ନ୍ୟୁୟର୍କ : ବିଶ୍ବ ସ୍ବାସ୍ଥ୍ୟ ସଂଗଠନ (ହୁ) ପକ୍ଷରୁ ବୁଧବାର କୁହାଯାଇଛି ଯେ ଚଳିତବର୍ଷ କୋଭିଡ୍-୧୯ ଜନିତ ମୃତ୍ୟୁ ୯୫ ପ୍ରତିଶତ ହ୍ରାସ ପାଇଛି। କିନ୍ତୁ ଭୂତାଣୁ ଏବେ ବି ସକ୍ରିୟ ରହିଛି। ବିଭିନ୍ନ ଦେଶ ଏହାକୁ କିପରି ପରିଚାଳନା କରିବେ ତାହା ଜାଣିବା ଉଚିତ। ହୁ ମୁଖ୍ୟ ଟେଡ୍ରୋସ ଆଧାନମ ଗେବ୍ରେୟେସସ୍ କହିଛନ୍ତି, କୋଭିଡ୍ ସଂକ୍ରମଣ ଉଲ୍ଲେଖନୀୟ ଭାବେ ହ୍ରାସ ପାଇଥିବା ଏବଂ କୋଭିଡ୍ ମୃତ୍ୟୁ ୯୫ ପ୍ରତିଶତ କମିଥିବା ନେଇ ଆମେ ଖୁବ୍ ଉତ୍ସାହିତ।
ତେବେ କେତେକ ଦେଶରେ ସଂକ୍ରମଣ ବୃଦ୍ଧି ପାଇବା ଦେଖାଯାଉଛି। ଗତ ୪ ସପ୍ତାହରେ ପ୍ରାୟ ୧୪,୦୦୦ ଲୋକ ଏହି ରୋଗରେ ମୃତ୍ୟୁବରଣ କରିଛନ୍ତି। ଏକ୍ସବିବି.୧.୧୬ ଉପକିସମର ଆବିର୍ଭାବ ପରେ ଏହି ଭୂତାଣୁ ତା’ର ରୂପ ବଦଳାଇବାରେ ଲାଗିଛି। ଏହା ନୂଆ ଲହର ସୃଷ୍ଟି ଓ ମୃତ୍ୟୁସଂଖ୍ୟା ବୃଦ୍ଧି ପାଇଁ ସକ୍ଷମ ବୋଲି ସେ କହିଛନ୍ତି। କୋଭିଡ୍-୧୯ର ଅନ୍ତ ଘଟିବ ବୋଲି ହୁ ମୁଖ୍ୟ ଆଶା ପ୍ରକାଶ କରିବା ସହ କହିଛନ୍ତି, ଭୂତାଣୁ କିନ୍ତୁ ସମ୍ପୂର୍ଣ୍ଣ ଲୋପ ପାଇବ ନାହିଁ। ତେଣୁ ବିଭିନ୍ନ ଦେଶ ଅନ୍ୟ ସଂକ୍ରାମକ ରୋଗ ସହ କିପରି ଏହାର ପରିଚାଳନା କରିବେ ତାହା ଜାଣିବା ଦରକାର। ଲଙ୍ଗ୍ କୋଭିଡ୍ (କୋଭିଡ୍ର ପରପ୍ରଭାବ) ପ୍ରତି ଚେତାବନୀ ଦେଇ ଟେଡ୍ରୋସ କହିଲେ ଯେ, ପ୍ରତି ୧୦ ଜଣରେ ଜଣେ ଲଙ୍ଗ୍ କୋଭିଡ୍ ଜନିତ ସମସ୍ୟା ଭୋଗ କରୁଛନ୍ତି। ପ୍ରତ୍ୟେକ ଦେଶ ଟିକାକରଣ ଲାଗି ଥିବା ସମସ୍ତ ବାଧା ଦୂର କରିବା ଦରକାର। ସବୁ ଲୋକ ଯେପରି ଟିକା ନେଇପାରନ୍ତି ତା’ର ବ୍ୟବସ୍ଥା କରିବା ଆବଶ୍ୟକ। ହୁ’ର ବୈଷୟିକ ମୁଖ୍ୟ ମାରିଆ ଭାନ କେରଖୋଭ୍ କହିଛନ୍ତି, କୋଭିଡ୍-୧୯ର ଉପକିସମ ଏକ୍ସିବିବି ଏବେ ସାରା ବିଶ୍ବରେ ପ୍ରଭାବ ବିସ୍ତାର କରିଛି। ଏଥି ପ୍ରତି ସମସ୍ତେ ସଚେତନ ରହିବା ସହ ଟେଷ୍ଟିଂ ବଢ଼ାଇବା ଆବଶ୍ୟକ, ଯାହାଫଳରେ ଏହାର ଠିକ୍ ଭାବେ ମନିଟରିଂ କରାଯାଇପାରିବ।