କେରଳ: ସାକ୍ଷରତା ପରୀକ୍ଷା ଦେଲେ ୯୬ ବର୍ଷୀୟ ବୃଦ୍ଧା

ତିରୁବନନ୍ତପୁରମ୍‌: ୯୬ ବର୍ଷୀୟ କାର୍ତ୍ତିୟାନୀ ଆମ୍ମାଙ୍କ ପାଇଁ ବୟସର ଅର୍ଥ ହେଉଛି ଗୋଟାଏ ସଂଖ୍ୟା ମାତ୍ର। ଏ ବୟସରେ ଉପନୀତ ହୋଇ ମଧ୍ୟ ସେ ରବିବାର ଦିନ କେରଳ ରାଜ୍ୟ ସାକ୍ଷରତା ମିସନ ଦ୍ୱାରା ପରିଚାଳିତ ସାକ୍ଷରତା ପରୀକ୍ଷା ଦେଇଥିବା ୪୦, ୪୪୦ ଜଣଙ୍କ ମଧ୍ୟରେ ଥିଲେ ଅନ୍ୟତମା।

ସାକ୍ଷରତା ମିସନସୂତ୍ରରୁ ଜଣାପଡ଼ିଛି, ଚେପ୍ପାଡ଼ ସରକାରୀ ନିମ୍ନ ପ୍ରାଥମିକ ବିଦ୍ୟାଳୟରେ କାର୍ତ୍ତିୟାନୀ ଆମ୍ମା ପରୀକ୍ଷା ଦେଇଛନ୍ତି।

ପଢ଼ିବା ଓ ଲେଖିବା ଅଦମ୍ୟ ଇଚ୍ଛା ଯୋଗୁଁ ୯୬ ବର୍ଷୀୟ ଏଇ ବୃଦ୍ଧାଜଣକ ରାଜ୍ୟ ସାକ୍ଷରତା ମିସନର ‘ଅକ୍ଷରଲକ୍ଷମ୍‌’ କାର୍ଯ୍ୟକ୍ରମରେ ୬ ମାସ ତଳେ ନାଁ ଲେଖାଇ ଥିଲେ।

ବିଭିନ୍ନ କାରାଗାରର ଅଶୀ ଜଣ କଏଦୀ ମଧ୍ୟ ପରୀକ୍ଷା ଦେଇଥିଲେ।

ମିସନ ତରଫରୁ ପ୍ରକାଶିତ ପ୍ରେସ୍‌ ରିଲିଜ୍‌ରେ କୁହାଯାଇଛି, ପାଲାକ୍କାଡ଼ ଜିଲ୍ଲାରୁ ୧୧, ୬୮୩ ଜଣ ପରୀକ୍ଷା ଦେଇଛନ୍ତି। ପରୀକ୍ଷକମାନେ ଏହି ପରୀକ୍ଷାରେ ଲେଖା, ପଢ଼ା ଏବଂ ଗାଣିତିକ ଦକ୍ଷତାର ପରୀକ୍ଷା ନେଇଛନ୍ତି।

ଅନୁସୂଚିତ ଜାତିରୁ ୨, ୪୨୦ ଏବଂ ଅନୁସୂଚିତ ଜନଜାତି ସମ୍ପ୍ରଦାୟରୁ ୯୪୬ ଜଣ ଲୋକ ବି ପରୀକ୍ଷା ଦେଇଥିଲେ।

ସମ୍ବନ୍ଧିତ ଖବର