ମଣିପୁର ହିଂସାରେ ୯୮ ମୃତ, ୩୧୦ ଆହତ: ରାଜ୍ୟ ସରକାର

ନୂଆଦିଲ୍ଲୀ: ମଣିପୁରରେ ଏକ ମାସ ତଳେ ଘଟିଥିବା ଜାତିଗତ ହିଂସାରେ ଅତି କମରେ ୯୮ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୩୧୦ ଜଣ ଆହତ ହୋଇଛନ୍ତି ବୋଲି ଶୁକ୍ରବାର ଦିନ ଏକ ବିବୃତିରେ ସରକାର କହିଛନ୍ତି। ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ (ସିଏମ୍‌ଓ) ପକ୍ଷରୁ ଜାରି ଏହି ବିବୃତିରେ କୁହାଯାଇଛି ଯେ ବର୍ତ୍ତମାନ ୨୭୨ଟି ରିଲିଫ୍‌ କ୍ୟାମ୍ପରେ ମୋଟ ୩୭,୪୫୦ ଜଣ ଲୋକ ଅଛନ୍ତି।

ମେ’ ୩ ତାରିଖରେ ରାଜ୍ୟରେ ହୋଇଥିବା ହିଂସାକାଣ୍ଡ ପରଠାରୁ ମୋଟ ୪,୦୧୪ଟି ଅଗ୍ନିକାଣ୍ଡ ଘଟଣା ସାମ୍ନାକୁ ଆସିଛି। ତେବେ, ମୃତକଙ୍କ ସଂଖ୍ୟା ୯୮ ଓ ଆହତଙ୍କ ସଂଖ୍ୟା ୩୧୦ ରହିଛି।

ଗତ ଏକ ମାସ ମଧ୍ୟରେ ହିଂସାକାଣ୍ଡରେ ସମ୍ପୃକ୍ତ ଥିବା ଅଭିଯୋଗରେ ରାଜ୍ୟ ପୁଲିସ ୩୭୩୪ଟି ମାମଲା ରୁଜୁ କରିବା ସହ ୬୫ ଜଣଙ୍କୁ ଗିରଫ କରିଛି। ବିଭିନ୍ନ ସୁରକ୍ଷା ଏଜେନ୍‌ସିର ସମନ୍ଵିତ ପ୍ରୟାସ ଯୋଗୁଁ ଦୁର୍ବୃତ୍ତମାନେ ଘରେ ନିଆଁ ଲଗାଇବା ଭଳି ବିକ୍ଷିପ୍ତ ଘଟଣା ଏବେ ବିରଳ ହେବାରେ ଲାଗିଛି। ସମ୍ବେଦନଶୀଳ ଅଞ୍ଚଳରେ ସେନା, ଆସାମ ରାଇଫଲ୍‌ସ, ସିଏପିଏଫ୍‌ ଏବଂ ସ୍ଥାନୀୟ ପୁଲିସ ମୁତୟନ କରାଯାଇଛି।

ବର୍ତ୍ତମାନ ସୁଦ୍ଧା ସମଗ୍ର ରାଜ୍ୟରେ ୮୪ କମ୍ପାନି କେନ୍ଦ୍ରୀୟ ସଶସ୍ତ୍ର ବାହିନୀଙ୍କୁ ମୁତୟନ କରାଯାଇଛି। ପରିସ୍ଥିତିକୁ ଦୃଷ୍ଟିରେ ରଖି ଅଧିକ କମ୍ପାନି ନିୟୋଜିତ କରାଯିବା ସହ ଫ୍ଲାଗ୍‌ ମାର୍ଚ ବ୍ୟାପକ ଭାବେ କରାଯାଉଛି। ଆଜିଠାରୁ ଲୁଟ୍‌ ହୋଇଥିବା ଅସ୍ତ୍ରଶସ୍ତ୍ର ଓ ଗୋଳାବାରୁଦ ଜବତ ପାଇଁ ସର୍ଚ୍ଚ ଅପରେସନ ଆରମ୍ଭ କରାଯାଇଛି। ଲୁଟ୍‌ କରିଥିବା ଅସ୍ତ୍ରଶସ୍ତ୍ର ସହ ଆତ୍ମସମର୍ପଣ କରିବାକୁ ସରକାର ଲୋକଙ୍କୁ ନିବେଦନ କରିଛନ୍ତି।

ଯଦି କୌଣସି ବ୍ୟକ୍ତି ଅସ୍ତ୍ରଶସ୍ତ୍ର ଓ ଗୋଳାବାରୁଦ ସହ ଧରାପଡ଼ନ୍ତି ତେବେ ତାଙ୍କ ବିରୋଧରେ ଦୃଢ଼ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସରକାର ଚେତାବନୀ ଦେଇଛନ୍ତି। ବର୍ତ୍ତମାନ ସୁଦ୍ଧା ୧୧ଟି ମାଗାଜିନ୍‌ ସହ ୧୪୪ଟି ଅସ୍ତ୍ରଶସ୍ତ୍ର କୁ ସୁରକ୍ଷା ଏଜେନ୍‌ସି ଜବତ କରିଛି। ସଂଘର୍ଷର ସମାଧାନ ଓ ଅଞ୍ଚଳରେ ଶାନ୍ତି ଆଣିବା ପାଇଁ ଗ୍ରାମମୁଖ୍ୟ ଓ ନାଗରିକ ସଂଗଠନମାନଙ୍କ ସହ ବୈଠକ କରାଯାଉଛି ଏବଂ ଅଧିକାଂଶ ଜିଲ୍ଲାରେ ସ୍ଥିତି ସ୍ୱାଭାବିକ ରହିଛି ବୋଲି ରାଜ୍ୟ ସରକାରଙ୍କ ପକ୍ଷରୁ ଦାବି କରାଯାଇଛି।

ସମ୍ବନ୍ଧିତ ଖବର