୯୫% ଜନତା ଦୂଷିତ ବାୟୁ ଗ୍ରହଣ କରୁଛନ୍ତି : ଭାରତ ଓ ଚୀନ୍‌ରେ ସର୍ବାଧିକ ପ୍ରଦୂଷଣ ମୃତ୍ୟୁ

ନୂଆଦିଲ୍ଲୀ: ସମଗ୍ର ବିଶ୍ୱରେ ଏବେ ପ୍ରଦୂଷଣ ମହା ଭୟଙ୍କର ସଙ୍କଟ ରୂପେ ଉଭା ହୋଇଛି। ବିଶ୍ୱର ୯୫ ପ୍ରତିଶତ ଲୋକ ଦୂଷିତ ବାୟୁ ଗ୍ରହଣ କରିବାକୁ ବାଧ୍ୟ ହେଉଥିବା ବେଳେ ପ୍ରଦୂଷଣଜନିତ ମୃତ୍ୟୁ ସଂଖ୍ୟା ସାଂଘାତିକ ଭାବେ ବୃଦ୍ଧି ପାଇଛି। ବିଶ୍ୱରେ ପ୍ରଦୂଷଣ ଯୋଗୁଁ ମୃତ୍ୟୁ ମୁଖରେ ପଡ଼ୁଥିବା ଲୋକଙ୍କ ମଧ୍ୟରୁ ପ୍ରାୟ ୫୦ ପ୍ରତିଶତ ଭାରତ ଏବଂ ଚୀନ୍‌ର ବୋଲି ଜଣାପଡ଼ିଛି। ଏ ବାବଦରେ ଅନୁସନ୍ଧାନମୂଳକ ରିପୋର୍ଟ ଆମେରିକାର ହେଲ୍‌୍‌ଥ ଇଫେ୍‌କ୍ଟସ ଇନ୍‌ଷ୍ଟିଚ୍ୟୁଟ୍‌ ଜାରି କରିଛି। ପ୍ରଦୂଷଣ ଯୋଗୁଁ ଗରିବ ଶ୍ରେଣୀର ଲୋକେ ବହୁଳ ଭାବେ ପ୍ରଭାବିତ ହୋଇଛନ୍ତି। ସର୍ବାଧିକ ପ୍ରଦୂଷଣ ଓ ସର୍ବନିମ୍ନ ପ୍ରଦୂଷଣ ହେଉଥିବା ରାଷ୍ଟ୍ରଙ୍କ ମଧ୍ୟରେ ତଫାତ ବହୁତ ବଢ଼ିଚାଲିଛି। ବିଶ୍ୱବ୍ୟାପୀ ସହରାଞ୍ଚଳରେ ରହୁଥିବା ପ୍ରାୟ ଶହେ କୋଟି ଲୋକ ପ୍ରଦୂଷିତ ବାୟୁ ଗ୍ରହଣ କରୁଛନ୍ତି। ଭାରତର ଗ୍ରାମାଞ୍ଚଳରେ କାଠ, କୋଇଲାକୁ ଜାଳେଣି ଭାବେ ବ୍ୟବହାର କରୁଥିବା ଲୋକେ ଘର ଭିତରେ ପ୍ରଦୂଷିତ ବାୟୁକୁ ସାମ୍ନା କରୁଛନ୍ତି। ବିଶ୍ୱରେ ପ୍ରତି ୩ ଜଣରୁ ଜଣେ ବ୍ୟକ୍ତି ଘର ଭିତରେ ଓ ବାହାରେ ପ୍ରଦୂଷିତ ବାୟୁରେ ଜୀବନ ଅତିବାହିତ କରୁଛନ୍ତି।

ଭାରତରେ ବିଭିନ୍ନ ପ୍ରକାର ପ୍ରଦୂଷଣଜନିତ ସ୍ୱାସ୍ଥ୍ୟ ସଙ୍କଟ ଯୋଗୁଁ ପ୍ରତିବର୍ଷ ୨୦ ଲକ୍ଷରୁ ଊର୍ଦ୍ଧ୍ୱ ପ୍ରାଣ ହରାଉଥିବା ଜଣାପଡ଼ିଛି। ପ୍ରଦୂଷଣ ଯୋଗୁଁ ସମଗ୍ର ବିଶ୍ୱରେ ୨୦୧୫ରେ ୯୦ ଲକ୍ଷ ଲୋକଙ୍କ ମୃତ୍ୟୁ ଘଟିଛି। ବିଶ୍ୱରେ ଯୁଦ୍ଧ ଓ ହିଂସା ଯୋଗୁଁ ଯେତିକି ଲୋକ ମରିଛନ୍ତି ପ୍ରଦୂଷଣ ମୃତ୍ୟୁ ତା’ଠାରୁ ଯଥେଷ୍ଟ ଅଧିକ। ପ୍ରଦୂଷଣ ମୃତ୍ୟୁର ଶିକାର ହୋଇଥିବା ଲୋକଙ୍କ ମଧ୍ୟରୁ ୯୨ ପ୍ରତିଶତ ମୃତ୍ୟୁ ନିମ୍ନ ଆୟବର୍ଗର ଦେଶରେ ଘଟିଥିବା ବେଳେ ଏ ବାବଦ ସଙ୍କଟ ପ୍ରତିବର୍ଷ ବଢ଼ିବାରେ ଲାଗିଛି। ପ୍ରଦୂଷଣ ଯୋଗୁଁ ଲୋକେ ହୃଦୟ, ମସ୍ତିଷ୍କ, ଶ୍ୱାସ ଏବଂ ଚର୍ମ ରୋଗର ଶିକାର ହୋଇଥାନ୍ତି। ପାଣି, ପବନଠାରୁ ଆରମ୍ଭ କରି ମାଟି ପର୍ଯ୍ୟନ୍ତ ପ୍ରଦୂଷଣସ୍ତର ବୃଦ୍ଧି ପାଉଥିବାରୁ ଲୋକଙ୍କ ସ୍ୱାସ୍ଥ୍ୟସଙ୍କଟ ମଧ୍ୟ ବଢ଼ି ଚାଲିଛି। ବିଶ୍ୱରେ ପ୍ରତିବର୍ଷ ସଡ଼କ ଦୁର୍ଘଟଣାରେ ଯେତିକି ଲୋକଙ୍କ ମୃତ୍ୟୁ ଘଟୁଛି ତା’ଠାରୁ ୬ ଗୁଣ ଲୋକ ପ୍ରଦୂଷଣଜନିତ ସ୍ୱାସ୍ଥ୍ୟ ସମସ୍ୟାରେ ପ୍ରାଣ ହରାଉଛନ୍ତି ବୋଲି ରିପୋର୍ଟରେ କୁହାଯାଇଛି। ଶିଳ୍ପ ବିକାଶକୁ ପ୍ରାଧାନ୍ୟ ଦେଉଥିବା ଭାରତ, ପାକିସ୍ତାନ, ଚୀନ୍‌, ବାଂଲାଦେଶ ଆଦି ରାଷ୍ଟ୍ରରେ ଏବେ ପ୍ରଦୂଷଣ ଲୋକଙ୍କ ପାଇଁ ମୃତ୍ୟୁଦୂତ ହୋଇ ଆସିଛି। ପ୍ରଦୂଷଣ ରୋକିବା ପାଇଁ ଯେଭଳି ଧ୍ୟାନ ଦିଆଯିବା ଆବଶ୍ୟକ ତାହା ଦେଖିବାକୁ ମିଳୁନାହିଁ। ଏହି ସଙ୍କଟକୁ ବିଭିନ୍ନ ରାଷ୍ଟ୍ର ଅଣଦେଖା କରିଚାଲିଥିବାରୁ ଆଗକୁ ଏହା ଆହୁରି ଭୟଙ୍କର ରୂପ ନେବ ବୋଲି ଆଶଙ୍କା କରାଯାଉଛି। ଜଗତୀକରଣର ଯୁଗରେ ଖଣି ଖନନ, ନିର୍ମାଣ କାର୍ଯ୍ୟ, ଶିଳ୍ପ ବିକାଶ, ପରିବେଶ ବିରୋଧୀ ଭିତ୍ତିଭୂମିର ବିକାଶ କାର୍ଯ୍ୟକୁ ପ୍ରାଥମିକତା ଦେଲାବେଳେ ବିନାଶଲୀଳା ପ୍ରତି ସରକାରମାନେ ଉଦାସୀନ ରହିଥାନ୍ତି। ଭାରତରେ ପ୍ରଦୂଷଣ ରୋକିବା ପାଇଁ ନିଆଯାଉଥିବା ବିଭିନ୍ନ ପଦକ୍ଷେପ ଫଳପ୍ରଦ ହୋଇପାରୁନାହିଁ। ଦିଲ୍ଲୀ ସହରରେ ପ୍ରଦୂଷଣସ୍ତରକୁ କମାଇବା ପାଇଁ ସରକାର ଦୃଢ଼ ପଦକ୍ଷେପ ଗ୍ରହଣ କରୁନଥିବାରୁ ସ୍ଥିତି ଗମ୍ଭୀର ରହିଛି।

ସମ୍ବନ୍ଧିତ ଖବର