ଜୟପୁର: ଗଣତନ୍ତ୍ର ଦିବସର ଠିକ୍ ପୂର୍ବରୁ, ରାଜସ୍ଥାନର ନାଗୌର ଜିଲ୍ଲାରେ ସୁରକ୍ଷା ଏଜେନ୍ସିଗୁଡ଼ିକ ଦ୍ବାରା ୯,୫୫୦ କିଲୋ ବିସ୍ଫୋରକ ଜବତ କରିଛନ୍ତି। ଥାନୱାଲା ଥାନାର ପୁଲିସ ପକ୍ଷରୁ ଏକ ଫାର୍ମରେ ଚଢଉ କରାଯାଇ ବିପୁଳ ପରିମାଣର ଆମୋନିୟମ୍ ନାଇଟ୍ରେଟ୍ ଓ ଡେଟୋନେଟର ଜବତ କରାଯାଇଛି। ଆତଙ୍କବାଦୀମାନେ ଏହା ଦ୍ବାରା ଦେଶରେ ଆତଙ୍କ ସୃଷ୍ଟି ପାଇଁ ଷଡ୍‌ଯନ୍ତ୍ର ରଚିଥିବା କୁହାଯାଉଛି।ଏକ ଗୁପ୍ତ ସୂଚନା ଆଧାରରେ ନାଗୌର ଜିଲ୍ଲାର ଥାନୱାଲା ପୁଲିସ ଷ୍ଟେସନ ଅଞ୍ଚଳର ପୁଲିସ ଶନିବାର ରାତିରେ ଏକ ବଡ଼ ଧରଣର ଅଭିଯାନ ଆରମ୍ଭ କରିଥିଲେ। ନାଗୌର ପୁଲିସ ଅଧିକ୍ଷକ ମୃଦୁଲ କଛୱା କହିଛନ୍ତି, ହରସୌର ଗ୍ରାମର ବାସିନ୍ଦା ସୁଲେମାନ ଖାନ (୫୦)ଙ୍କ ଫାର୍ମ ଓ ବାସଭବନରେ ଚଢଉ କରାଯାଇଥିଲା। ୧୮୭ ବସ୍ତାରେ ପ୍ୟାକ୍ ହୋଇଥିବା ୯,୫୫୦ କିଲୋଗ୍ରାମ ଆମୋନିୟମ୍ ନାଇଟ୍ରେଟ୍ ଜବତ କରାଯାଇଥିଲା।

Advertisment

ଅଭିଯୁକ୍ତଙ୍କ ବିରୋଧରେ ତିନି ମାମଲା ରହିଛି

ଗିରଫ ଅଭିଯୁକ୍ତ ସୁଲେମାନ ଖାନଙ୍କ ବିରୋଧରେ ପୂର୍ବରୁ ବିସ୍ଫୋରକ ଆଇନ ଅନୁଯାୟୀ ତିନୋଟି ମାମଲା ରହିଛି। ପୁଲିସ ତାଙ୍କୁ ଗିରଫ କରି ଭାରତୀୟ ଦଣ୍ଡ ସଂହିତା ଓ ୧୮୮୪ ବିସ୍ଫୋରକ ଆଇନର ଧାରା ଅନୁଯାୟୀ ମାମଲା ରୁଜୁ କରିଛି। ଘଟଣାସ୍ଥଳରୁ ଆମୋନିୟମ୍ ନାଇଟ୍ରେଟ୍ ସହିତ ବୋମା ତିଆରି ଓ ବିସ୍ଫୋରଣ ପାଇଁ ଆବଶ୍ୟକ ଅନ୍ୟାନ୍ୟ ସାମଗ୍ରୀ ମଧ୍ୟ ଜବତ ହୋଇଛି। ଜବତ ହୋଇଥିବା ସାମଗ୍ରୀଗୁଡ଼ିକ ମଧ୍ୟରେ ୯ କାର୍ଟନ୍ ଡେଟୋନେଟର,୧୨ କାର୍ଟନ୍ ଓ ୧୫ ବଣ୍ଡଲ୍ ନୀଳ ଫ୍ୟୁଜ୍ ତାର ଓ ୧୨ କାର୍ଟନ୍ ତଥା ୯ ବଣ୍ଡଲ୍ ଲାଲ ଫ୍ୟୁଜ୍ ତାର ଆଦି ରହିଛି। ଏତେ ପରିମାଣର ଡେଟୋନେଟର ଓ ତାର ସୁରକ୍ଷା ଏଜେନ୍ସିଗୁଡ଼ିକ ମଧ୍ୟରେ ଚିନ୍ତା ସୃଷ୍ଟି କରିଛି। ତେବେ ସୁଲେମାନ କହିଛନ୍ତି ସେ ସେଗୁଡ଼ିକୁ ଖଣି ମାଲିକ ଓ ବେଆଇନ ଖଣି ଶ୍ରମିକମାନଙ୍କୁ ବିକ୍ରି କରୁଥିଲେ।

ବଡ଼ ଷଡ୍‌ଯନ୍ତ୍ର ସନ୍ଦେହ

ନାଗୌର ପୁଲିସ ଅଧିକ୍ଷକଙ୍କ ଅନୁଯାୟୀ, ଜବତ ସାମଗ୍ରୀର ପରିମାଣ ଏତେ ଅଧିକ ଯେ ଏହା ପଛରେ କେବଳ ଖଣି ଖନନ ଉଦ୍ଦେଶ୍ୟ ଥିବା ସନ୍ଦେହଜନକ ମନେ ହେଉଛି। ଏହାକୁ ଦୃଷ୍ଟିରେ ରଖି, ରାଜସ୍ଥାନ ପୁଲିସ କେନ୍ଦ୍ରୀୟ ତଦନ୍ତକାରୀ ସଂସ୍ଥା ଆଇବି ଓ ଏନଆଇଏକୁ ମଧ୍ୟ ଜବତ ବିଷୟରେ ସୂଚନା ଦେଇଛି। ଏଜେନ୍ସିଗୁଡ଼ିକ ଏବେ ସୁଲେମାନ ଖାନଙ୍କୁ ପଚରାଉଚରା କରିବେ ଯେ ବିସ୍ଫୋରକଗୁଡ଼ିକ କୌଣସି ଆତଙ୍କବାଦୀ ଗୋଷ୍ଠୀ କିମ୍ବା ଦେଶ ବିରୋଧୀ ଉପାଦାନକୁ ଯୋଗାଣ ପାଇଁ ଉଦ୍ଦିଷ୍ଟ ଥିଲା କି ନାହିଁ। ସୁଲେମାନ ଏତେ ବିପୁଳ ପରିମାଣର ବିସ୍ଫୋରକ କେଉଁଠାରୁ ପାଇଲେ ଓ ଉଦ୍ଦିଷ୍ଟ କ୍ରେତା କିଏ ଥିଲେ ତାହା ମଧ୍ୟ ପୁଲିସ ତଦନ୍ତ କରୁଛି।