୯୭ କୋଟି ଲୋକଙ୍କୁ ମିଳୁନି ପୁଷ୍ଟିକର ଆହାର

ପରିବାର ପିଛା ମାସକୁ ୭,୬୦୦ ଟଙ୍କା ଦରକାର, ପାକିସ୍ତାନ, ନେପାଳ ସ୍ଥିତି ଆହୁରି ଖରାପ

ନୂଆଦିଲ୍ଲୀ : ଶରୀରର ସାମଗ୍ରିକ ବିକାଶରେ ଗୁରୁତ୍ବପୂର୍ଣ୍ଣ ଭୂମିକା ଗ୍ରହଣ କରୁଥିବା ପୁଷ୍ଟିକର ଆହାର ଲୋକଙ୍କ ପାଇଁ ସ୍ବପ୍ନରେ ପରିଣତ ହୋଇଛି। ଦେଶର ୭୧ ପ୍ରତିଶତରୁ ଅଧିକ ଲୋକଙ୍କୁ ମିଳୁନି ଏଭଳି ଆହାର। ସେମାନଙ୍କ ସଂଖ୍ୟା ୯୭ କୋଟିରୁ ଅଧିକ। ଆଫ୍ରିକାର ଅନେକ ଗରିବ ଦେଶର ସ୍ଥିତି ସହ ଭାରତର ସ୍ଥିତି ପ୍ରାୟ ସମାନ ରହିଛି। ପୁଷ୍ଟିକର ଆହାର ଅଭାବ ହାର ଏସିଆ ମହା‌‌ଦେଶରେ ୪୩.୫% ସ୍ତରରେ ଥିବା ବେଳେ ଭାରତରେ ତାହା ୭୦%ରୁ ଅଧିକ ରହିଛି। ଆଫ୍ରିକାରେ ଏହି ହାର ୮୦ ପ୍ରତିଶତ ଥିବା ଏକ ରିପୋର୍ଟରୁ ଜଣାପଡ଼ିଛି।ଭାରତରେ ପୁଷ୍ଟିକର ଆହାର ଅଭାବ ସ୍ଥିତି ଜଟିଳ ଥିବା ବେଳେ ଏହାର ପଡ଼ୋଶୀ ଦେଶଗୁଡ଼ିକର ସ୍ଥିତି ଆହୁରି ଦୟନୀୟ ରହିଛି। ବାଲାଂଦେଶରେ ଏହି ହାର ୭୩.୫%, ନେପାଳରେ ୮୪% ଓ ପାକିସ୍ତାନରେ ଏହି ହାର ୮୩.୫% ରହିଛି। ଶ୍ରୀଲଙ୍କାରେ କିନ୍ତୁ ଏହି ହାର ଅପେକ୍ଷାକୃତ କମ୍ ୪୯% ରହିଛି। ଚୀନ୍‌ ୧୨% ସହ ଅପେକ୍ଷାକୃତ ଉନ୍ନତ ସ୍ଥିତିରେ ରହିଛି।

The Quint

ଜାତିସଂଘର ସଂସ୍ଥା ଖାଦ୍ୟ ଓ କୃଷି ସଂଗଠନ (ଏଫ୍‌ଏଓ)ର ‘ଦୁନିଆରେ ଖାଦ୍ୟ ସୁରକ୍ଷା ଓ ପୁଷ୍ଟିର ସ୍ଥିତି’ ରିପୋର୍ଟ ଅନୁଯାୟୀ, ୨୦୨୦ରେ ସାରା ବିଶ୍ବରେ ପ୍ରାୟ ୩୦୭ କୋଟି ଲୋକ ସ୍ବାସ୍ଥ୍ୟକର ଆହାର ପାଇନଥିଲେ। ସେଥିରୁ ଏକ ତୃତୀୟାଂଶ ଲୋକ ଭାରତରେ ଥିଲେ। ଭାରତ ବିଶ୍ବର ଦ୍ବିତୀୟ ବଡ଼ ଜନସଂଖ୍ୟାର ଦେଶ ହୋଇଥିବା ବେଳେ ପୁଷ୍ଟିକର ଆହାରରୁ ବଞ୍ଚିତ ଲୋକଙ୍କ ସଂଖ୍ୟା ଏଠାରେ ସର୍ବାଧିକ ରହିଛି।

 

ଏଫ୍‌ଏଓର ଡାଇରେକ୍ଟର ଜେନେରାଲ୍ କ୍ୟୁ ଡଙ୍ଗୟୁ କହିଛନ୍ତି ଯେ ଅର୍ଥନୀତି ଉପରେ କରୋନା ମହାମାରୀର ପ୍ରଭାବ ଯୋଗୁଁ ଖାଦ୍ୟ ସାମଗ୍ରୀ ଦାମ୍ ଆକାଶଛୁଆଁ ସ୍ତରରେ ପହଞ୍ଚିଛି। ସେଥିପାଇଁ ୩୧୦ କୋଟି ଲୋକ ସ୍ବାସ୍ଥ୍ୟକର ଆହାର କିଣିବାକୁ ସକ୍ଷମ ହୋଇନାହାନ୍ତି। ସେହି ସାମଗ୍ରୀଗୁଡ଼ିକର ଦାମ୍ ସେମାନଙ୍କ କିଣିବା କ୍ଷମତା ବାହାରେ ରହିଛି। ମହାମାରୀ ଯୋଗୁଁ ଏଭଳି ଲୋକଙ୍କ ସଂଖ୍ୟାରେ ୧୧.୨ କୋଟି ବୃଦ୍ଧି ଘଟିଛି।

Wall Street Journal

ସ୍ବାସ୍ଥ୍ୟକର ଆହାର କହିଲେ ଖାଦ୍ୟଶସ୍ୟ, ବାଦାମ ପ୍ରଜାତିର ଖାଦ୍ୟ, ପ୍ରଚୁର ପରିମାଣର ଫଳ ଓ ପନିପରିବା ଏବଂ ଅଳ୍ପ ପରିମାଣର ପଶୁ ପ୍ରୋଟିନ୍‌କୁ ବୁଝାଇଥାଏ। ଯେଉଁମାନେ ଖାଦ୍ୟରେ ଏହି ସବୁ ସାମଗ୍ରୀ ଗ୍ରହଣ କରୁଛନ୍ତି ସେମାନେ ପୁଷ୍ଟିକର ଆହାର ଖାଉଥିବା ବିଚାର କରାଯାଉଛି। ଦୁର୍ଭାଗ୍ୟର ବିଷୟ ହେଉଛି ଭାରତର ଅଧିକାଂଶ ଲୋକ ନିଜ ଖାଦ୍ୟରେ ଏହି ମିଶ୍ରଣ ରଖିବାକୁ ସକ୍ଷମ ହେଉନାହାନ୍ତି। ପୁଷ୍ଟିକର ଆହାର ଖାଇବା ଲାଗି ଭାରତରେ ପ୍ରତି ବ୍ୟକ୍ତି ପିଛା ଦୈନିକ ୨.୯୭ ଡଲାର (୨୩୭ ଟଙ୍କା ୬୦ ପଇସା) ଦରକାର। କ୍ରୟ ଶକ୍ତି ସମାନତା (ପିପିପି) ଆଧାରରେ ଏକ ଚାରି ଜଣିଆ ସଦସ୍ୟ ବିଶି‌ଷ୍ଟ ପରିବାର ପାଇଁ ମାସକୁ ୭,୬୦୦ ଟଙ୍କା ଦରକାର। ଯେଉଁ ପରିବାର ମାସକୁ କେବଳ ଖାଇବାରେ ଏତିକି ଟଙ୍କା ଖର୍ଚ୍ଚ କରିବାକୁ ସକ୍ଷମ କେବଳ ସେମାନେ ହିଁ ପୁଷ୍ଟିକର ଆହାର କିଣିପାରିବାର କ୍ଷମତା ରଖିଛନ୍ତି। ଅନ୍ୟମାନଙ୍କର ସେହି କ୍ଷମତା ନାହିଁ କହିଲେ ଭୁଲ ହେବ ନାହିଁ।

ଭାରତର ପ୍ରାୟ ୮୦ କୋଟି ଲୋକ ସରକାର ରିହାତିରେ ଯୋଗାଉଥିବା ଖାଦ୍ୟଶସ୍ୟ ଉପରେ ନିର୍ଭରଶୀଳ। ସେମାନଙ୍କୁ ମାସକୁ କେଜି ପିଛା ୨-୩ ଟଙ୍କା ଦରରେ ୫ କିଲୋ ଖାଦ୍ୟଶସ୍ୟ ପ୍ରଦାନ କରାଯାଉଛି। ଏହା ବ୍ୟତୀତ ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଅନ୍ନ ଯୋଜନାରେ ସେମାନଙ୍କୁ ମାସକୁ ପାଞ୍ଚ କେଜି ଖାଦ୍ୟଶସ୍ୟ ମାଗଣାରେ ଦିଆଯାଉଛି। ଦେଶର ଖାଦ୍ୟ ସୁରକ୍ଷା କାର୍ଯ୍ୟକ୍ରମରେ ଦିଆଯାଉଥିବା ଖାଦ୍ୟଶସ୍ୟରେ ଅଧିକ ମାତ୍ରାରେ ସିରିଏଲ୍‌ ରହୁଥିବା ତାହା ଯଥେଷ୍ଟ ପରିମାଣର କ୍ୟାଲୋରି ଯୋଗାଇ ପାରୁନାହିଁ। ସେଥିପାଇଁ ଶରୀରକୁ ଉପଯୁକ୍ତ ପୁଷ୍ଟି ମିଳିପାରୁନାହିଁ ବୋଲି ଅନେକ ସମୟରେ ଅଭିଯୋଗ ହେଉଛି।

ସମ୍ବନ୍ଧିତ ଖବର