ମୋଦୀଙ୍କ ମନ୍‌ କୀ ବାତ୍‌ର ୯୫ତମ ସଂସ୍କରଣ: ଜି-୨୦ର ଅଧ୍ୟକ୍ଷତା ଭାରତ ପାଇଁ ଗର୍ବ

ନୂଆଦିଲ୍ଲୀ : ସ୍ବାଧୀନତାର ଅମୃତ କାଳରେ ଭାରତ ଜି-୨୦ର ସଭାପତି ଦାୟିତ୍ବ ପାଇଛି। ଏହା ଦେଶ ପାଇଁ ଏକ ସୁଯୋଗ ଏବଂ ଗର୍ବର ମୁହୂର୍ତ୍ତ। ଦେଶର ବିଭିନ୍ନ ସ୍ଥାନରୁ ତାଙ୍କ ନିକଟକୁ ଏ ନେଇ ଏକାଧିକ ଚିଠି ଆସିଛି। ଶାନ୍ତି ଠାରୁ ଆରମ୍ଭ କରି ଏକତା କିମ୍ବା ନିରନ୍ତର ବିକାଶ ଆଦି ସବୁ କ୍ଷେତ୍ରରେ ବିଶ୍ବର ହିତ ଆମକୁ ଦେଖିବାକୁ ହେବ। ଏସବୁ ପ୍ରସଙ୍ଗରେ ଭାରତ ନିକଟରେ ସମାଧାନର ପନ୍ଥା ରହିଛି। ଆମେ ଏଥିପାଇଁ ‘ଗୋଟିଏ ପୃଥିବୀ, ଗୋଟିଏ ପରିବାର, ଗୋଟିଏ ଭବିଷ୍ୟତ’ ବିଷୟବସ୍ତୁ ରଖିଛୁ ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ତାଙ୍କର ମାସିକ ରେଡିଓ କାର୍ଯ୍ୟକ୍ରମ ମନ୍‌ କୀ ବାତ୍‌ର ୯୫ତମ ସଂସ୍କରଣରେ ଦେଶବାସୀଙ୍କୁ କହିଛନ୍ତି।

ଚଳିତବର୍ଷ ଡିସେମ୍ବର ୧ରୁ ଭାରତ ଜି-୨୦ର ସଭାପତିତ୍ବ ଦାୟିତ୍ବ ବର୍ଷକ ପାଇଁ ତୁଲାଇବ। ବିଶ୍ବର ଅର୍ଥନୈତିକ ଅଭିବୃଦ୍ଧି ଏବଂ ସମୃଦ୍ଧି ପାଇଁ ହେବାକୁ ଥିବା ୨୦୦ରୁ ଅଧିକ ବୈଠକରେ ଭାରତ ଅଧ୍ୟକ୍ଷତା କରିବ। ନିକଟରେ ଘରୋଇ କ୍ଷେତ୍ରର ରକେଟ ବିକ୍ରମ-ଏସ ମହାକାଶକୁ ଉତ୍‌‌କ୍ଷେପଣ କରି ଦେଶ ମହାକାଶ କ୍ଷେତ୍ରରେ ସଫଳତା ହାସଲ କରିଛି। ଏଥିପାଇଁ ପ୍ରଧାନମନ୍ତ୍ରୀ ଇସ୍ରୋର ପ୍ରଶଂସା କରିଛନ୍ତି। ଉକ୍ତ ରକେଟ ଘରୋଇ କ୍ଷେତ୍ର ଦ୍ବାରା ବିକାଶ ହୋଇଥିଲା ଏବଂ ଏଥିରେ ଅନେକ ନୂଆ ବୈଶିଷ୍ଟ୍ୟ ଥିଲା ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି। ଭାରତ ମହାକାଶ କ୍ଷେତ୍ରରେ ସଫଳତା ପଡ଼ୋଶୀ ଦେଶ ମିଶି ପାଳନ କରିଛି। ଗତକାଲି ଭାରତ ଏବଂ ଭୁଟାନ ଦ୍ବାରା ମିଳିତଭାବେ ବିକାଶ ହୋଇଥିବା ଏକ ସାଟେଲାଇଟ ମହାକାଶକୁ ପଠାଇଛି। ଭାରତର ଯୁବବର୍ଗଙ୍କ ପାଇଁ କେବଳ ଆକାଶ ହିଁ ସୀମା ବୋଲି ସେ କହିଛନ୍ତି।

ପ୍ରଧାନମନ୍ତ୍ରୀ ଆଜି ଭାରତର ସଙ୍ଗୀତ ଏବଂ କଳା କ୍ଷେତ୍ର ଉପରେ ମଧ୍ୟ ଆଲୋକପାତ କରିଛନ୍ତି। ଭାରତରୁ ସଙ୍ଗୀତ ଉପକରଣର ରପ୍ତାନି ଗତ ୮ ବର୍ଷ ମଧ୍ୟରେ ବହୁଗୁଣ ବୃଦ୍ଧି ପାଇଛି। ଆମେରିକା, ବ୍ରିଟେନ ସହିତ ଅନ୍ୟାନ୍ୟ ଦେଶକୁ ଭାରତ ଏସବୁ ଉପକରଣ ରପ୍ତାନି କରୁଛି ବୋଲି ସେ କହିଛନ୍ତି। ଏଥିସହିତ ଗ୍ରୀସର କଳାକାର କନଷ୍ଟାଣ୍ଟିନୋସ୍ କାଲାଇଟିସଙ୍କ ନାମ ବି ଉଲ୍ଲେଖ କରିଛନ୍ତି। ଗାନ୍ଧୀଙ୍କ ପ୍ରିୟ ଭଜନ ବୈଷ୍ଣବ ଜନ ତୋ ତେନେ କହିୟେ ସେ ଗାଇଛନ୍ତି। ଚିକିତ୍ସା ବିଜ୍ଞାନ କ୍ଷେତ୍ରରେ ଅନେକ ଅଗ୍ରଗତି ହୋଇଛି। ଗବେଷଣା ଏବଂ ଅତ୍ୟାଧୁନିକ ଉପକରଣ ଜରିଆରେ ବିଶ୍ବରେ ଚିକିତ୍ସା ବିଜ୍ଞାନ ଅନେକ ଅଗ୍ରଗତି ହାସଲ କରିଛି। ଏହା ସତ୍ତ୍ବେ କେତେକ ରୋଗ ଆମ ପାଇଁ ବଡ଼ ଚ୍ୟାଲେଞ୍ଜ ହୋଇ ରହିଛି। ସେହି ରୋଗଗୁଡ଼ିକ ମଧ୍ୟରେ ଗୋଟିଏ ହେଲା ‌ମାଂସପେଶୀୟ ଦୁର୍ବଳତା । ଉକ୍ତ ରୋଗ ସଂପର୍କରେ ହିମାଚଳ ପ୍ରଦେଶର ‘ମାନବ ମନ୍ଦିର’ ସଚେତନତା ସୃଷ୍ଟି କରୁଥିବାରୁ ପ୍ରଧାନମନ୍ତ୍ରୀ ଏହାର ପ୍ରଶଂସା କରିଛନ୍ତି।

ସମ୍ବନ୍ଧିତ ଖବର