ବୟସ ବାଧା ନୁହେଁ, ୯୮ ବର୍ଷ ବୟସରେ ଏମଏ ପାସ୍‌ କଲେ ରାଜକୁମାର

ପାଟନା : କଥାରେ ଅଛି ପଢ଼ିବା ପାଇଁ ସେମିତି କିଛି ନିର୍ଦ୍ଦିଷ୍ଟ ବୟସସୀମା ନଥାଏ । ଯିଏ ଯେତେ ପର୍ଯ୍ୟନ୍ତ ଚାହିଁବ ପଢ଼ିପାରିବ । ଆଜି ସେହି କଥାକୁ ସତ କରି ଦେଖାଇଛନ୍ତି ବିହାରର ୯୮ବର୍ଷୀୟ ରାଜ କୁମାର ବୈଶ । ପାଟନାରେ ଥିବା ନାଳନ୍ଦା ମୁକ୍ତ ବିଶ୍ୱବିଦ୍ୟାଳୟର ସମାବର୍ତ୍ତନ ଉତ୍ସବରେ ତାଙ୍କୁ ପୋଷ୍ଟଗ୍ରାଜୁଏଟ୍‌ ଡ଼ିଗ୍ରି ପ୍ରଦାନ କରାଯାଇ ସମ୍ମାନୀତ କରାଯାଇଥିଲା । ଅର୍ଥଶାସ୍ତ୍ରରେ ମାଷ୍ଟର ଡ଼ିଗ୍ରି କରୁଥିବା ରାଜ କୁମାରଙ୍କୁ ସମ୍ମାନୀତ କରିଥିଲେ ମେଘାଳୟର ରାଜ୍ୟପାଳ ଗଙ୍ଗା ପ୍ରସାଦ ।
୨୦୧୫ରେ ନାମ ଲେଖାଇଥିବା ରାଜ କୁମାରଙ୍କୁ ସମ୍ମାନୀତ କରାଯିବା ପରେ ସେ ନିଜ ଖୁସିକୁ ସମସ୍ତଙ୍କ ସାମ୍ନାରେ ଜାହିର କରିଥିଲେ । “ମୁଁ ଆଜି ବହୁତ ଖୁସି ଅଛି । ମାଷ୍ଟର ଡ଼ିଗ୍ରି ହାସଲ କରିବାର ଏତେ ଦିନର ସ୍ୱପ୍ନ ଆଜି ମୋର ପୂରଣ ହୋଇଛି । ଯୁବପିଢ଼ି ଖାଲି ଚାକିରି ଉପରେ ଧ୍ୟାନ ନ ଦେଇ ପାଠ ପଢ଼ାକୁ ମଧ୍ୟ ଧ୍ୟାନ ଦିଅନ୍ତୁ” ବୋଲି କହିଛନ୍ତି ରାଜ କୁମାର ।
ବିଶ୍ୱବିଦ୍ୟାଳୟର ରେଜିଷ୍ଟ୍ରାର ଏସ୍‌.ପି ସିହ୍ନାଙ୍କ କହିବା ଅନୁଯାୟୀ, “ଏ ବର୍ଷ ପ୍ରାୟ ୨୨,୧୦୦ ପିଲାମାନଙ୍କୁ ବିଭିନ୍ନ ଡ଼ିଗ୍ରି ପ୍ରଦାନ କରାଯାଇଛି । ବୈଶ ହେଉଛନ୍ତି ସେମାନଙ୍କ ମଧ୍ୟରୁ ଜଣେ । ଏ ବୟସରେ ତାଙ୍କର ପଢ଼ିବା ପାଇଁ ଇଚ୍ଛା ଶକ୍ତିକୁ ଦେଖି ମୁଁ ସବୁବେଳେ ଆଶ୍ଚର୍ଯ୍ୟ ହୁଏ । ବୈଶ ହେଉଛନ୍ତି ସମସ୍ତଙ୍କଠାରୁ ବରିଷ୍ଠ । ତାଙ୍କର ଏଭଳି ଇଚ୍ଛା ଶକ୍ତି ନିହାତି ଭାବରେ ସମସ୍ତଙ୍କୁ ଅନୁପ୍ରାଣିତ କରିବ।”
ଅନ୍ୟପକ୍ଷରେ ବୈଶଙ୍କୁ ସମ୍ମାନୀତ କରାଯାଇଥିବାରୁ ତାଙ୍କ ପୁଅ ସନ୍ତୋଷ କୁମାର ବହୁତ ଗର୍ବ ଅନୁଭବ କରୁଛନ୍ତି । ସେ କହନ୍ତି, “ବାପାଙ୍କୁ ବୟସ ହୋଇଯାଇଥିବାରୁ ସମ୍ମାନ ଗ୍ରହଣ କରିବା ପାଇଁ ହ୍ଵିଲ୍‌ଚେୟାର ଦିଆ ଯାଇଥିଲା । କିନ୍ତୁ ସେ ହ୍ଵିଲ୍‌ଚେୟାରରେ ଯିବାକୁ ମନା କରିବା ସହ ଚାଲି କରି ଷ୍ଟେଜ୍‌ ଉପରକୁ ଯାଇଥିଲେ । ତାଙ୍କର ଏଭଳି ସାହସକୁ ଦେଖି ମୁଁ ବହୁତ କିଛି ଶିଖିଛି” ।
ବୈଶ ୧୯୩୮ରେ ଆଗ୍ରା ବିଶ୍ୱବିଦ୍ୟାଳୟରୁ ଗ୍ରାଜୁଏସନ୍‌ କରିଥିବା ବେଳେ ୧୯୪୦ରେ ଏଲ୍‌ଏଲ୍‌ବିରେ ଡ଼ିଗ୍ରି ହାସଲ କରିଥିଲେ । ଏହା ପରେ ପରେ ତାଙ୍କୁ ଚାକିରି ମିଳିଯାଇଥିବାରୁ ସେ ତାଙ୍କ ପୋଷ୍ଟ ଗ୍ରାଜୁଏସନ୍‌ କରି ପାରିନଥିଲେ । ସେ ସମୟରେ ଅଧୁରା ରହିଥିବା ସ୍ୱପ୍ନକୁ ସେ ଏବେ ସଫଳ କରି ଦେଖାଇଛନ୍ତି ।

ସମ୍ବନ୍ଧିତ ଖବର