ନୂଆଦିଲ୍ଲୀ: ଉତ୍ତରପ୍ରଦେଶ ସମେତ ପାଞ୍ଚଟି ରାଜ୍ୟର ବିଧାନସଭା ନିର୍ବାଚନ ପାଇଁ ବିଗୁଲ ବାଜିସାରିଛି । ସମସ୍ତ ଦଳର ପ୍ରାର୍ଥୀମାନେ ନିଜ ନିଜ ଭାଗ୍ୟ ପରୀକ୍ଷା କରିବାକୁ ଚେଷ୍ଟା କରୁଛନ୍ତି। ଏହି ସମୟରେ, ଆଗ୍ରାର ଜଣେ ବ୍ୟକ୍ତିଙ୍କ କାହାଣୀ ବାବଦରେ ଆମେ କହିବୁ ଯିଏ କି ବିଧାନସଭା ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରିବାକୁ ଯାଉଛନ୍ତି ଏବଂ ଏହି ନିର୍ବାଚନ ତାଙ୍କ ଜୀବନର ମୋଟ ୯୪ତମ ନିର୍ବାଚନ ହେବ | କୋୖତୁହଳର ବିଷୟ ହେଉଛି ଯେ ଏତେ ନିର୍ବାଚନ ଲଢ଼ିଥିଲେ ବି ଆଜି ପର୍ଯ୍ୟନ୍ତ ସେ ଗୋଟିଏ ବି ନିର୍ବାଚନରେ ଜିତି ନାହାଁନ୍ତି। ବାସ୍ତବରେ ଉତ୍ତରପ୍ରଦେଶର ଆଗ୍ରାରେ ରହୁଥିବା ଏହି ବ୍ୟକ୍ତିଙ୍କ ନାମ ହେଉଛି ହସନୁରାମ ଆମ୍ବେଦକରୀ । ରିପୋର୍ଟ ଅନୁଯାୟୀ, ଏଥର ସେ ଆଗ୍ରା ଜିଲ୍ଲାର ଖେରାଗଡ ବିଧାନସଭା ଆସନ ପାଇଁ ପ୍ରାର୍ଥୀପତ୍ର କିଣିଛନ୍ତି ଏବଂ ସେ ଭାଗ୍ୟ ପରୀକ୍ଷା କରିବାକୁ ଚେଷ୍ଟା କରିବେ। ହସନୁରାମ ଏପର୍ଯ୍ୟନ୍ତ ୯୩ ଟି ନିର୍ବାଚନ ଲଢ଼ିଛନ୍ତି ଓ ସବୁଥିରେ ହାରିଛନ୍ତି | ଏହା ତାଙ୍କର ୯୪ତମ ନିର୍ବାଚନ ହେବ। ସେ ରାଷ୍ଟ୍ରପତି ପଦ ପାଇଁ ବି ନାମାଙ୍କନ କରିଥିଲେ ବି ଏହା ଖାରଜ ହୋଇଯାଇଥିଲା |
ରିପୋର୍ଟ ଅନୁଯାୟୀ, ହସନୁରାମ ଗ୍ରାମପଞ୍ଚାୟତରୁ ଆରମ୍ଭ କରି ସାଂସଦ, ବିଧାୟକ ପର୍ଯ୍ୟନ୍ତ ସମସ୍ତ ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରିଛନ୍ତି। ୭୬ ବର୍ଷୀୟ ହସନୁରାମ ଶପଥ ନେଇଛନ୍ତି ଯେ ବଞ୍ଚିଥିବା ଯାଏଁ ସେ ନିର୍ବାଚନ ଲଢ଼ିବେ । ହସନୁରାମ କହିଛନ୍ତି ଯେ ୧୯୮୪ରେ ସେ ଲଖନଉରେ ଜଣେ ବିଧାୟକଙ୍କୁ ଭେଟିଥିଲେ। ଯେତେବେଳେ କିଛି ବିଷୟରେ ବିଧାୟକଙ୍କ ସହ ଯୁକ୍ତିତର୍କ ହୋଇଥିଲା, ସେତେବେଳେ ବିଧାୟକ ହସନୁରାମଙ୍କୁ କହିଥିଲେ ଯେ ତୁମେ କଣ ମୋ ବିରୋଧରେ ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରିପାରିବ। ହସନୁରାମ ସେହି ସମୟରେ ରାଜସ୍ୱ ବିଭାଗରେ ଅମିନ ଭାବରେ କାର୍ଯ୍ୟ କରୁଥିଲେ।
ସେ ଚାକିରିରୁ ଇସ୍ତଫା ଦେଇ ନିର୍ବାଚନ ମଇଦାନକୁ ଓହ୍ଲାଇଥିଲେ | ୧୯୮୫ ପରଠାରୁ ହସନୁରାମ ୯୩ଟି ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରିସାରିଲେଣି । ଏଥର ସେ ଆଗ୍ରାର ଖେରାଗଡ ଏବଂ ଆଗ୍ରା ଗ୍ରାମୀଣ ଆସନରୁ ପ୍ରତିଦ୍ୱନ୍ଦ୍ୱିତା କରିବାକୁ ଟିକେଟ କିଣିଛନ୍ତି। ସେକହିଛନ୍ତି ଯେ ହାରିବା ପାଇଁ ନିର୍ବାଚନ ଲଢ଼ନ୍ତି । ୧୦୦ ଥର ନିର୍ବାଚନରେ ଲଢ଼ି ସେ ନିଜର ରେକର୍ଡ ପ୍ରତିଷ୍ଠା କରିବାକୁ ଚାହୁଁଛନ୍ତି।