କରୋନା ଟୀକା ଯେପରି ଯଥାଶୀଘ୍ର ଲୋକଙ୍କ ନିକଟରେ ପହଞ୍ଚିବ ସେଥିଲାଗି ଉଦ୍ୟମ କରାଯାଉଛି : ନିତି ଆୟୋଗ

ନୂଆଦିଲ୍ଲୀ : ଭାରତରେ ଏବେ ୨ଟି କରୋନା ଟୀକା ଉପରେ ଗବେଷଣା ଚାଲିଛି । ଏବେ ୧ମ ଓ ୨ୟ ପର୍ଯ୍ୟାୟ ପରୀକ୍ଷା ସଂପୂର୍ଣ୍ଣ ହୋଇଛି । ଖୁବ ଶୀଘ୍ର ଯେପରି ଏସବୁ ଟୀକାକୁ ଚାହୁଁଥିବା ଲୋକମାନଙ୍କ ନିକଟରେ ପହଞ୍ଚାଯିବ ସେ ନେଇ ଉଦ୍ୟମ ଚାଲିଛି ବୋଲି ନିତି ଆୟୋଗର ସଦସ୍ୟ (ସ୍ୱାସ୍ଥ୍ୟ) ଡଃ ଭି.କେ.ପଲ କହିଛନ୍ତି ।

ଭାରତୀୟ ଲୋକ ଓ ଅନ୍ତର୍ଜାତୀୟ ସମୁଦାୟ ଯେପରି ଯଥାଶୀଘ୍ର କରୋନା ଟୀକା ପାଇବେ ସେ ଦିଗରେ ଭାରତ ସବୁ ପ୍ରକାରର ଉଦ୍ୟମ କରୁଛି । ସମସ୍ତ ପର୍ଯ୍ୟାୟର ପରୀକ୍ଷା ଯେପରି ବୈଜ୍ଞାନିକ ଉପାୟରେ ଓ ସ୍ୱଚ୍ଛତାର ସହ ହୁଏ ସେ ଦିଗରେ ପଦକ୍ଷେପ ନିଆଯାଉଛି ବୋଲି ସେ ସ୍ୱାସ୍ଥ୍ୟ ମନ୍ତ୍ରାଳୟର ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ।

ଏହି ଅବସରରେ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟର ଓଏସଡି ରାଜେଶ ଭୂଷଣ କହିଛନ୍ତି ଯେ ଜଣେ ଲକ୍ଷଣବିହୀନ ସଂକ୍ରମିତ ବ୍ୟକ୍ତି ଯଦି ଭାଲବ (ରେସପିରେଟର) ଥିବା ଏନ-୯୫ ମାସ୍କ ପିନ୍ଧିଛି, ସେ ଅନ୍ୟମାନଙ୍କୁ ସଂକ୍ରମିତ କରିପାରିବ । ଏହି ଭାଲବ ମାଧ୍ୟମରେ ତାହାର ଡ୍ରପଲେଟ ବାହାରକୁ ଆସି ଅନ୍ୟମାନଙ୍କୁ ସଂକ୍ରମିତ କରିପାରିବ ବୋଲି ପ୍ରମାଣ ମିଳିଛି । ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ମଧ୍ୟ ଏ ନେଇ ସତର୍କତା ଜାରି କରିଛି । ତେବେ ଏ ସଂପର୍କରେ ଆହୁରି ଅଧିକ ଗବେଷଣା ଜାରି ରହିଛି ଓ ଆଗକୁ ସ୍ଥିତି ଅଧିକ ସ୍ପଷ୍ଟ ହେବ ବୋଲି ଶ୍ରୀ ଭୂଷଣ କହିଛନ୍ତି ।

ସମ୍ବନ୍ଧିତ ଖବର