ୍ରାମ କରିଥିବା ତଥା ବେଶି ପରିଚିତ ହୋଇପାରି ନ ଥିବା ବୀରମାନଙ୍କ କାହାଣୀ। ଏହା ଧାରାବାହିକ ଭାବରେ ଦୂରଦର୍ଶନରେ ପ୍ରତି ରବିବାର ସକାଳ ୯ଟାରେ ୭୫ ସପ୍ତାହ ପାଇଁ ପ୍ରସାରିତ ହେବ। ପିଲାଙ୍କ ସମେତ ସପରିବାର ଏହି ଧାରାବାହିକକୁ ଦେଖିବା ପାଇଁ ପ୍ରଧାନମନ୍ତ୍ରୀ ଅନୁରୋଧ କରିଥିଲେ।

ପ୍ରଧାନମନ୍ତ୍ରୀ ଜନଧନ ଆକାଉଣ୍ଟ ଗରିବ ଜନସାଧାରଣଙ୍କ ଅର୍ଥନୈତିକ ସଶକ୍ତୀକରଣରେ ସହାୟକ ହୋଇଛି। ଏହି ଯୋଜନାରେ ଗତ ୮ ବର୍ଷରେ ୪୬.୩୦ କୋଟି ଆକାଉଣ୍ଟ ଖୋଲାଯାଇଛି ବୋଲି ପ୍ରଧାନମନ୍ତ୍ରୀ ତାଙ୍କ ମନ କୀ ବାତ୍‌ରେ କହିଥିଲେ।

ସମ୍ବନ୍ଧିତ ଖବର